ପୁରୀ: ୬ ବର୍ଷ ତଳେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ର ତାଣ୍ଡବ ସଂପୂର୍ଣ୍ଣ ପୁରୀ ଜିଲ୍ଲାକୁ ଛାରଖାର କରି ଦେଇଥିଲା। ଯାହାର ପ୍ରମାଣ ବାଲୁଖଣ୍ଡ ଅଭୟାରଣ୍ୟର ଥୁଣ୍ଟା ଗଛକୁ ଦେଖିଲେ ସ୍ପଷ୍ଟ ବାରିହେଉଛି। ଏହି ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିଲେ ଏଠାକାର ଚିତ୍ରା ହରିଣ। ପୂର୍ବରୁ ଏହି ଅଭୟାରଣ୍ୟରେ ୪ ହଜାରରୁ ଅଧିକ ହରିଣ ରହୁଥିବା ବେଳେ ଏବେ ସେମାନଙ୍କ ସଂଖ୍ୟା କେତେ ତାହା ବି ସାର୍ବଜନୀନ ହୋଇପାରୁନି। ଯେଉଁଠି ବାଘ, ପକ୍ଷୀ, ଡଲଫିନ୍‌ ଆଦିଙ୍କ ଗଣନା ସାର୍ବଜନୀନ ହେଉଛି, ସେଠି ହରିଣଙ୍କ ସଂଖ୍ୟାକୁ କାହିଁକି ଲୁଚାଇ ରଖାଯାଉଛି ବୋଲି ପ୍ରଶ୍ନ ଉଠୁଛି। ୨୦୧୯ ମେ' ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ବାଲୁଖଣ୍ଡରେ ସ୍ଥଳଭାଗ ଛୁଇଁଥିଲା। ମାତ୍ର ପାଞ୍ଚ ଘଣ୍ଟାର ତାଣ୍ଡବ ଘଞ୍ଚ ସବୁଜିମା ଭରା ବାଲୁଖଣ୍ଡ ଅଭୟାରଣ୍ୟକୁ ସଂପୂର୍ଣ୍ଣ ଛାରଖାର କରି ଦେଇଥିଲା। ସମୁଦାୟ ୮୭ ବର୍ଗ କିମି ବ୍ୟାପ୍ତ ଅଭୟାରଣ୍ୟରୁ ପାଖାପାଖି ୨୨ଲକ୍ଷ ଗଛ ଭୂଇଁରେ ଲୋଟି ପଡ଼ିଥିଲା। ଅଭୟାରଣ୍ୟରେ ରହୁଥିବା ହଜାର ହଜାର ସଂଖ୍ୟାରେ ହରିଣ, କୁଟୁରା ସହ ଅନ୍ୟ ବନ୍ୟଜନ୍ତୁଙ୍କ ସନ୍ଧାନ ମିଳିନଥିଲା। କିଛି ଜନବସତିକୁ ବି ପଳାଇ ଆସିଥିଲେ। କହିବାକୁ ଗଲେ ‘ଫନି’ ପୂରା ବାଲୁଖଣ୍ଡକୁ ପଦା ‌କରି ଦେଇଥିଲା।

Advertisment

ସବୁଜିମା ସହ ଏଥିରେ ବସବାସ କରୁଥିବା ବନ୍ୟଜନ୍ତୁଙ୍କୁ ବେଘର କରି ଦେଇଥିଲା। ‘ଫନି’ ପୂର୍ବରୁ ଏଠାରେ ଚିତ୍ରା ହରିଣଙ୍କ ସଂଖ୍ୟା ୪ହଜାର ଉପରେ ରହିଥିଲା। ଏହା ସହ ଅନେକ ହେଟାବାଘ, ଗାଡ଼ଭାଲୁ, ଓଧ ଓ ଅନ୍ୟ ବନ୍ୟପ୍ରାଣୀ ବି ବସବାସ କରୁଥିଲେ। ବାତ୍ୟାର ତାଣ୍ଡବ ପରେ ବହୁ ହରିଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଉଠିଥିଲା। ସେ ସମୟରେ ରାଜ୍ୟ ସରକାର ବି ଏହି ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ। ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବାଲୁଖଣ୍ଡରେ କେତେ ହରିଣ ଅଛନ୍ତି ସେ ସଂପର୍କ‌ରେ ସୂଚନା ନ ଥିବା କହିଥିଲେ। ଏ‌ହାପରେ ଅନେକ ଥର ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ଗଣନା ପ୍ରସଙ୍ଗ ଉଠିଲାଣି। କିନ୍ତୁ ସମସ୍ତେ ଏ ଦିଗରେ ନିରବ। ପୁରୀ-ବାଲୁଖଣ୍ଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ବିବେକ କୁମାର କହିଛନ୍ତି, ମୌସୁମୀ ପୂର୍ବରୁ ଓ ମୌସୁମୀ ପରେ, ଏପରି ବର୍ଷକୁ ଦୁଇଥର ହରିଣ ଗଣନା ହେବାର ନିୟମ ରହିଛି। 

ପୁରୀ: ବାଲୁଖଣ୍ଡ ଅଭୟାରଣ୍ୟରେ ଚିତ୍ରା ହରିଣ ଶିକାର ବଢ଼ିବାରେ ଲାଗିଛି। କେତେବେଳେ ଜନବସତି ମୁହାଁ ହରିଣକୁ ଲୋକେ ମାରି ଖାଉଛନ୍ତି ତ’ କେତେବେଳେ କୁକୁର ଝୁଣି ଖାଉଛି। ବିଶେଷ କରି କୋଣାର୍କ ବନାଞ୍ଚଳର ଚିତ୍ରେଶ୍ବରୀ ବିଟ୍‌ ଅଞ୍ଚଳରେ ଶିକାର ବଢ଼ି ଚାଲିଛି। ପ୍ରକୃତିବନ୍ଧୁ ସରୋଜ କୁମାର ଜେନା କହିଛନ୍ତି, ବାଲୁଖଣ୍ଡର ପୂର୍ବ ସ୍ଥିତି ଏବେ ଆଉ ନାହିଁ। ପୂର୍ବର ସେ ଘଞ୍ଚ ଜଙ୍ଗଲ ନାହିଁ। ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ଅଧୀନ ବାଲୁଖଣ୍ଡ ବନାଞ୍ଚଳ ଓ କୋଣାର୍କ ବନାଞ୍ଚଳରେ ୩୫ଟି ବଡ଼ ପୋଖରୀ ଓ ପ୍ରାୟ ୧୫୦ଟି ଛୋଟ ଛୋଟ ଚୁଆ ରହିଛି। କିନ୍ତୁ ଏହା ଜାନୁଆରିରୁ ଜୁଲାଇ ପର୍ଯ୍ୟନ୍ତ ଶୁଖିଲା ପଡ଼ୁଛି। ଖାଦ୍ୟ ଓ ପାଣି ପାଇଁ ହରିଣମାନେ ଜନବସତି ମୁହାଁ ହୋଇ ମଣିଷ ଓ କୁକୁରଙ୍କ ଖାଦ୍ୟ ପାଲଟି ଯାଉଛନ୍ତି। ଦୁର୍ଘଟଣାରେ ଜୀବନ ଯାଉଛି। ୨୦୨୨-୨୩ ଓ ୨୦୨୩-୨୪ ବର୍ଷରେ ୨୦ରୁ ଅଧିକ ହରିଣଙ୍କ ଏଭଳି ମୃତ୍ୟୁ ହେଲାଣି ବୋଲି ସେ କହିଛନ୍ତି। ଶ୍ରୀ ଜେନା କହିଛନ୍ତି, ୨୦୨୩ ଜୁନ୍‌ ୭ରେ ଛେନୁଅରେ ହରିଣ ମାରି ମାଂସ କାଟୁଥିବାବେଳେ କିଛି ବ୍ୟକ୍ତି ବନ ବିଭାଗ ହାତରେ ଧରା ପଡ଼ିଥିଲେ। ସେହିପରି ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ ଏମାନଙ୍କ ବିପଦ ପାଲଟିଛି। ୨୦୨୩ ମସିହାରେ ଚନ୍ଦ୍ରଭାଗା ବେଳାଭୂମି, କାକଟପୁର-କୋଣାର୍କ ମୁଖ୍ୟରାସ୍ତା, କୋଣାର୍କ ଏନଏସି, ଲିଆଖିଆ ବ୍ରିଜ ନିକଟରୁ ୪ରୁ ଅଧିକ ହରିଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନେକ ସ୍ଥାନରୁ କେବଳ ମୁଣ୍ଡ ମିଳିଛି, ଗଣ୍ଡି ଉଭାନ ହୋଇଯାଇଛି। କୁକୁର କାମୁଡ଼ାରେ ୩ରୁ ଅଧିକ ହରିଣଙ୍କ ମୃତ୍ୟୁ ହୋଇଛି। ଉପଯୁକ୍ତ ସୁରକ୍ଷା କରାଯାଇଥିଲେ ପ୍ରକୃତିର ଏହି ବିରଳ ଜନ୍ତୁଙ୍କ ଏଭଳି ଦୁଃଖଦ ମୃତ୍ୟୁ ହୁଅନ୍ତାନି ବୋଲି ଶ୍ରୀ ଜେନା କହିଛନ୍ତି।