ଫୁଲବାଣୀ/ଘୁ.ଉଦୟଗିରି: ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଏବେ ଉତ୍ତପ୍ତ ହେବା ଚିନ୍ତାଜନକ ପ୍ରସଙ୍ଗ। ଦିନ ଥିଲା ଦାରିଙ୍ଗବାଡ଼ିରେ ତୁଷାରପାତ ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ସହସ୍ରାଧିକ ପର୍ଯ୍ୟଟକ ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏଠାରେ ତୁଷାରପାତ ସ୍ବପ୍ନ ପାଲଟିଛି। କେବଳ ଦାରିଙ୍ଗବାଡ଼ି ନୁହେଁ, ପ୍ରାକୃତିକ ସବୁଜିମା ଓ ବଣପାହାଡ଼ ଘେରା କନ୍ଧମାଳ ଜିଲ୍ଲା ବି ଦିନକୁ ଦିନ ଉତ୍ତପ୍ତ ହେଉଛି। ଏଣୁ ଭବିଷ୍ୟତର ପିଢ଼ି ପାଇଁ ପରିବେଶର ସୁରକ୍ଷା ଏକ ଆହ୍ବାନ୍। ଏଥିପାଇଁ ଆମକୁ ଏବେଠାରୁ ହିଁ ସଚେତନ ହେବାକୁ ପଡ଼ିବ। ଆଜି ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଏହା କହିଛନ୍ତି। 

Advertisment

ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି, କନ୍ଧମାଳରେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଜଙ୍ଗଲରୁ ଶିଆଳି ଲଟା ବ୍ୟାପକ ଭାବେ କଟାଯାଉଛି। ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଶାଳଗଛରେ ନିୟମିତ ଫୁଲ ଧରୁନି। ବାଉଁଶ କରଡ଼ି ମଣିଷର ଖାଦ୍ୟ ପାଲଟିଥିବା ବେଳେ ବାଉଁଶ ଗଛ ବ୍ୟାପକ ଭାବେ ଧ୍ବଂସ ହେବାରେ ଲାଗିଛି। ଆଗରୁ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଯେଉଁଭଳି ଲଗାଣ ବର୍ଷା ହେଉଥିଲା, ସଂପ୍ରତି ସେଭଳି ବର୍ଷା ହେଉନି। ଏଣୁ ବ୍ୟାପକ ବୃକ୍ଷରୋପଣ ସହ ଜଙ୍ଗଲର ଘନତ୍ବ ବୃଦ୍ଧି ପାଇଁ ସାମୂହିକ ସଚେତନତା ନିତାନ୍ତ ଜରୁରି ବୋଲି ବିଧାୟକ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏହାସହ ‘ସମ୍ବାଦ’ର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି। 

ମୁଖ୍ୟବକ୍ତା ପରିବେଶବିତ୍ ଆମନ ଚନ୍ଦ୍ର ନାୟକ କହିଛନ୍ତି, ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗ ଆନ୍ତରିକତା ଦେଖାଇବା ଆବଶ୍ୟକ। ବର୍ତ୍ତମାନ ଜଙ୍ଗଲରୁ କାଠ କାଟି ଯେଭଳି ଭାବେ ଅଙ୍ଗାର ପ୍ରସ୍ତୁତ କରି ବିକ୍ରି କରାଯାଉଛି, ତା’ଉପରେ ରୋକ୍‌ ନ ଲାଗିଲେ ଆଗାମୀ ଦିନରେ ପରିବେଶ ପାଇଁ ବିପଦ ସୃଷ୍ଟି କରିବ ବୋଲି ଶ୍ରୀ ନାୟକ କହିଛନ୍ତି। ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଉପସଭାପତି ସାଧବାଣୀ ନାୟକ ଯୋଗ ଦେଇ ଜିଲ୍ଲାରେ ଜଙ୍ଗଲ ହ୍ରାସ ପାଉଥିବାରୁ ଚିନ୍ତା ବ୍ୟକ୍ତ କରିଥିଲେ। କେବଳ ସରକାର, ବନ ବିଭାଗ ଓ ପ୍ରଶାସନ ହାତରେ ଦାୟିତ୍ବ ନ ଛାଡ଼ି ପ୍ରତ୍ୟେକ ସାଧାରଣ ନାଗରିକ ବୃକ୍ଷରୋପଣ ପାଇଁ ଯତ୍ନବାନ ହେବାକୁ ପଡ଼ିବ ବୋଲି ଆହ୍ବାନ୍ ଦେଇଥିଲେ। ଅନ୍ୟତମ ଅତିଥି ଗଦଗୁଡ଼ା ସରପଞ୍ଚ ପୁଷ୍ପଲତା ପ୍ରଧାନ ବ୍ୟାପକ ବୃକ୍ଷରୋପଣର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।