ଜଗତସିଂହପୁର: ଦିନ ଥିଲା ପାରାଦୀପ ଇଲିସି ସାରା ରାଜ୍ୟକୁ ଚାଲାଣ ହେଉଥିଲା। ପଡ଼ୋଶୀ ପଶ୍ଚିମବଙ୍ଗକୁ ମଧ୍ୟ ଟ୍ରକ୍ ଟ୍ରକ୍ ଇଲିସି ମାଛ ପଠାଯାଉଥିଲା। ଦେଶ, ବିଦେଶରେ ପାରାଦୀପ ଇଲିସିର ସ୍ବତନ୍ତ୍ର ଚାହିଦା ଥିଲା। ଏମିତି କି ଯୋଡ଼ା ଇଲିସି ୨୦୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ ସ୍ଥିତି ଏମିତି ଯେ ସ୍ଥାନୀୟ ବଜାରର  ବି ଚାହିଦା ମେଣ୍ଟାଇ ପାରୁନି। ବଡ଼ ଇଲିସି ମାଛ(୧ କେଜିରୁ ୧୨୦୦ ଗ୍ରାମ) କେଜି ପିଛା ୨୪୦୦ରୁ ୨୬୦୦ ଟଙ୍କାରେ ବିକ୍ରି ହେଉଛି। କିଛି ବର୍ଷ ତଳେ ଦୈନିକ ଶହେରୁ ଅଧିକ ଟନ୍‌ ଇଲିସି ଧରାପଡୁଥିବା ବେଳେ ଏବେ ତାହା ୫୦ କିଲୋକୁ ଖସି ଆସିଛି। ପାରାଦୀପ ବାହାରକୁ ବି ମାଛ ରପ୍ତାନି ହୋଇପାରୁନି। ତେଣୁ ଅନେକଙ୍କ ପାଟିରେ ବାଜିପାରୁନି ଏହି ସୁଆଦିଆ ମାଛ। ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ଏହା ଏକ ସାଂଘାତିକ ପ୍ରଭାବ ବୋଲି କୁହାଯାଉଛି।

Advertisment

କାର୍ତ୍ତିକେଶ୍ବର ମତ୍ସ୍ୟ ବ୍ୟବସାୟୀ ସଂଘ ସହ ସମ୍ପାଦକ ପ୍ରକାଶ କୁମାର ଜେନାଙ୍କ କହିବା ଅନୁସାରେ, ୭/୮ ବର୍ଷ ତଳେ ଦୈନିକ ପ୍ରାୟ ଶହେରୁ ଦେଢ଼ଶହ ଟନ୍ ଇଲିସି ମାଛ ଧରା ହେଉଥିଲା। କେବଳ ପଶ୍ଚିମବଙ୍ଗକୁ ପ୍ରାୟ ଶହେ ଟନ୍ ଇଲିସି ଯାଉଥିଲା। ୬ରୁ ୭ଟି ଟ୍ରକ୍‌ରେ ଇଲିସ ପଶ୍ଚିମବଙ୍ଗକୁ ଯାଉଥିଲା। ଏହା ବାଦ୍ ପାରାଦୀପ, କଟକ, ଭୁବନେଶ୍ବର ଓ ରାଜ୍ୟର କିଛି ଅଞ୍ଚଳକୁ ଇଲିସି ମାଛ ଯୋଗାଣ କରାଯାଉଥିଲା। ଧୀରେ ଧୀରେ ଇଲିସି ମାଛ କମିବାକୁ ଲାଗିଲେ। ପ୍ରାୟ ୫ ବର୍ଷ ତଳେ ଦୈନିକ ୫ ରୁ ୧୦ ଟନ୍ ଇଲିସି ଜାଲରେ ପଡ଼ୁଥିଲେ। କିନ୍ତୁ ଏବେ ଦିନକୁ ୪୦ ରୁ ୫୦ କେଜି ଧରାପଡ଼ିବା କଷ୍ଟକର ହୋଇପଡ଼ୁଛି। ମୁଖ୍ୟତଃ ତିନୋଟି କାରଣରୁ ଇଲିସି ଉତ୍ପାଦନ କମୁଥିବା ସେ କହିଛନ୍ତି। ଇଲିସି ମିଠା ପାଣିରୁ ଖାଦ୍ୟ ସଂଗ୍ରହ କରିବାକୁ ଭଲ ପାଆନ୍ତି ଓ ମୁହାଣ ପାଖକୁ ଆସିଲେ ବହୁ ମାତ୍ରାରେ ଧରାପଡ଼ନ୍ତି। ମହାନଦୀରେ ବନ୍ୟା ପାଣି ଆସିବା ଅବଧି କମି ଗଲାଣି। ପୂର୍ବରୁ ପ୍ରାୟ ଚାରି ମାସରୁ ଅଧିକ ଦିନ ବନ୍ୟା ପାଣି ଆସୁଥିଲା। କିନ୍ତୁ ଏବେ ଯଥେଷ୍ଟ କମି ଗଲାଣି।  ଦ୍ବିତୀୟ କାରଣଟି ହେଲା ପାରାଦୀପରେ କଳକାରଖାନାରୁ ନିର୍ଗତ ବର୍ଜ୍ୟ ପାଣି ନଦୀରେ ମିଶୁଛି।

ଯାହା ଫଳରେ ଇଲିସି କୂଳକୁ ଆସୁ ନାହାନ୍ତି। ସେହିପରି ତୃତୀୟ କାରଣଟି ହେଲା ଜୁଲାଇରୁ ସେପ୍ଟେମ୍ବର ଭିତରେ ଇଲିସି ଅଣ୍ଡା ଦେବାକୁ କୂଳକୁ ଆସନ୍ତି। କିନ୍ତୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆସୁ ନାହାନ୍ତି। ବଂଶ ବୃଦ୍ଧି ହୋଇପାରୁ ନଥିବାରୁ ଉତ୍ପାଦନ କମି କମି ଯାଉଛି। ପରିବେଶବିତ୍ ଅମରେଶ ନରେଶ ସାମନ୍ତ କହିଛନ୍ତି, ଇଲିସି ମାଛ କମିବାର ଅନେକ କାରଣ ରହିଛି। ଯେମିତି ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଦିଗ ପରିବର୍ତ୍ତନ, ପ୍ରଦୂଷଣ, ମନୁଷ୍ୟକୃତ ଅବରୋଧ, ପାଣିର ବେଗ ହ୍ରାସ, ମୁହାଣ ପୋତି ହୋଇଯିବା ଓ ରାସାୟନିକ ପଦାର୍ଥ ପାଣିରେ ମିଶିବା ଯୋଗୁ ଇଲିସି ଆସୁନାହାନ୍ତି। ମୁହାଣ ପାଖକୁ ଅନ୍ୟ ପ୍ରଜାତିର ଯେତିକି ମାଛ ଆସୁଥିଲେ ବର୍ତ୍ତମାନ ସେହି ସଂଖ୍ୟା ବି କମିଗଲାଣି। ଏନେଇ ସ୍ବତନ୍ତ୍ର ଯୋଜନା ନ କଲେ ଆଗକୁ ହୁଏତ ପାରାଦୀପ ଇଲିସି ଦେଖିବାକୁ ମିଳିବେ ନାହିଁ।