ଭୁବନେଶ୍ବର: ପରିବେଶ ପ୍ରଦୂଷଣ ଯୋଗୁ ପାଣିପାଗ ବିଗିଡ଼ି ଯାଇଛି। ଗୋଟିଏ ସ୍ଥାନରେ ବନ୍ୟା ହେଉଥିବା ବେଳେ ‌ସେହି ସ୍ଥାନଠାରୁ ଅଳ୍ପ କିଛି ଦୂରରେ ସମାନ ସମୟରେ ମରୁଡ଼ି ଦେଖିବାକୁ ମିଳୁଛି। ସେହିଭଳି ବାଦଲ ଫଟା ବର୍ଷା, ଭୂସ୍ଖଳନ ଭଳି ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଲୋକଙ୍କ ଧନଜୀବନକୁ ଭୟଙ୍କର କ୍ଷତି କରୁଛି। ଅର୍ଥନୈତିକ ବିକାଶ ପାଇଁ ଆମକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ତେଣୁ ବିକାଶର ଆଭିମୁଖ୍ୟରେ ପରିବର୍ତ୍ତନ ଆସିବା ଉଚିତ। ଅର୍ଥନୈତିକ ଓ ସାମାଜିକ ବିକାଶ ସହିତ ପରିବେଶର କ୍ଷତି ଯେଭଳି କମ୍‌ ହେବ ତାହା ଉପରେ ଆମ ସମସ୍ତଙ୍କୁ ଗୁରୁତ୍ବ ଦେବାକୁ ହେବ। ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମର ‘ନିରନ୍ତର ଭବିଷ୍ୟତ ପାଇଁ ସବୁଜ ବିକଳ୍ପ’ ଶୀର୍ଷକ ଅଧିବେଶନରେ ଯୋଗଦେଇ ବକ୍ତାମାନେ ଏଭଳି ମତ ରଖିଛନ୍ତି।

Advertisment

ବେଙ୍ଗାଲୁରୁସ୍ଥିତ ଅଲ୍ଟିଗ୍ରିନ୍‌ ପ୍ରପଲଜନ୍‌ ଲାବ୍‌ସର ପ୍ରତିଷ୍ଠାତା ତଥା ସିଇଓ ଡ. ଅମିତାଭ ସରଣ କହିଥିଲେ, ବାୟୁ ପ୍ରଦୂ‌ଷଣ ବା ଖରାପ ମାନର ବାୟୁ ଯୋଗୁ ଭାରତରେ ପ୍ରତିବର୍ଷ ୨୬ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଏମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ବା ୫ରୁ ୬ ଲକ୍ଷ ଲୋକଙ୍କ ମୃତ୍ୟୁ ଗାଡ଼ି ଚଳାଚଳ ଜନିତ ପ୍ରଦୂଷଣ ‌ପାଇଁ ହେଉଛି। ଭାରତରେ ପ୍ରତି ହଜାରେ ଲୋକରେ ୨୨ଟି ଗାଡ଼ି ଥିବାବେଳେ ସ୍ଥିତି ‌ଏଭଳି ହୋଇଛି। ତେଣୁ ଆଗାମୀ ଦିନରେ ଏହାର ପରିମାଣ ଆହୁରି ଭୟଙ୍କର ହୋଇପାରେ। ସେଥିପାଇଁ ଆମକୁ ବିଦ୍ୟୁତ୍‌ ଯାନ ଆପଣାଇବାକୁ ପଡ଼ିବ। ବିଦ୍ୟୁତ୍‌ର ଉତ୍ସ ପରିବର୍ତ୍ତନ ହୋଇପାରେ। କିନ୍ତୁ ଆସନ୍ତା ୧୦୦ ବର୍ଷ ପାଇଁ ବିଦ୍ୟୁତ୍‌ ଯାନ ହିଁ ପରିବହନ କ୍ଷେତ୍ରର ଭବିଷ୍ୟତ। ଦହନଶୀଳ ଇଞ୍ଜିନ୍‌ରେ ଚାଳିତ ଗାଡ଼ି ତୁଳନାରେ ବିଦ୍ୟୁତ ଯାନ ନିର୍ମାଣ ଅତ୍ୟନ୍ତ ସହଜ। ଦହନଶୀଳ ଇଞ୍ଜିନ ଲାଗିଥିବା ଗାଡ଼ିରେ ୧୭୦୦ଟି ଗତିଶୀଳ ଯନ୍ତ୍ରାଂଶ (ମୁଭିଂ ପାର୍ଟସ) ଲାଗିଥିବାବେଳେ ବିଦ୍ୟୁତ୍‌ ଯାନ ପାଇଁ କେବଳ ୨୦ଟି ଗତିଶୀଳ ଉପକରଣ ଆବଶ୍ୟକ ହୋଇଥାଏ।  କିନ୍ତୁ ବିଦ୍ୟୁତ୍‌ ଯାନ କ୍ଷେତ୍ରରେ ବଡ଼ ଆହ୍ବାନ ହେଉଛି ଉନ୍ନତ ସଫ୍ଟୱେର। ବିଦ୍ୟୁତ୍‌ ଯାନରେ ନିର୍ମାଣ, ଯନ୍ତ୍ରାଂଶ କିମ୍ବା ହାର୍ଡୱେରଜନିତ ତ୍ରୁଟି ପାଇଁ ନିଆଁ ଲାଗି ନଥାଏ। ବରଂ ସଫ୍ଟୱେରରେ ଥିବା ତ୍ରୁଟି ପାଇଁ ଏହା ହୋଇଥାଏ। ତେଣୁ ବିଦ୍ୟୁତ୍‌ ଯାନର ସଫ୍ଟୱେର ବିକାଶ ‌କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ସେ ଯୁବପିଢ଼ିକୁ ଆହ୍ବାନ ଦେଇଥଲେ।

ଅନ୍ୟତମ ବକ୍ତା ଭାବେ ଏମ୍ପ୍ରିଓ ଗ୍ରୁପ୍‌ର ଏମ୍‌ଡି ଡାକ୍ତର ଅବିନାଶ ସାମଲ ଯୋଗଦେଇ ପୁରୁଣା ଗାଡ଼ି ସ୍କ୍ରାପିଂ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଓ ସୁଯୋଗ ସଂପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, ଗାଡ଼ିରେ ୮୦ ପ୍ରତିଶତ ଲୌହ ସାମଗ୍ରୀ ବ୍ୟବହାର ହୋଇଥାଏ। କିନ୍ତୁ ଦେଶରେ ଏସବୁ ଉପଲବ୍ଧ ହୁଏ ନାହିଁ। ୨୦୨୨ରେ ଭାରତ ୬.୭ ନିୟୁତ ଟନ୍ ଲୌହ ସାମଗ୍ରୀ ଆମଦାନି କରିଥିବାବେଳେ ଏବେ ଏହା ପ୍ରାୟ ଦୁଇଗୁଣା ବୃଦ୍ଧି ପାଇ ୧୧.୭ ନିୟୁତ ଟନ୍‌ରେ ପହଞ୍ଚିଲାଣି। ସେହିଭଳି ଗାଡ଼ିରେ ବ୍ୟବହୃତ ଅଣଲୌହ ସାମଗ୍ରୀ ଯଥା କାଚ, ପ୍ଲାଷ୍ଟିକ୍‌, ଟାୟାର ଆଦିର ରିସାଇକ୍ଲିଂ ବା ପୁନଃଚକ୍ରଣ ଭାରତରେ ଏପର୍ଯ୍ୟନ୍ତ ହୋଇପାରିନାହିଁ। କାଚର ୧୦୦ ପ୍ରତିଶତ ପୁନଃଚକ୍ରଣ ହେବାର ସୁଯୋଗ ଥିଲେ ମଧ୍ୟ ଦେଶରେ ମାତ୍ର ୩୦ ପ୍ରତିଶତ କାଚ ପୁନଃପ୍ରକ୍ରିୟାକରଣ ହେଉଛି। ସେହିଭଳି ଗାଡ଼ିରେ ଆଇଟି ଉପକରଣ ବ୍ୟବହାର ବଢ଼ୁଥିଲେ ମଧ୍ୟ ଆମକୁ ଏସବୁକୁ ଆମଦାନି କରିବାକୁ ପଡ଼ୁଛି। ଏଥିସହିତ ଦେଶରେ ପ୍ରତିବର୍ଷ ୩.୨୩ ନିୟୁତ ଟନ୍‌ର ଆଇଟି ବର୍ଜ୍ୟବସ୍ତୁ ବାହାରୁଛି। କିନ୍ତୁ ଏସବୁ ପୁନଃପ୍ରକ୍ରିୟାକରଣ ପାଇଁ ମାତ୍ର ୪୦୦ଟି ସଂସ୍ଥା ରହିଛି। ଅଟୋମୋବାଇଲ ଓ ଆଇଟି ସାମଗ୍ରୀର ପୁନଃପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି। କିନ୍ତୁ ଏଥିପାଇଁ ଆମକୁ ଗବେଷଣା ଓ ବିକାଶ ଉପରେ ଧ୍ୟାନ ଦେବାକୁ ହେବ। ଏହି ଅଧିବେଶନକୁ ପାରାମିଟର୍ସ ସଫ୍ଟୱେରର ଏମ୍‌ଡି ତଥା ସିଇଓ ଜେପି ଜଗଦେବ ସଂଚାଳନ କରିଥିଲେ। ଅତିଥିମାନଙ୍କୁ ‘ସମ୍ବାଦ’ ଗ୍ରୁପ୍‌ର ଏମ୍‌ଡି ମୋନିକା ‌ନୈୟାର ପଟ୍ଟନାୟକ ଏବଂ କନକ ନ୍ୟୁଜ୍‌ର ସିଇଓ ରତିକାନ୍ତ ଶତପଥୀ ସମ୍ବର୍ଦ୍ଧିତ କରିଥିଲେ।