ରାଉରକେଲା: ପରିବେଶ ପ୍ରଦୂଷଣ ଏବେ ସାରା ବିଶ୍ବ ପାଇଁ ବଡ଼ ସମସ୍ୟା ପାଲଟିଛି। ପିଲାବେଳେ ଆମେ ଯେଉଁ ପରିବେଶରେ ଜୀବନ ଅତିବାହିତ କରୁଥିଲୁ, ତା’ହା ଏବେ ଆଉ ନାହିଁ। ଅବାଧ ଗଛକଟା, କଳକାରଖାନା ଓ ଯାନବାହନରୁ ନିର୍ଗତ ଧୂଆଁ, ଦିନରାତି ବିକଟାଳ ଶବ୍ଦ ପରିବେଶକୁ ପ୍ରଦୂଷିତ କରୁଛି। କଳକାରଖାନା ନାଁରେ ଅବାଧ ଗଛ କଟାଯାଉଛି। ଯେତିକି ଗଛ କଟାଯାଉଛି, ସେତିକି ଲଗାଯାଉ ନାହିଁ। ବିକାଶ ନାଁରେ ବିନାଶ ହେଉଛି ବୋଲି କହିଛନ୍ତି ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କି। 

Advertisment

‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ବୀରମିତ୍ରପୁର ନିର୍ବାଚନମଣ୍ଡଳୀର କୁମ୍‌ଝରିଆ ପଞ୍ଚାୟତ ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ତିର୍କି ସୁନ୍ଦରଗଡ଼ରେ ପ୍ରଦୂଷଣ ମାତ୍ରାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ହସ୍ତକ୍ଷେପ ଲୋଡ଼ିଛନ୍ତି। ପୂର୍ବରୁ ସହରରେ ରହୁଥିଲି, ଏବେ ଗାଁରେ ରହୁଛି। ସହରଠୁ ଗାଁ ପରିବେଶ ବହୁତ ସୁନ୍ଦର। ସହରବାସୀଙ୍କ ଅପେକ୍ଷା ଗ୍ରାମବାସୀ ପରିବେଶ ପ୍ରତି ଅଧିକ ସଚେତନ ହେଲେଣି। ବର୍ତ୍ତମାନ ସମୟରେ ‘ସମ୍ବାଦ’ର ଏହି ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହି ଅଭିଯାନରେ ସାମିଲ ହେବି। ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲି। ଆଗାମୀ ଦିନରେ ବିଧାନସଭାରେ ମଧ୍ୟ ପ୍ରଦୂଷଣ ସମସ୍ୟାକୁ ଉଠାଇବି ବୋଲି ବିଧାୟକ କହିଥିଲେ। ଆଗାମୀ ଦିନରେ ସୁନ୍ଦର ପରିବେଶଟିଏ ଗଢ଼ି ତୋଳିବାକୁ ଆଜିର ଏହି ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ସମସ୍ତେ ସଂକଳ୍ପ ନେବା ଦରକାର ବୋଲି ସେ କହିଥିଲେ। ବୀରମିତ୍ରପୁର ସାମାଜିକ କର୍ମୀ ଜଗଦୀଶ ଅଗ୍ରୱାଲ ବକ୍ତା ଭାବେ ଯୋଗଦେଇ କହିଥିଲେ, ପ୍ରଦୂଷଣ ଯୋଗୁ ଆମେ ନାନାଦି ରୋଗରେ ଶିକାର ହେଉଛୁ। ବିଧାନସଭାରେ ଆଲୋଚନା କରି ପ୍ରଦୂଷଣକୁ କିପରି ରୋକାଯାଇ ପାରିବ ବିକଳ୍ପ ବ୍ୟବସ୍ଥା ଏବେଠୁ ହେବା ଦରକାର। ସରକାର ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନିଅନ୍ତୁ। ‘ସମ୍ବାଦ’ର ଏହି ଅଭିଯାନକୁ ଆଗାମୀ ଦିନରେ ‌କିପରି ଜନଆନ୍ଦୋଳନରେ ପରିଣତ କରିବାକୁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି କହିଥିଲେ। ଅନ୍ୟତମ ବକ୍ତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ତ୍ରିପାଠୀ  କହିଛନ୍ତି, ଆମେ ବାପା-ମା’ଙ୍କୁ ସବୁଠୁ ଅଧିକ ଭଲପାଉ। ଏହି ବାପା-ମା’ ଭିତରେ ପରିବେଶ ଲୁଚି ରହିଛି।

‘ବା’ ଅର୍ଥ ବାୟୁ, ‘ପା’ ଅର୍ଥ ପାଣି ‘ଓ’ର ଅର୍ଥ ଉତ୍ତାପ, ‘ମା’ ଅର୍ଥ ମାଟି , ‘ଆ’ ଅର୍ଥ ଆକାଶ। ଏହି ୫ଟି ତତ୍ତ୍ବରେ ଆମ ଶରୀର ଗଢ଼ା। ଯଦି ପାଞ୍ଚଟି ତତ୍ତ୍ବ ଠିକ୍‌ ନ ରହିଲେ ଆମ ଶରୀର ଠିକ୍‌ ରହିବ ନାହିଁ।  ଅତିଥି ଭାବେ ବୀରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କି ଯୋଗଦେଇ କହିଥିଲେ ପ୍ରଦୂଷିତ ପରିବେଶ ଆମ ସମାଜ ପାଇଁ ବଡ଼ କ୍ଷତିକାରକ। ଖଣିଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଦୂଷଣ ଗ୍ରାସି ସାରିଲାଣି। ଦୈନନ୍ଦିନ ଖାଦ୍ୟରେ ବ୍ୟବହାର କରୁଥିବା ପନିପରିବା ବିଷ ହୋଇଗଲାଣି। ଜଳ, ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବା ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ବିଭାଗର କାମ। ସ୍ବଚ୍ଛ ପରିବେଶ ପାଇଁ ପ୍ରତ୍ୟେକ ପରିବାର ୫ଟି ଲେଖାଏଁ ଚାରାରୋପଣ ସହ ତା’ର ଯତ୍ନ ନେବା ଦରକାର ବୋଲି କହିଥିଲେ। କୁଆରମୁଣ୍ଡା ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ସୁନୀତା ଅହିର, କୁମ୍‌ଝରିଆ ସରପଞ୍ଚ ବାତିଆ ଲାକ୍ରା ଘରୁ ଓ ଗାଁରୁ ପରିବେଶ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହେବା ଦରକାର ବୋଲି କହିଥିଲେ।