‘ଅଂଶୁପା’ ଉପରେ ହେଉଛି ଅତ୍ୟାଚାର। ଦଳ ଓ ପଙ୍କରେ ପୋତି ହେବାରେ ଲାଗିଛି ଦେଶର ଦ୍ବିତୀୟ ବୃହତ୍ତମ ମଧୁର ଜଳ ହ୍ରଦ। ରାମ୍‌ସାରେ ସାମିଲ ଏହି ହ୍ରଦ ତାର ପୂର୍ବ ଗୌରବ ଫେରି ପାଇବାକୁ ସଂଘର୍ଷ କରୁଛି। ବିକାଶ ନାମରେ ଏଠି କେବଳ ନିର୍ମାଣ କାର୍ଯ୍ୟ ହେଉଛି। ପୁନରୁଦ୍ଧାର ପାଇଁ ଯୋଜନା ନଥିବାରୁ ଜୈବ ବିବିଧତା ନଷ୍ଟ ହେବାରେ ଲାଗିଛି। ବିଦେଶାଗତ ପକ୍ଷୀ ମୁହଁ ଫେରାଇ ନେଉଥିବା ‌ବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁନି ଅଂଶୁପା। ନିଜ ‌ସୌନ୍ଦର୍ଯ୍ୟ ପାଇଁ ଦିନେ ଗର୍ବ କରୁଥିବା ଅଂଶୁପା  ଏବେ ଭାଗ୍ୟକୁ ନିନ୍ଦି ଅଶ୍ରୁ ଝରାଉଛି।

Advertisment

ଆଉ ନାହିଁ ସେହି ବାଉଁଶ ବଣ
କୁହାଯାଏ ବାଉଁଶ ବଣରେ ଭରପୂର ଥିଲା ଅଂଶୁପା। ହେଲେ ଏବେ ମାତ୍ର ୭/୮ ବାଉଁଶ ବୁଦା ଦେଖିବାକୁ ମିଳୁଛି ଅଂଶୁପାରେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବାଉଁଶ ବଣ ଭିତରେ ଅଂଶୁପା ପ୍ରବାହିତ ହେଉଥିବାବେଳେ ସରଣ୍ଡା ପାହାଡ଼ରେ ଆମ୍ବ ଗଛ ଭର୍ତ୍ତି ରହିଥିଲା। କିନ୍ତୁ ବିକାଶ ନାଁରେ ସୌନ୍ଦ୍ୟର୍ଯ୍ୟୀକରଣ ପାଇଁ ବାଉଁଶ ସବୁ କଟାଯାଇ କଂକ୍ରିଟ୍‌ ପିଣ୍ଡି, ପାର୍କ, ୱାଚ୍‌ ଟାୱାର ଇତ୍ୟାଦି ତିଆରି ହୋଇଛି। ଅନେକ ବିରଳ ଲତା, ଗୁଳ୍ମ ଧୀରେ ଧୀରେ ବିଲୁପ୍ତ ହୋଇ ଚାଲିଛି।

ପଙ୍କରେ ପୋତି ହୋଇଗଲାଣି
ସିଡିଏ ପକ୍ଷରୁ ଚାଲିଥିବା ଏକ ସର୍ଭେରେ ଅଂଶୁପା ହ୍ରଦ ପାଖାପାଖି ୨୦ ଫୁଟ ପଙ୍କରେ ପୋତିହୋଇ ଯାଇଥିବା କୁହାଯାଉଛି। ମହାନଦୀରୁ ଜଳପ୍ରବାହ ବନ୍ଦ ପରେ ଏବେ କେବଳ ବର୍ଷା ଜଳ ଭରସାରେ ଅଂଶୁପା ରହିଛି। ପଙ୍କ ପୁନରୁଦ୍ଧାର କରାନଗଲେ ଆଗକୁ ଅଂଶୁପାର ଅସ୍ତିତ୍ବ ହଜିବା ସହ ଏହି ଅଞ୍ଚଳର ଜୈବ ବିବିଧତା ପ୍ରଭାବିତ ହେବ ଆଶଙ୍କା କରାଯାଉଛି। 

ହଜିଯାଉଛି ଦେଶର ଦ୍ବିତୀୟ ବୃହତ୍ ମଧୁରଜଳ ହ୍ରଦର ଜୈବ ବିବିଧତା

କଟକ: ‘ଅଂଶୁପା’ କେବଳ ଏକ ହ୍ରଦ ନୁହେଁ ଏହା ଅନେକ କିଂବଦନ୍ତିର ପ୍ରତୀକ। ଅନେକ ରୋଚକ ଇତିହାସର ମୂକସାକ୍ଷୀ। କଶ୍ମୀରର ଡାଲ୍ ହ୍ରଦ ପରେ ଦେଶର ଦ୍ବିତୀୟ ବୃ୍ହତ୍ତମ ମଧୁରଜଳ ଦ୍ରଦଭାବେ ଅଂଶୁପାକୁ ବିବେଚନା କରାଯାଏ। କିନ୍ତୁ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଂଶୁପା ଏବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପରିବର୍ତ୍ତେ ନିଜର ସ୍ଥିତି ପାଇଁ ସଂଘର୍ଷ କରୁଛି। ସରଣ୍ଡା ପାହାଡ଼ ଉପରୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଏହି ହ୍ରଦର ଶୋଭା ଏବେ ବି ଆକର୍ଷଣ ହୋଇ ରହିଛି। କିନ୍ତୁ ବିଭିନ୍ନ କାରଣରୁ ଏହି ଅଶ୍ବଖୁରାକୃତି ହ୍ରଦ ଶୁଖି ଚାଲିବା ଉଦ୍‌ବେଗର କାରଣ ହୋଇଛି।

କଟକ ଜିଲ୍ଲାର ବାଙ୍କୀରେ ରହିଛି ଏହି ହ୍ରଦ। ଅଂଶୁପା ହ୍ରଦର ବିକାଶ ପାଇଁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହୋଇଛି। କିନ୍ତୁ ଜଳଧାରଣ କ୍ଷମତା ବୃଦ୍ଧି ଦିଗରେ ଯୋଜନାବଦ୍ଧ ପଦକ୍ଷେପ ନିଆଯାଉ ନଥିବାରୁ ଅଂଶୁପା ତାର ପୂର୍ବ ଚମକ ଫେରି ପାଇବା ବଦଳରେ ଏକ ପରିତ୍ୟକ୍ତ ହ୍ରଦର ରୂପ ନେଉଛି। କେନ୍ଦ୍ର ସରକାର ବି ଅଂଶୁପା ହ୍ରଦକୁ ରାମ୍‌ସା ପ୍ରକଳ୍ପରେ ସାମିଲ କରିଛନ୍ତି। ଏହାର ପରିଚାଳନା ଦାୟିତ୍ବ ଚିଲିକା ଉନ୍ନୟନ ସଂସ୍ଥା(ସିଡିଏ) ହାତକୁ ନେଇଛି। ହେଲେ ପାର୍କ, ଦଳ ସଫେଇ, ୱାଚ୍‌ ଟାୱାର୍‌, କୋଠାବାଡ଼ି ନିର୍ମାଣରେ ଅଂଶୁପାର ବିକାଶ ସୀମିତ ରହିଛି। ଶୁଷ୍କ ଅଂଶୁପା କିଭଳି ସବୁବେଳେ ଜଳପୂର୍ଣ୍ଣ ରହିବ ସେନେଇ ଯୋଜନା କରାଯାଉନାହିଁ। ମହାନଦୀ ଶୁଖିଲା ପଡୁଥିବାରୁ ଅଂଶୁପାକୁ ପାଣି ପଶିପାରୁନି ବୋଲି କୁହାଯାଇ ଏହି ସମସ୍ୟାକୁ ଏକପ୍ରକାର ଅଣଦେଖା କରାଯାଉଛି। ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ସରଣ୍ଡା ପାହାଡ଼ ପାଦଦେଶରେ ରହିଥିବା ଅଂଶୁପା ହ୍ରଦର ଅବବାହିକା ପରିଧି ପ୍ରାୟ ୫ ହଜାର ୨୩୧ହେକ୍ଟର ଥିବା ବେଳେ ଜଳଧାରଣ କ୍ଷମତା ଥିଲା ୧୪୧ ହେକ୍ଟର। ଅଂଶୁପା ଅବବାହିକାରେ ୨୮ଟି ଗ୍ରାମ ରହିଛି। ଅଂଶୁପାର ପଶ୍ଚିମ ଦିଗରେ ସରଣ୍ଡା ପାହାଡ଼ ଓ ଉତ୍ତରପୂର୍ବ ଦିଗରେ ବିଷ୍ଣୁପୁର ପାହାଡ଼ ରହିଛି। ଏହି ହ୍ରଦ ସହ ମହାନଦୀକୁ ଦୁଇଟି ନାଳ; ଦକ୍ଷିଣରେ କାବୁଲା ନାଳ ଓ ଦକ୍ଷିଣପଶ୍ଚିମରେ ହୁଳୁହୁଳା ନାଳ ସଂଯୁକ୍ତ ଥିଲା। ଧୀରେ ଧୀରେ ତାହା  ମହାନଦୀରୁ ବିଚ୍ଛିନ୍ନ ହୋଇଯାଇଛି। କେବଳ ମହନଦୀରେ ବନ୍ୟା ଜଳ ପ୍ରବାହିତ ହେବା ସମୟରେ ଏହି ନାଳ ଦ୍ୱାରା ଅଂଶୁପାକୁ ପାଣି ଆସୁଛି। ଜଳଧାରଣ କ୍ଷମତା ପ୍ରତିବର୍ଷ ହ୍ରାସ ପାଉଛି। ଫଳରେ ଏହା ଉପରେ ନିର୍ଭରଶୀଳ ସୁବର୍ଣ୍ଣପୁର, କଦଳୀବାଡ଼ି, ଓସ୍ତିଆ, କନ୍ତପହଁରା ଆଦି ପଞ୍ଚାୟତର ମତ୍ସ୍ୟଜୀବୀମାନଙ୍କର ଜୀବନଜୀବିକା ସହ  ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରଭାବିତ ହେଉଛି।

dgddgd

କଣ କହୁଛି କିଂବଦନ୍ତି ?
ଗଙ୍ଗବଂଶର ରାଜୁତି ସମୟରେ ରାଜା ସୁବର୍ଣ୍ଣକେଶରୀ ଅଂଶୁପାର ଶୋଭାରେ ବିମୋହିତ ହୋଇ ସରଣ୍ଡା ପାହାଡ଼ ଓ ଅଂଶୁପା କୂଳରେ ସୁବର୍ଣ୍ଣପୁର ଗ୍ରାମ ପ୍ରତିଷ୍ଠା କରିଥିଲେ। ତେବେ ବାଙ୍କୀରେ ଧଳବଂଶ ରାଜୁତି ସମୟରେ ଅଂଶୁପାକୁ ଲାଗିଥିବା ସରଣ୍ଡା ପାହାଡ଼ ଉପରେ ସରଣ୍ଡାଗଡ଼ ପ୍ରତିଷ୍ଠା କରାଯାଇଥିବାର ଲୋକକଥା ରହିଛି। ଏହି ଗଡ଼ ପ୍ରତିଷ୍ଠା ପଛରେ ଶତ୍ରୁପକ୍ଷରୁ ନିଜକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ରହିଥିଲା। ଏବେ ମଧ୍ୟ ଉକ୍ତ ଗଡ଼ର ଧ୍ୱଂସାବଶେଷରେ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ବାରୁଦ ଗୃହ, ଭାଇ-ବୋହୂ କୂପ, ପ୍ରସ୍ତର ନିର୍ମିତ ପ୍ରବେଶ ଦ୍ୱାର ଇତ୍ୟାଦି ରହିଛି। ଏହି ପ୍ରବେଶ ଦ୍ୱାରରେ ଏକ ବିଶାଳ ତାମ୍ର ନିର୍ମିତ କବାଟ ଲଗାଯାଇଥିବା ଜଣାଯାଏ। ଯାହାର ଖୋଲିବା ଓ ବନ୍ଦ ହେବା ଶବ୍ଦରୁ ଅଞ୍ଚଳବାସୀ ରାଜାଙ୍କର ପ୍ରବେଶ ଓ ପ୍ରସ୍ଥାନ ସମ୍ପର୍କରେ ଜାଣିପାରୁଥିଲେ। ଏପରିକି କଥା ଅଛି ଯେ, ଏହି କବାଟ ଖୋଲିବାର ଶଦ୍ଦ ଏତେ ପ୍ରଚଣ୍ଡ ଥିଲା ଯେ, ଏହା ବୈଦେଶ୍ବର ଜମିଦାରଙ୍କ କୋଠା ପର୍ଯ୍ୟନ୍ତ ପହଞ୍ଚିପାରୁଥିଲା। କିନ୍ତୁ ଏବେ ଏହି ସରଣ୍ଡା ପାହାଡ଼ର ଐତିହାସିକ ସ୍ଥାନକୁ ଠିକ୍‌ରେ ସଂରକ୍ଷଣ କରାଯାଇପାରୁନି। ମୃତ୍ତିକା କ୍ଷୟ ପାହାଡ଼ ପାଇଁ ବିପଦ ସୃଷ୍ଟି କରୁଛି।

ବୋଟିଂ ବନ୍ଦ, ୱାଚ୍‌ ଟାୱାର ଦେଖି ଫେରୁଛନ୍ତି ପର୍ଯ୍ୟଟକ 
ଖାଲି ପାର୍କ, ଘାସ, ବିଭିନ୍ନ ପ୍ରକାର ସାଜସଜ୍ଜାରେ ସୀମିତ ରହିଛି ଅଂଶୁପା। କୃତ୍ରିମ ସାଜସଜ୍ଜା ଭିତରେ ହଜିଯାଇଛି ତାର ପ୍ରାକୃତିକ ବିବିଧତା। ଏବେ ଅଂଶୁପାରେ ଦଳ ଭର୍ତ୍ତି ଯୋଗୁଁ  ବୋଟିଂ ବି ବନ୍ଦ ରହିଛି। କେବଳ ୱାଚ୍‌ ଟାୱାର ଓ ସରଣ୍ଡାର ଐତିହାସିକ କୀର୍ତ୍ତି ଦେଖି ପର୍ଯ୍ୟଟକ ଫେରୁଛନ୍ତି।
ମୁହଁ ମୋଡ଼ିଲେଣି ବିଦେଶାଗତ ପକ୍ଷୀ
ପୂର୍ବରୁ ୭୨ ପ୍ରକାର ବିଦେଶୀ ପକ୍ଷୀ ଅଂଶୁପାକୁ ଆସୁଥିଲେ। ଏବେ କିନ୍ତୁ ଏହି ସଂଖ୍ୟା ୧୦ ଭିତରେ ସୀମିତ। କିନ୍ତୁ ଏହାକୁ ଲାଗିଥିବା ପାଟ ଯଥା ଅରାଚଣ୍ଡି ପାଟ, କନ୍ତପହଁରା ବଡ଼ପାଟ, ଓସ୍ତିଆ ପାଟ, କଜଳ ପାଟ, ବ୍ରହ୍ମପୁରା ପାଟ ଭଳି ଅନେକ ଛୋଟ ଛୋଟ ପାଟକୁ ପକ୍ଷୀ ଆସୁଥିବା ବେଳେ ଅଂଶୁପାରେ ପକ୍ଷୀ ସଂଖ୍ୟା ହ୍ରାସ ପାଇଚାଲିଛି। ଅଂଶୁପା ପାଣି ଦୂଷିତ ହୋଇଥିବାରୁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଉଥିବା କୁହାଯାଉଛି।