ଭୁବନେଶ୍ବର: ଓଡ଼ିଶା ହେଉଛି ଏକ ଖଣିଜ ସମ୍ପଦ ବହୁଳ ରାଜ୍ୟ। ରାଜ୍ୟ ଅର୍ଥନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଖଣି। ସାମ୍ପ୍ରତିକ ପରିସ୍ଥିତିରେ ଗ୍ରିନ୍ ମାଇନିଂ (ସବୁଜ ଖଣି) ଉପରେ ଜୋର୍ ଦିଆଯାଉଥିବା ବେଳେ ଓଡ଼ିଶାରେ ଏହାର ସମ୍ଭାବନା ଓ କାର୍ଯ୍ୟକାରିତା ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଛନ୍ତି। ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୫ର ତୃତୀୟ ଦିବସରେ ‘ଗ୍ରିନ୍ ମାଇନିଂ-ଇମ୍ପାକ୍ଟ ଅନ୍ ଡିସ୍କୋର୍ସ ଅଫ୍ ନେଚୁରାଲ୍ ରିସୋର୍ସେସ୍’ ଶୀର୍ଷକ ଅଧିବେଶନରେ ଯୋଗଦେଇଥିବା ବକ୍ତାମାନେ ଗ୍ରିନ୍ ମାଇନିଂକୁ ସମ୍ବଳର ନିରନ୍ତର ଓ ପ୍ରଭାବଶାଳୀ ବ୍ୟବହାର ଭାବେ ଅଭିହିତ କରିଛନ୍ତି। ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ସଦସ୍ୟ ତଥା ଜଳବାୟୁ ଗବେଷକ ଅମ୍ବିକା ପ୍ରସାଦ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ପାଣ୍ଟିସ୍ ଗ୍ରୁପ୍ ଅଫ୍ ନନ୍-ପ୍ରଫିଟ୍ସର ପ୍ରତିଷ୍ଠାତା ଷ୍ଟାଲିନ୍ ନାୟକ ଓ ଜିନ୍ଦଲ ଷ୍ଟିଲ୍ର କାର୍ଯ୍ୟନିର୍ବାହୀ ଉପସଭାପତି ଓ ବିକେଟି କ୍ଲଷ୍ଟର୍ର ମୁଖ୍ୟ ପ୍ରମୋଦ କୁମାର ପାତ୍ର ବକ୍ତାଭାବେ ଯୋଗ ଦେଇଥିଲେ। ଆଲୋଚନା ବେଳେ ଗ୍ରିନ୍ ମାଇନିଂ ଅଭିଯାନରେ ଖଣି ପାରିପାର୍ଶ୍ବିକ ଅଞ୍ଚଳର ଲୋକମାନଙ୍କୁ କିଭଳି ଯୋଡ଼ାଯାଇପାରିବ ତାହା ଉପରେ ସେମାନେ କହିଥିଲେ। ଖଣି ଅଞ୍ଚଳରେ ଥିବା ସମସ୍ତ ପ୍ରକାର ସମ୍ବଳର ତଥ୍ୟ ସଂଗ୍ରହ କରିବା ଏବଂ ମାଧ୍ୟମିକ ତଥ୍ୟ ବଦଳରେ ପ୍ରାଥମିକ ତଥ୍ୟ ଆଧାରରେ ଯୋଜନା ପ୍ରସ୍ତୁତ କରିବା ଉପରେ ସେମାନେ ଗୁରୁତ୍ବାରୋପ କରିଥିଲେ।
ଖଣିଜ ସମ୍ପଦଗୁଡ଼ିକ ମୁଖ୍ୟତଃ ଜଙ୍ଗଲ ଅଞ୍ଚଳରେ ଆବିଷ୍କାର ହେଉଥିବାରୁ ସେଗୁଡ଼ିକର ଖନନ ପାଇଁ ଗଛ କାଟିବାକୁ ପଡ଼ୁଛି। ସେଭଳି କ୍ଷେତ୍ରରେ କ୍ଷତିପୂରଣ ବନୀକରଣ କରିବା ଏବଂ ପ୍ରାକୃତିକ ସମ୍ପଦର ଯଥା ସମ୍ଭବ ସଂରକ୍ଷଣ ଉପରେ ଧ୍ୟାନ ଦେବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ। ଖଣି କାର୍ଯ୍ୟରେ ବ୍ୟବହୃତ ଗାଡ଼ିରୁ ହେଉଥିବା ପ୍ରଦୂଷଣ କମ୍ କରିବା ଲାଗି ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବା ଏବଂ ଅକ୍ଷୟ ଶକ୍ତି ଓ ସୌର ଶକ୍ତି ଉତ୍ସ ଉପଯୋଗ କରିବାକୁ ସେମାନେ କହିଥିଲେ। ଖଣିରୁ ଖଣିଜ ସମ୍ପଦ ଶେଷ ହୋଇଯିବା ପରେ ସେଠାରେ ସୃଷ୍ଟି ହେଉଥିବା ଗର୍ତ୍ତଗୁଡ଼ିକୁ ଭର୍ତ୍ତି କରି ପୁଣି ଥରେ ସେହି ଜମି ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଫେରାଇ ଦେବା ଲାଗି ବ୍ୟବସ୍ଥା କରିବା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ଖଣି ବନ୍ଦ ହେବା ପରେ ଯେହେତୁ ସେହି ଅଞ୍ଚଳର ଲୋକଙ୍କ ଜୀବିକା ସିଧାସଳଖ ପ୍ରଭାବିତ ହୋଇଥାଏ, ସେଥିପାଇଁ ସେମାନଙ୍କ ଲାଗି ବିକଳ୍ପ ତଥା ସ୍ଥାୟୀ ଜୀବିକାର ବ୍ୟବସ୍ଥା କରିବାକୁ ସେମାନେ ଆହ୍ବାନ ଦେଇଥିଲେ।