ବ୍ରହ୍ମପୁର/ଆସିକା: ପରିବେଶ ପ୍ରଦୂଷଣ ବର୍ତ୍ତମାନ ଏକ ମୁଖ୍ୟ ପ୍ରସଙ୍ଗ ହୋଇଛି। ଆମ ଚାରିପଟେ ରହିଥିବା ପାଣି, ପବନ, ଗଛ, ବାୟୂ ହେଉଛି ପରିବେଶ। ଯଦି ଏହା ସୁରକ୍ଷିତ ନ ରହିବ ଆମେ ସୁରକ୍ଷିତ ରହିବା ନାହିଁ। ଏଣୁ ପରିବେଶ ସୁରକ୍ଷା ଦିଗରେ ଆମକୁ ପ୍ରଥମେ ସଚେତନ ହେବାକୁ ପଡ଼ିବ। ଏହାପରେ ଅନ୍ୟକୁ ସଚେତନ କରି ପରିବେଶ ସୁରକ୍ଷା ଦିଗରେ କାମ କରିବାକୁ ହେବ ବୋଲି ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।

Advertisment

ଆସିକା ନିର୍ବାଚନମଣ୍ଡଳୀର ଆସିକା ବାଣୀବିହାର ସ୍ଥିତ ବରିଷ୍ଠ ନାଗରିକ ଚିତ୍ତବି‌ନୋଦନ କେନ୍ଦ୍ର ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆସିକା ଏନ୍‌ଏସି ଅଧ୍ୟକ୍ଷା ବିନେତା ସ୍ବାଇଁ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ନିହାତି ଦରକାର ବୋଲି କହିଥିଲେ। ପୂର୍ବରୁ ଆସିକା ଅଞ୍ଚଳରେ ଯେତିକି ଗଛ ରହିଥିଲା ବର୍ତ୍ତମାନ ତାହା ନାହିଁ। ପ୍ରାକୃତିକ ଦୁର୍ବିପାକ ହେଉ କି ରାସ୍ତା ପ୍ରଶସ୍ତ ପାଇଁ ବହୁ ଗଛ କଟା ହୋଇସାରିଛି। ଏଣୁ ପ୍ରଥମେ ଆମକୁ ବ୍ୟାପକ ବୃକ୍ଷରୋପଣ କରିବାକୁ ପଡ଼ିବ। କେବଳ ବୃକ୍ଷରୋପଣ କଲେ ହେବ ନାହିଁ। ଗଛକୁ ପରିବାରର ସଦସ୍ୟ ଭଳି ଯତ୍ନ ନେବା ବୋଲି ଏନ୍ଏସି ଅଧ୍ୟକ୍ଷା ଆହ୍ବାନ କରିଥିଲେ। ଏଥିପାଇଁ ଆସିକା ଅଞ୍ଚଳର ପ୍ରତ୍ୟେକ ପରିବାର ଆଗେଇ ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ମାନବସେବା ସମିତି ସଭାପତି ଗଣେଶ ଚନ୍ଦ୍ର ରଥ ଅଧ୍ୟକ୍ଷତା କରି ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଜଣାଇଥିଲେ। ଋଷିକୁଲ୍ୟା ନଦୀର ଉଭୟ ପଟେ ନିମ୍ବଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟବକ୍ତା ‘ସମ୍ବାଦ’ ସାହିତ୍ୟଘର ଉପଦେଷ୍ଟା ଅଜିତ ପଟ୍ଟନାୟକ କହିଥିଲେ ଯେ, ଆସିକା ପାଇଁ ଟିପିସର ନାଳ ବର୍ତ୍ତମାନ ବିପଦ ସାଜିଛି। ନାଳରେ ଘର ଓ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଡ୍ରେନ୍‌ ପାଣି ପଡ଼ୁଛି। ଯାହାକି ପରିବେଶ ଦୂଷିତ କରୁଛି। ସଚେତନ ହୋଇ ଡ୍ରେନ୍‌ ପାଣି ନାଳକୁ ନ ଛାଡ଼ିବା ପାଇଁ ସେ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଗ୍ରିନ୍‌ ଅର୍ଗାନିକ୍‌ ଡେଭେଲପମେଣ୍ଟ୍‌ର ସଭାପତି ସଂଜୟ କୁମାର ନାଏକ କହିଲେ, ଆମେ ଯେଉଁ ଧରାପୃଷ୍ଠରେ ରହୁଛେ ତାକୁ ଯଦି କଷ୍ଟ ଦେବା, ତାହା ଆମ ପାଇଁ ବିପଦର କାରଣ ହେବ। ଏଣୁ ପ୍ରକୃତି ମା’କୁ ଭଗବାନ ଭାବେ ପୂଜା କରି ତା’ର ସୁରକ୍ଷା ପାଇଁ ସମୟ ଦେବା, ଯାହାକି ଅନ୍ୟକୁ ଅନୁପ୍ରାଣିତ କରିବ। ଏହା ସହିତ ପ୍ରକୃତିର ସୁରକ୍ଷା ପାଇଁ ଆମେ ଜ୍ଞାନ ଆହରଣ କରିବା ବୋଲି ସେ କହିଥିଲେ।

ଗଞ୍ଜାମ ଜିଲ୍ଲା କୃଷ୍ଣସାର ମୃଗ ସୁରକ୍ଷା ସମିତି ସଭାପତି ଅମୂଲ୍ୟ ନାହାକ କହିଥିଲେ, ଗଛ ବିନା ମନୁଷ୍ୟ ଜୀବନ ପରିକଳ୍ପନା କରି‌ ହେବ ନାହିଁ। ସେହିପରି ଜଙ୍ଗଲ କ୍ଷୟ ଯୋଗୁଁ ପଶୁ, ପକ୍ଷୀ ସହରମୁହାଁ ହେଉଛନ୍ତି। ଆସିକା ଅଞ୍ଚଳର ବନାଞ୍ଚଳରେ ରହୁଥିବା କୃଷ୍ଣସାର ମୃଗର ବିଚରଣ ପାଇଁ ମଧ୍ୟ ଅସୁବିଧା ହେଉଛି। ବ୍ୟାପକ ପରିମାଣ ଜଙ୍ଗଲ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ସମାଜସେବୀ ବଂଶୀଧର ନାହାକ କହିଥିଲେ, ମଣିଷ ନିଜର ସ୍ବାର୍ଥ ପାଇଁ ଗଛ କାଟି ଚାଲିଛି। ବିକାଶ ନାଁରେ ବିନାଶର ବାଟ ଖୋଲି ଦିଆଯାଇଛି। ଏଣୁ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରିବାକୁ ଆହ୍ବାନ ଦେଇଥିଲେ।