ରଣପୁର: ପରିବେଶ ସୁରକ୍ଷା ଦିଗରେ ବହୁତ ଭାଷଣବାଜି ହେଉଛି। ବାସ୍ତବତା ହେଉଛି ପରିବେଶ ସନ୍ତୁଳନ ବିଗାଡ଼ିବା ପାଇଁ ଆମେ ଦାୟୀ। ତେଣୁ ଏହାର ସୁରକ୍ଷା ଦିଗରେ ମଧ୍ୟ ଆମସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ। ସରକାରଙ୍କୁ ଦୋଷ ନ ଦେଇ କିମ୍ବା ସରକାରୀ ଯୋଜନାକୁ ଅପେକ୍ଷା ନ କରି ପରିବେଶର ସୁରକ୍ଷା ଦିଗରେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ। ପରିବେଶ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେଉ ବୋଲି ଆଜି ରଣପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ ପରିବେଶ ପଞ୍ଚାୟତରେ ଯୋଗଦେଇ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି।
କନ୍ଧନୟାଗଡ଼ ଡୋମଣି ମନ୍ଦିର ନିକଟ କଲ୍ୟାଣମଣ୍ଡପରେ ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା କହିଲେ ଯେ, ‘ସମ୍ବାଦ’ ପକ୍ଷରୁ ଯେଉଁ ‘ପୁନଶ୍ଚ ପୃଥିବୀ’ ଅଭିଯାନ ଆରମ୍ଭ ହୋଇଛି, ତାହା ସମୟର ଆହ୍ବାନ। ଆମ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହୋଇ ପରିବେଶ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକତା ରହିଛି। ମାଟି, ପାଣି ଓ ପବନ ଆଜି ସବୁକିଛି ପ୍ରଦୂଷିତ। ରାସ୍ତା ସମ୍ପ୍ରସାରଣ ହେଉ ଅବା ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଶହ ଶହ ସଂଖ୍ୟାରେ ଗଛ କଟାଯାଉଛି। ଅଞ୍ଚଳର ଉନ୍ନତି ପାଇଁ ଏହି ଗଛକଟାକୁ କେହି ରୋକି ପାରିବେନି ସତ। ମାତ୍ର ଏହାର ଅଭାବ ପୂରଣ କରିବା ପାଇଁ ସେହି ଅନୁପାତରେ ଗଛ ଲଗାଯିବା ଆବଶ୍ୟକ। ପୂର୍ବତନ ଜିଲ୍ଲା ଖାଉଟି ଫୋରମ୍ ଅଧ୍ୟକ୍ଷ ନାରାୟଣ ମହାପାତ୍ର କହିଲେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଋତୁଚକ୍ରରେ ବିଭ୍ରାଟ ଦେଖାଦେଲାଣି। ଏହାର ପ୍ରଭାବ ଆଜି ଜନସାଧାରଣ ଅନୁଭବ କରୁଛନ୍ତି। ତେଣୁ ଆମକୁ ଏବେଠୁ ସତର୍କ ହେବାକୁ ପଡ଼ିବ।
ବିଶିଷ୍ଟ ସମାଜସେବୀ ତାପସ ରଞ୍ଜନ ମାର୍ଥା ‘ସମ୍ବାଦ’ ଗ୍ରୁପର ଏହି ଉଦ୍ୟମକୁ ବେଶ୍ ପ୍ରଶଂସା କରି କହିଲେ ଯେ, ପରିବେଶ ସୁରକ୍ଷା ନେଇ ଚିନ୍ତା କରିବାର ସମୟ ଆସି ପହଞ୍ଚିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଚାଷ, ବାସ ଓ ଜନଜୀବନ ପ୍ରଭାବିତ ହେଉଛି। ଭୂତଳ ଜଳସ୍ତର ଦିନକୁ ଦିନ ଖସି ଚାଲିଥିବା ବେଳେ ପାଣି ଟୋପୋ ପାଇଁ ବର୍ତ୍ତମାନ ୨୦୦ ମିଟର ଯାଏ ଖୋଳିବାକୁ ପଡ଼ୁଛି। ଏଣୁ ପ୍ରତ୍ୟେକ ବ୍ୟକ୍ତି ଯଦି ଗୋଟିଏ ଗୋଟିଏ ଗଛ ଲଗାନ୍ତି, ତେବେ ପରିବେଶ ସନ୍ତୁଳନ ନିଶ୍ଚିତ ଭାବେ ଠିକ୍ ରହିବ। ସ୍ଥାନୀୟ ସରପଞ୍ଚ ଗୁଲୁବାସ ସୁବୁଦ୍ଧି ଓ ପୂର୍ବତନ ସରପଞ୍ଚ ଅରୁଣ ସୁବୁଦ୍ଧି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଚାଷ କାର୍ଯ୍ୟରେ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ବ୍ୟବହାର ଉପରେ ଜୋର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ମହିଳାମାନେ ଯୋଗ ଦେଇ ସୁଚିନ୍ତିତ ମତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/YDdpVwKx67EnBxlFuktu.jpg)