ପରିବେଶ ପାଇଁ କାମ କରିବା ଯେତିକି ଜରୁରି, ଏହାର ଦସ୍ତାବିଜ ପ୍ରସ୍ତୁତ କରିବା ବି ସେତିକି ଜରୁରି। ଏହା ଭବିଷ୍ୟତ ପିଢ଼ି ପାଇଁ ବର୍ତ୍ତମାନକୁ ସାଇତି ରଖିବା ସହ ଏବର ପରିବେଶ, ବିଭିନ୍ନ ପ୍ରଜାତି ଓ ପାରିପାର୍ଶ୍ବିକ ସ୍ଥିତିକୁ ସଂରକ୍ଷିତ କରେ। ଏହି କାମରେ ନିଜକୁ ନିୟୋଜିତ କରିଛନ୍ତି ଜ୍ୟୋତିରାଦିତ୍ୟ ପିନାକି ପଣ୍ଡା। ନିଜ କ୍ୟାମେରା ଲେନ୍ସରେ ପକ୍ଷୀ, ପ୍ରକୃତି, ଜୀବଜନ୍ତୁ ଓ ଜଙ୍ଗଲକୁ ସେ ସାଇତି ରଖୁଛନ୍ତି। ଇ-ବାର୍ଡ ରେକର୍ଡ ଅନୁସାରେ ସେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୩୧୫ ଜାତିର ପକ୍ଷୀଙ୍କ ଫଟୋ ଉଠାଇ ଦସ୍ତାବିଜ କରି ରଖିଛନ୍ତି।
ସୁବର୍ଣ୍ଣପୁରର ସୋନପୁର ମହାବିଦ୍ୟାଳୟରୁ କଳାରେ ସ୍ନାତକ କରିବା ପରେ ସେ ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଛନ୍ତି। କିଛି ଦିନ ସାମ୍ବାଦିକତା କରିବା ପରେ ସେ ପ୍ରକୃତି ଆଡ଼କୁ ଆକର୍ଷିତ ହୋଇଥିଲେ। ଏଣୁ ଗତ ୬ ବର୍ଷ ହେଲା ସେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲ ବୁଲିବା ସହ ଓଡ଼ିଶାର ସମସ୍ତ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବ୍ୟାଘ୍ର ଅଭୟାରଣ୍ୟ ବୁଲି ଫଟୋଗ୍ରାଫି ଆରମ୍ଭ କରିଛନ୍ତି। ଶ୍ରୀ ପଣ୍ଡା କହନ୍ତି, ଫଟୋଗ୍ରାଫି ହେଉଛି ମୋର ନିଶା। ମୁଁ ପିଲାଟି ବେଳୁ ପ୍ରକୃତି ସହ ନିବିଡ଼ ଭାବେ ଜଡ଼ିତ। ଆମ ଜିଲ୍ଲାରେ ଅନେକ ସ୍ଥାନରେ ଜଙ୍ଗଲ ରହିଥିଲା ଏବଂ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିଲା, ଏବେ ମଧ୍ୟ ଅଛି। ପିଲାବେଳୁ ପ୍ରକୃତି ସଂସ୍ପର୍ଶରେ ରହିବା ଦ୍ୱାରା ମୋର ପଶୁପକ୍ଷୀଙ୍କ ସହ ଖେଳିବା ଓ ସେମାନଙ୍କ ହାବଭାବ ବିଷୟରେ ଜାଣିବାରେ ରୁଚି ଧୀରେଧୀରେ ବଢ଼ିଥିଲା। ୨୦୧୯ରୁ ମୋର ବନ୍ୟପ୍ରାଣୀ ଫଟୋଗ୍ରାଫି ଯାତ୍ରା ଆରମ୍ଭ ହୋଇଥିଲା। ଆଜିଯାଏ ମୁଁ ନିଜ ପାଖଆଖ ଜଙ୍ଗଲ ବୁଲିବା ସହ ଓଡ଼ିଶାର ବହୁ ଅଭୟାରଣ୍ୟ ଯାଇ ବିଭିନ୍ନ ପକ୍ଷୀ ଓ ପଶୁମାନଙ୍କ ଫଟୋ ଉଠାଇବା ସହ ତାଙ୍କ ପାରିପାର୍ଶ୍ବିକ ବ୍ୟବହାର ଉପରେ ଜାଣିବା ପାଇଁ ତତ୍ପର ରହିଛି।’’
ପ୍ରକୃତିକୁ ଦସ୍ତାବିଜ ଆକାରରେ ସାଇତି ରଖିବା ନିମନ୍ତେ ତାଙ୍କୁ ବହୁ ଶୁଭେଚ୍ଛା ମିଳିଥିବା େବଳେ ସୁବର୍ଣ୍ଣପୁର ଜିଲ୍ଲା ବନବିଭାଗ ତରଫରୁ ତାଙ୍କୁ ‘ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ବିଜୁ ପଟ୍ଟନାୟକ ସମ୍ମାନ-୨୦୨୩’ରେ ସମ୍ମାନିତ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ପକ୍ଷୀଙ୍କ ସଂଖ୍ୟା ଧୀରେଧୀରେ ବଢ଼ିବାରେ ଲାଗିଥିବା ବେଳେ ସେମାନଙ୍କର ଡକୁମେଣ୍ଟେସନ୍ ଜରୁରି। ଏସବୁକୁ ସଂରକ୍ଷିତ କରାଯାଇପାରିଲେ, ଭବିଷ୍ୟତରେ ପକ୍ଷୀଙ୍କ ବାସ୍ତବ ସ୍ଥିତି ନିରୀକ୍ଷଣ କରିବା ସହଜ ହେବ ବୋଲି ସେ କହିଛନ୍ତି।