ରାଜ୍ୟର ପ୍ରମୁଖ ଅଭୟାରଣ୍ୟ ମଧ୍ୟରେ ରହିଛି ଡେବ୍ରିଗଡ଼ ଅଭୟାରଣ୍ୟ। ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଆକର୍ଷଣର ଏକ ପ୍ରମୁଖ ସ୍ଥାନ। ଅଭୟାରଣ୍ୟକୁ ଲାଗି ରହିଥିବା ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶି ସୌନ୍ଦର୍ଯ୍ୟ ପିପାସୁଙ୍କ ମନ କି‌ଣି ନେଇଥାଏ। ଗତ ଆର୍ଥିକ ବର୍ଷ ଏପ୍ରିଲ ୨୦୨୩ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ରାଜ୍ୟ ତଥା ଦେଶ ବିଦେଶରୁ ବହୁ ସଂଖ୍ୟାରେ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ଆଗମନ ଯୋଗୁ ଡେବ୍ରିଗଡ଼କୁ ମିଳିଥିଲା ରାଜ୍ୟର ସର୍ବାଧିକ ୩.୫ କୋଟି ରାଜସ୍ବ। ସମଗ୍ର ଅଭୟାରଣ୍ୟ ଅଞ୍ଚଳକୁ ପ୍ଲା‌ଷ୍ଟିକମୁକ୍ତ କରିବା ପାଇଁ ବଡ଼ ପ୍ରୟାସ କରାଯାଇଛି। ୨୦୧୮ ମସିହାରେ ଡେବ୍ରିଗଡ଼ ଟାଇଗର ରିଜର୍ଭ (ବ୍ୟାଘ୍ର ସଂରକ୍ଷଣାଞ୍ଚଳ) ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ମଞ୍ଜୁରି ପାଇବାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ନିକଟରେ ଏନ୍‌ଟିସିଏ ଏହି ପ୍ରକଳ୍ପକୁ ଅନୁମୋଦନ କରିଥିବାବେଳେ ଓଡ଼ିଶା ସରକାର ଡେବ୍ରିଗଡ଼ ବ୍ୟାଘ୍ର ଅଭୟାରଣ୍ୟ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବା ବାକି ରହିଛି। ଡେବ୍ରିଗଡ଼ ଅଭୟାରଣ୍ୟ, ବୁଢ଼ାରଜା-ସରାଇଦମକ ସଂରକ୍ଷିତ ଜଙ୍ଗଲ ଓ ଦେଚୁଆଁ ସଂରକ୍ଷିତ ଜଙ୍ଗଲକୁ ନେଇ (୮୦୪ ବର୍ଗ କିଲୋମିଟର) ଡେବ୍ରିଗଡ଼ ଟାଇଗର ରିଜର୍ଭ ଗଠନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅନ୍ୟ ରାଜ୍ୟରୁ ଏଠାକୁ ୩ ମହାବଳ ବାଘ ଆଣିବା ପାଇଁ ସରକାରଙ୍କଠାରୁ ସବୁଜ ସଂକେତ ମିଳିସାରିଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ଏଠାକୁ ମହାବଳ ଆସିଲେ ଡେବ୍ରିଗଡ଼ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଭାବେ ଦେଶର ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ସହିତ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ଆହୁରି ବଢ଼ିବ। ଏହାଦ୍ବାରା ଉଭୟ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପରିବହନ ଓ ହୋଟେଲ ଶିଳ୍ପ ବଢ଼ିବା ସାଙ୍ଗକୁ ପରୋକ୍ଷରେ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ଏନ୍‌ଟିସିଏ ଦ୍ବାରା ପାଣ୍ଠି ବିନିଯୋଗ କରି ସ୍ଥାନୀୟ ଯୁବକଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ନିଯୁକ୍ତି ଦିଆଯାଇପାରିବ। ୨୦୨୩ ଗଣନା ଅନୁସାରେ ଡେବ୍ରିଗଡ଼ ଅଭୟାରଣ୍ୟରେ ଗୋଟିଏ ମହାବଳ, ୮୨ଟି କଲରାପତରିଆ ସହିତ ପ୍ରତ୍ୟେକ ବର୍ଗକିଲୋମିଟର ଅଞ୍ଚଳରେ ୪୬ଟି ବନ୍ୟପ୍ରାଣୀ ବସବାସ କରୁଥିବା ଜଣାପଡ଼ିଥିଲା। ଏହାଛଡ଼ା ହରିଣ, ସମ୍ବର, ବାର୍‌ହା, ଗୟଳ, ନୀଳଗାଈ, ଚିତ୍ତଲ,‌ ଭାଲୁ ଆଦି ବନ୍ୟପ୍ରାଣୀଙ୍କ ସଂଖ୍ୟା ବହୁତ ବେଶି ରହିଛି। ନିକଟରେ ବିରଳ ପ୍ରଜାତିର ବଳିଆ କୁକୁର ବି ଦୃଶ୍ୟମାନ ହୋଇଥିଲା। ଏହାମଧ୍ୟରେ ସମ୍ବଲପୁର ଚିଡ଼ିଆଖାନାରୁ ୧୧୫ଟି ଚିତ୍ତଲ ଡେବ୍ରିଗଡ଼ ଅଭୟାରଣ୍ୟ‌ରେ ଛଡ଼ାଯାଇଛି।

Advertisment

ଦୁର୍ଗମ ଜଙ୍ଗଲରେ ଜନବସତି 
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ଦେଚୁଆଁ ଗାଁ। ଡେବ୍ରିଗଡ଼ ଅଭୟାରଣ୍ୟ ସଂଲଗ୍ନ ଏହି ଗାଁଟି ଅତିଦୁର୍ଗମ ଅଞ୍ଚଳରେ ରହିଛି। ଘାଟି ରାସ୍ତା ଓ ଅଭେଦ୍ୟ ଜଙ୍ଗଲ ଭିତରେ ରହିଛି ୬୭ ପରିବାରର ଏହି ଜନବସତି। ଜନସଂଖ୍ୟା ପାଖାପାଖି ତିନି ଶହ। ଅନ୍ୟ ଏକ ଜଙ୍ଗଲ ଗାଁ ହେଉଛି ମୁଣ୍ଡକଟି। ଅଭୟାରଣ୍ୟ ସଂଲଗ୍ନ ଏହି ଦୁଇ ଗାଁକୁ ବିସ୍ଥାପନ କରାଯିବାର ଆବଶ୍ୟକତା ରହିଛି। କିନ୍ତୁ ସେମାନଙ୍କର ବିଧିବଦ୍ଧ ବିସ୍ଥାପନ ବ୍ୟବସ୍ଥା ହେଇନାହିଁ। ସରକାର ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବି ଦେଇନାହାନ୍ତି। ଫଳରେ ସେମାନେ ବିଭିନ୍ନ ସୁବିଧାରୁ ବଞ୍ଚିତ। ପ୍ରତିଦିନ ଏଠାକୁ ବନ୍ୟପ୍ରାଣୀ ଆସି ଫସଲ ନଷ୍ଟକରି ଚାଲିଛନ୍ତି। କିନ୍ତୁ ପଟ୍ଟା ନଥିବାରୁ ସେମାନଙ୍କୁ କ୍ଷତିପୂରଣ ମିଳୁନାହିଁ। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିସ୍ଥାପିତ କରାଯାଉନାହିଁ। ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଜଂଗଲୀ ଗାଁଗୁଡ଼ିକୁ ଠିକଣା ସମୟ ପୂର୍ବରୁ ବିସ୍ଥାପନ ସହ ବନ ବିଭାଗ ନିଜ କର୍ମଚାରୀ ସଂଖ୍ୟା ବଢ଼ାଇବା ନିତାନ୍ତ ଜରୁରି।

ଶିକାରୀ ଫାନ୍ଦରେ ବନ୍ୟପ୍ରାଣୀ
୨୦୧୮ ମସିହାରେ ଡେବ୍ରିଗଡ଼ରେ ଦେଖାଦେଇଥିବା ପ୍ରଥମ ମହାବଳକୁ ଫାନ୍ଦରେ ଫସାଇ ହତ୍ୟା କରାଯାଇଥିଲା। ଅଭୟାରଣ୍ୟ ସଂଲଗ୍ନ ଖଜୁରିଆ ଗାଁରେ ଶିକାରୀମାନେ ବାର୍‌ହା ଶିକାର ପାଇଁ ଫାଶ ଲଗାଇଥିଲେ। ହେଲେ ସେଥିରେ ଫସିଗଲା ଏକମାତ୍ର ମହାବଳ ବାଘ। ଯାହାକୁ ସେମାନେ ହତ୍ୟା କରି ନଖ, ଦାନ୍ତ କାଢ଼ି ନେଇଥିଲେ। ମୃତଦେହକୁ ପୋଡ଼ି ପୋତି ପକାଇଥିଲେ। ପରେ ଡେବ୍ରିଗଡ଼ ଅଭୟାରଣ୍ୟରେ ଦ୍ବିତୀୟ ଥର ପାଇଁ ମହାବଳ ବାଘର ଉପସ୍ଥିତି ବନ୍ୟପ୍ରାଣୀ ପ୍ରେମୀ ଏବଂ ପରିବେଶବିତ୍‌ଙ୍କୁ ଆମୋଦିତ କରିଥିଲା। ପର୍ଯ୍ୟଟକମାନେ ଜଂଗଲ ବୁଲିବା ସମୟରେ ୩ରୁ ଅଧିକ ଥର ମହାବଳକୁ ଭେଟିଛନ୍ତି। ହେଲେ ସେହି ମହାବଳ ବାଘ ଅନେକ ମାସ ହେଲା ଆଉ ଦେଖାଯାଉନାହିଁ। ଏହି ମହାବଳକୁ ବି ଶିକାରୀମାନେ ଶିକାର କରିଥିବା ଲୋକେ କହୁଥିବା ବେଳେ ବନ ବିଭାଗ କିନ୍ତୁ ଛତିଶଗଡ଼ର ଯେଉଁ ଅଞ୍ଚଳରୁ ବାଘ ଆସିଥିଲା, ସେଠାକୁ ପୁଣି ଚାଲି ଯାଇଥିବା କହୁଛି। ଉଲ୍ଲେଖଯୋଗ୍ୟ, ଫସଲ ଅମଳ ସମୟରେ ବାର୍‌ହା ପଲ ‌କ୍ଷେତକୁ ପଶି ଆସିଥାନ୍ତି। ଏହାର ସୁଯୋଗ ନେଇ ବାର୍‌ହା ଶିକାର ପାଇଁ ଶିକାରୀ ଫାନ୍ଦ ବସାଉଛନ୍ତି। ଏହି ଫାନ୍ଦରେ ଫସି ମହାବଳର ଜୀବନ ଯାଇଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

hsffhssfhfh

ମାତିଛନ୍ତି ଛତିଶଗଡ଼ୀ ଶିକାରୀ 
୧୯୮୫ ମସିହାରେ ଡେବ୍ରିଗଡ଼କୁ ଅଭୟାରଣ୍ୟ ମାନ୍ୟତା ମିଳିଥିଲା। ଡେବ୍ରିଗଡ଼ ଅଭୟାରଣ୍ୟ ୩୫୩.୮୧ ବର୍ଗ କିଲୋମିଟର୍‌ ପର୍ଯ୍ୟନ୍ତ ବ୍ୟାପିଛି। ନିକଟସ୍ଥ ଦେଚୁଆଁ ସଂରକ୍ଷିତ ଜଙ୍ଗଲ ରହିଛି। ଅଭୟାରଣ୍ୟ ଭିତରେ ବାସ କରୁଥିବା ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। କିନ୍ତୁ ଏଠାରେ ସୁରକ୍ଷା ବ୍ୟବସ୍ଥା ଆଖିଦୃଶିଆ ହୋଇନାହିଁ। ଫଳରେ ମାଫିଆମାନେ ଅବାଧରେ ବନ୍ୟପ୍ରାଣୀ ଶିକାର ଚଳାଇଛନ୍ତି। ଶିକାର ପରେ ସେମାନେ ବନ୍ୟପ୍ରାଣୀଙ୍କ ମୂଲ୍ୟବାନ ଅଙ୍ଗପ୍ରତ୍ୟଙ୍ଗକୁ ଗଚ୍ଛିତ ରଖୁଛନ୍ତି। ସୁବିଧା ସୁଯୋଗ ଦେଖି ଏଗୁଡ଼ିକୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ଛତିଶଗଡ଼ୀ ମାଫିଆଙ୍କୁ ସ୍ଥାନୀୟ କିଛି ଶିକାରୀ ସହାୟତା କରୁଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ସ୍ଥାନୀୟ ଶିକାରୀଙ୍କୁ କିଛି ପ୍ରାପ୍ୟ ଦେଇ ମାଫିଆମାନେ ଲକ୍ଷାଧିକ ଟଙ୍କାରେ ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରୁଛନ୍ତି।

ଗୋଟିଏ ପଟେ ଜଳଭଣ୍ଡାର ଅନ୍ୟପଟେ ଜଳାଭାବ
ଡେବ୍ରିଗଡ଼ ଅଭୟାରଣ୍ୟର ସମ୍ବଲପୁର ଜିଲ୍ଲା ଅଞ୍ଚଳକୁ ଘେରି ରହିଛି ବିଶାଳ ହୀରାକୁଦ ଜଳଭଣ୍ଡାର। ହେଲେ ଅଭୟ‌ାରଣ୍ୟର ବରଗଡ଼ ଜିଲ୍ଲା ପାର୍ଶ୍ବରେ ବନ୍ୟପ୍ରାଣୀ ଗ୍ରୀଷ୍ମଦିନେ ପିଇବା ପାଣି ପାଇଁ ଡହଳବିକଳ ହୋଇଥାନ୍ତି। ପାଣିପାଗରେ ପରିବର୍ତ୍ତନ ଯୋଗୁ ଟାଣଖରା ଏବଂ ପ୍ରବଳ ଗୁଳୁଗୁଳି ସ୍ବାଭାବିକ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ସହର ଓ ଗ୍ରାମାଞ୍ଚଳବାସୀ ଗରମରେ ଛଟପଟ ହେଉଛନ୍ତି। ଜଙ୍ଗଲଗୁଡ଼ିକରେ ପ୍ରାକୃତିକ ଜଳସ୍ରୋତ ଧୀରେ ଧୀରେ ଶୁଖିଯାଉଥିବା ବେଳେ ଗ୍ରୀଷ୍ମଦିନେ ଜଳାଶୟଗୁଡ଼ିକ ସମ୍ପୂର୍ଣ୍ଣ ଶୁଖିଯାଇଥାଏ। ଡେବ୍ରିଗଡ଼ ଅଭୟାରଣ୍ୟରେ ପ୍ରାୟ ୩୦ରୁ ଅଧିକ ଛୋଟବଡ଼ ଝରଣା ରହିଛି। ଆଗରୁ ଜୁନ୍‌ ମାସରୁ ସବୁ ଝରଣା ସକ୍ରିୟ ଥାଏ। ପାହାଡ଼ ଉପରୁ ଝରି ଆସୁଥିବା ପାଣି ଦ୍ବାରା ଏହା ଋତୁକାଳୀନ ଝରଣା ସୃଷ୍ଟି କରିଥାଏ। କିନ୍ତୁ ମାର୍ଚ୍ଚ ଅଧାରୁ ପ୍ରାକୃତିକ ଜଳସ୍ରୋତଗୁଡ଼ିକ ଶୁଖିଲା ରହୁଥିବା ପରିଲକ୍ଷିତ ହେଉଛି। ପାଣି ଅଭାବ ଯୋଗୁଁ ଡେବ୍ରିଗଡ଼ରେ ବନ୍ୟଜୀବନ ଏକପ୍ରକାର ଅସନ୍ତୁଳିତ ହେବାରେ ଲାଗିଛି। ବନ୍ୟପ୍ରାଣୀଙ୍କ ପିଇବା ପାଣି ପାଇଁ ଏଠାରେ ପର୍ଯ୍ୟାପ୍ତ ଜଳାଶୟର ବ୍ୟବସ୍ଥା କରାଯିବ‌ାର ଆବଶ୍ୟକତା ରହିଛି।