ବେଳେ ବେଳେ ଆମେ ରଖିଥିବା ଘରର ଅଳିଆକୁ ସଫେଇ କର୍ମଚାରୀ ସଂଗ୍ରହ ନକଲେ ଆମେ ତାହାକୁ ରାସ୍ତା କଡ଼ରେ କିମ୍ବା କୌଣସି ଖାଲି ସ୍ଥାନରେ ପକାଇ ଦେଇଥା’ନ୍ତି। ଘର ପରିଷ୍କାର ରହିଗଲା ବୋଲି ଆମେ ଆଶ୍ବସ୍ତ ହୋଇପାରନ୍ତି, ମାତ୍ର ଆମର ସେହି କାର୍ଯ୍ୟ ପରିବେଶ ପାଇଁ ଏକ ବିପଜ୍ଜନକ ସମସ୍ୟା ସୃଷ୍ଟି କରିଥାଏ। ଆମେ ଫିଙ୍ଗୁଥିବା ପ୍ଳାଷ୍ଟିକ୍ ମୁଣିଟିଏ ମାଟିରେ ପଚି ବିଘଟିତ ହେବାକୁ ୧୦ରୁ ୧,୦୦୦ ବର୍ଷ ଲାଗିପାରେ। ଷ୍ଟାଇରେଫୋମ୍ ପାନୀୟ କପ୍ ବିଘଟନ ପାଇଁ ୫୦୦ ବର୍ଷରୁ ଅଧିକ ବର୍ଷ ନେଇଥାଏ। କ୍ୟାଣ୍ଡି ରାପର୍ ପରି ଛୋଟ ଜିନିଷ ମଧ୍ୟ ଅନେକ ପିଢ଼ି ଯାଏ ରହିପାରେ। ଆମ ଦେଶରେ ଯେଉଁ ବାର୍ଷିକ ୬୨ନିୟୁତ ଟନ୍ରୁ ଅଧିକ ଆବର୍ଜ୍ଜନା ସୃଷ୍ଟି ହୁଏ, ତାହାର ସିଂହଭାଗ ଏପରି ଅପରିବର୍ତ୍ତିତ ଓ ଅପରିଚାଳିତ ହୋଇ ରାସ୍ତାକଡ଼ରେ ପଡ଼ିଥାଏ। ପରିବେଶ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ, ଭାରତରେ ୪୦ ପ୍ରତିଶତ ପ୍ଳାଷ୍ଟିକ୍ ଅଳିଆ ରାସ୍ତା ଓ ସାର୍ବଜନୀନ ସ୍ଥାନରେ ପଡ଼ିରହିଥାଏ।
ପ୍ଳାଷ୍ଟିକ୍ ଓ ମିଶ୍ରିତ ଅଳିଆ ପୋଡ଼ିବା ଦ୍ବାରା ଧୂଆଁରେ ଅନେକ ବିଷାକ୍ତ ବାଷ୍ପ ନିର୍ଗତ ହୋଇ ବାୟୁକୁ ପ୍ରଦୂଷିତ କରିଥାଏ, ଯାହା ଆଜ୍ମା, ବ୍ରୋଙ୍କାଇଟିସ୍ ଓ ଫୁସ୍ଫୁସ୍ କର୍କଟ ଭଳି ଶ୍ବାସକ୍ରିୟା ଜନିତ ରୋଗକୁ ତ୍ବରାନ୍ବିତ କରିଥାଏ।
ବର୍ଷାଦିନେ ରାସ୍ତାପାର୍ଶ୍ବର ଅଳିଆକୁ ବର୍ଷାପାଣି ବୋହିନେଇ ଡ୍ରେନ୍କୁ ଅବରୋଧ କରିଥାଏ। ଫଳରେ ସହରାଞ୍ଚଳରେ ଭୟଙ୍କର ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୁଏ। ୨୦୦୫ରେ ମୁମ୍ବାଇ ସହରରେ ଏହାର କୁପରିଣତି ଦେଖିବାକୁ ମିଳିଥିଲା, ଯେଉଁଠି ବନ୍ୟା ଯୋଗୁଁ ୧,୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଏଭଳି ଅସଂଗୃହୀତ ଅଳିଆ ମାଛି, ମଶା, ମୂଷା ଓ ବୁଲା ପଶୁମାନଙ୍କୁ ଆକର୍ଷିତ କରେ, ଯାହା ଡେଙ୍ଗୁ, ମ୍ୟାଲେରିଆ, କଲେରା ଓ ଟାଇଫଏଡ୍ ଭଳି ରୋଗର ପ୍ରମୁଖ ଇଲାକା ପାଲଟିଥାଏ। ଭୋକ ମେଣ୍ଟାଇବା ଲାଗି ବୁଲା ପଶୁମାନେ ପ୍ରାୟତଃ ପ୍ଳାଷ୍ଟିକ୍ ମୁଣି, ଖାଦ୍ୟ ପ୍ୟାକେଟ୍ ଓ ଦୂଷିତ ଅଳିଆ ଖାଇ ଦେଇଥା’ନ୍ତି। ସେଗୁଡ଼ିକ ସେମାନଙ୍କ ପାଇଁ ଯନ୍ତ୍ରଣାଦାୟକ ମୃତ୍ୟୁର କାରଣ ହୋଇଥାଏ। ସେହିପରି ପ୍ଳାଷ୍ଟିକ୍ ଓ ମିଶ୍ରିତ ଅଳିଆ ପୋଡ଼ିବା ଦ୍ବାରା ଧୂଆଁରେ ଅନେକ ବିଷାକ୍ତ ବାଷ୍ପ ନିର୍ଗତ ହୋଇ ବାୟୁକୁ ପ୍ରଦୂଷିତ କରିଥାଏ, ଯାହା ଆଜ୍ମା, ବ୍ରୋଙ୍କାଇଟିସ୍ ଓ ଫୁସ୍ଫୁସ୍ କର୍କଟ ଭଳି ଶ୍ବାସକ୍ରିୟା ଜନିତ ରୋଗକୁ ତ୍ବରାନ୍ବିତ କରିଥାଏ। ଭାରତରେ ଖରାପ ପୃଥୀକରଣ ଓ ଅସାବଧାନତାପୂର୍ଣ୍ଣ ବିପର୍ଯ୍ୟସ୍ତତା ଯୋଗୁଁ ବାର୍ଷିକ ୫୮ ଲକ୍ଷ ଟନ୍ରୁ ଅଧିକ ଅଳିଆ ପୋଡ଼ି ଦିଆଯାଉଛି।
ଏକ ଅନୁଧ୍ୟାନ ଅନୁଯାୟୀ, ୨୦୧୯ରେ ଭାରତରେ ବାୟୁ ପ୍ରଦୂଷଣ ଯୋଗୁଁ ୧୬.୭ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ସବୁଠୁ ଚିନ୍ତାଜନକ କଥା ହେଲା, ସାମୁଦ୍ରିକ ଖାଦ୍ୟ, ଲୁଣ ଓ ପାନୀୟ ଜଳ ପରି ଆମ ଖାଦ୍ୟ ଶୃଙ୍ଖଳାରେ ମାଇକ୍ରୋପ୍ଳାଷ୍ଟିକ୍ ଆମ ଶରୀରକୁ ଯାଇ ପ୍ରଦାହ, ହରମୋନ୍ ବିଭ୍ରାଟ ଓ ଦୀର୍ଘକାଳୀନ ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରୁଛି। ମୁମ୍ବାଇ ଆଇଆଇଟିର ଏକ ଆକଳନ ଅନୁଯାୟୀ, ପ୍ରତ୍ୟେକ ଭାରତୀୟ ବର୍ଷକୁ ପ୍ରାୟ ୧୧୭ ମାଇକ୍ରୋଗ୍ରାମ୍ ପ୍ଳାଷ୍ଟିକ୍ ଖାଉଛନ୍ତି। ତେଣୁ ଏଭଳି ଭୟଙ୍କର ବାସ୍ତବତାରେ ସୁଧାର ଆଣିବା ପାଇଁ ଆମକୁ ପ୍ରଥମରୁ ଅଳିଆ ପୃଥକୀକରଣ ସହ ଦାୟିତ୍ବପୂର୍ଣ୍ଣ ଭାବେ ତାହାକୁ ନଷ୍ଟ କରିବା ଏବଂ ପୁନଃଚକ୍ରୀକରଣ ପ୍ରୟାସକୁ ସମର୍ଥନ କରିବା ଓ ସାର୍ବଜନୀନ ସ୍ଥାନକୁ ଡଷ୍ଟବିନ୍ ପରି ବ୍ୟବହାର ନକରିବା ଆଦି ପଦକ୍ଷେପ ନେବାକୁ ହେବ।