ବ୍ରହ୍ମପୁର/ପୁରୁଷୋତ୍ତମପୁର: ସୁସ୍ଥ ଓ ସ୍ବଚ୍ଛ ପରିବେଶ ପାଇଁ ସମସ୍ତେ ଚିନ୍ତା ପ୍ରକଟ କରୁଛନ୍ତି। କିନ୍ତୁ ପରିବେଶର ସୁରକ୍ଷା ଦାୟିତ୍ବ କିଏ ନେବ, ସେ ଦିଗରେ କାହାର ଧ୍ୟାନ ନାହିଁ। ପ୍ରଥମେ ଆମେ ନିଜେ ସଚେତନ ହେବା ଓ ଅନ୍ୟମାନଙ୍କୁ ସଚେତନ କରିବା। ତା’ହେଲେ ଯାଇ ଏକ ସବୁଜ ସୁନ୍ଦର ପରିବେଶ ଗଠନ ହୋଇପାରିବ। କିଛି ନହେଲେ ମଧ୍ୟ ଅନ୍ତତଃ ବୃକ୍ଷରୋପଣକୁ ଗୁରୁତ୍ବ ଦେବା। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅଧୀନରେ ରହିଥିବା ଜଳାଶୟଗୁଡ଼ିକର ସୁରକ୍ଷା ଏବଂ ଗଞ୍ଜାମର ଜୀବନରେଖା ଋଷିକୁଲ୍ୟା ନଦୀଜଳ ସଂରକ୍ଷଣ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମ ଲୋଡ଼ା। ଗଛ ଓ ପାଣି ସୁରକ୍ଷିତ ରହିଲେ ଅଧା ସମସ୍ୟା ଦୂର ହୋଇଯିବ ବୋଲି ଆଜି ‘ସମ୍ବାଦ’ ତରଫରୁ ଆୟୋଜିତ ପରିବେଶ ପଞ୍ଚାୟତ ସଭାରେ ମତପ୍ରକାଶ ପାଇଛି।

Advertisment

ବୁଧବାର ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ପୁରୁଷୋତ୍ତମପୁରସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ପ୍ରାଙ୍ଗଣରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି କହିଥିଲେ। ଏବେ ପାଣିର ଅଭାବ ଯୋଗୁଁ ଚାଷୀଙ୍କୁ ଚାଷ କାର୍ଯ୍ୟରେ ନାନା ଅସୁବିଧା ହେଉଛି। ଏଣୁ ଜଳ ସଂରକ୍ଷଣକୁ ସମସ୍ତେ ପ୍ରାଥମିକତା ଦେବା। ଅଯଥାରେ ପାଣିର ଅପଚୟ କରିବା ନାହିଁ। ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ନଦୀରେ ୭/୮ ମାସ ପାଣି ରହୁଛି। ସେହି ପାଣି ଶେଷରେ ସମୁଦ୍ରକୁ ବହିଯାଇ ନଷ୍ଟ ହେଉଛି। ଏଣୁ ଋଷିକୁଲ୍ୟାର ପାଣି କିପରି ସଂରକ୍ଷଣ କରାଯିବ ସେ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଧାୟକ କହିଥିଲେ। ନଦୀର ବିଭିନ୍ନ ସ୍ଥାନରେ ଆନିକଟ ଓ ଚେକ୍‌ଡ୍ୟାମ୍‌ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସେହିପରି ପୁରୁଷୋତ୍ତମପୁର ଅଞ୍ଚଳରେ ରହିଥିବା କାଠୁଆଳ ନାଳ ସହିତ ଅନ୍ୟ ନାଳର ପୁନରୁଦ୍ଧାର ଦିଗରେ ଦୃଷ୍ଟି ଦିଆଯିବ। ଏ ଦିଗରେ ରାଜ୍ୟ ସରକାର ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାୟକ କହିଥିଲେ।  

ପରିବେଶ ପାଇଁ ପଲିଥିନ୍‌ ଏବେ ବିପଦ ସାଜିଛି। ସରକାରୀସ୍ତରରେ ପଲିଥିନ୍‌କୁ ବ୍ୟାନ୍‌ କରାଯାଇଛି। କିନ୍ତୁ ଆମେ ପଲିଥିନ୍‌ ବ୍ୟବହାର ଛାଡ଼ିବାକୁ ନାରାଜ। ଆମେ ଯଦି ପଲିଥିନ୍‌ ବର୍ଜନ କରିବା ତେବେ ଧୀରେ ଧୀରେ ପଲିଥିନ୍‌ ତିଆରି କରୁଥିବା କମ୍ପାନି ବନ୍ଦ ହୋଇଯିବ। ପଲିଥିନ୍‌ ମାଟିରେ ମିଶିପାରୁନାହିଁ। ଫଳରେ ମାଟିତଳକୁ ପାଣି ଯାଇ ପାରୁନାହିଁ। ସେହିପରି ଗାଈଗୋରୁ ପଲିଥିନ୍‌ ଖାଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏଣୁ ପଲିଥିନ୍‌କୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ସମସ୍ତେ ଶପଥ ନେବା ବୋଲି ବିଧାୟକ କହିଥିଲେ। ମାଟିର ଉର୍ବରତା ବଜାୟ ରଖିବାକୁ ଚାଷୀମାନେ ମଧ୍ୟ ନିଜ ନିଜର ଜମିରେ ଜୈବିକ ସାର ବ୍ୟବହାର କରିବାକୁ ବିଧାୟକ ଆହ୍ବାନ ଦେଇଥିଲେ।  ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପରିବେଶବିତ ପ୍ରଫୁଲ୍ଲ କୁମାର ରଥ କହିଥିଲେ, ଦିନକୁ ଦିନ ବ୍ୟାପକ ଜଙ୍ଗଲ କ୍ଷୟ ହେଉଛି। ବିକାଶ ନାଁରେ ଗଛକାଟି କଂକ୍ରିଟ୍‌ ଘର, ରାସ୍ତା ତିଆରି ହେଉଛି। ଆମେ ନିଜ ସୁବିଧାକୁ ସବୁବେଳେ ଦେଖି ଆସୁଛୁ। କିନ୍ତୁ ପରିବେଶ କଥା ଚିନ୍ତା କରୁନାହୁଁ। ଯାହାକି ଭବିଷ୍ୟତରେ ଆମ ପାଇଁ ଏକ ବଡ଼ ବିପଦ ଆଣିବ। ଜଙ୍ଗଲ କ୍ଷୟ ଯୋଗୁଁ ଏବେ ପଶୁପକ୍ଷୀ ସହରମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଏଣୁ ଆମେ ଯେତିକି ଗଛ କାଟୁଛେ, ଅନ୍ତତଃ ସେତିକି ଗଛ ଲଗାଇ ତା’ର ଯତ୍ନ ନେଲେ ସମସ୍ୟା କିଛିଟା ସମାଧାନ ହୋଇଯିବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ କହିଲେ, ଆଜିର କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଦିଗରେ ସଚେତନତା ବାର୍ତ୍ତା ଦେଇଛି। ଆମେ ଆଜିଠାରୁ ପରିବେଶ ସୁରକ୍ଷା ଦିଗରେ ନିଜ ନିଜ ସ୍ତରରେ ଉଦ୍ୟମ କରିବା। ବର୍ତ୍ତମାନ ଯେଭଳି ଭାବେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି, ତାହା ଚିନ୍ତାର ବିଷୟ ହୋଇଛି। ଦିନକୁ ଦିନ ଯାନବାହନ ସଂଖ୍ୟା ବଢ଼ିବାରେ ଲାଗିଛି। ଗାଡ଼ିରୁ ନିର୍ଗତ ବିଷାକ୍ତ ଧୂଆଁ ‌ଯୋଗୁଁ ଲୋକେ ବିଭିନ୍ନପ୍ରକାର ଶ୍ବାସରୋଗରେ ପଡ଼ୁଛନ୍ତି। ବାୟୁ ପ୍ରଦୂଷଣକୁ ରୋକିବା ସହିତ ଜଳ ସଂରକ୍ଷଣ ଏବଂ ବ୍ୟାପକ ବୃକ୍ଷରୋପଣ ଦିଗରେ ସମସ୍ତେ ଉଦ୍ୟମ କରିବାକୁ ଶ୍ରୀ ପଣ୍ଡା ଆହ୍ବାନ କରିଥିଲେ।