ଭୁବନେଶ୍ବର: ରାଜଧାନୀ ଦିନେ ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ଥିଲା। କିନ୍ତୁ ଏବେ ସବୁକିଛି ବଦଳି ଯାଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରାଜଧାନୀର ତାପମାତ୍ରା ହୁ ହୁ ହୋଇ ବଢ଼ୁଛି। ବର୍ଷା ହେଲେ ବି ଦେହରୁ ଝାଳ ବାହାରୁଛି। ଖରାରେ ଦୁଇହାତ ବାଟ ଚାଲିଗଲେ ଅଣନିଶ୍ବାସୀ ଲାଗୁଛି। ଏସବୁ ଆମ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି। ତେଣୁ ଆସନ୍ତାକାଲି ପାଇଁ ତଥା ଆଗାମୀ ପିଢ଼ିକୁ ଏକ ସୁନ୍ଦର ପୃଥିବୀ ଭେଟି ଦେବାକୁ ଚିନ୍ତା କରିବାକୁ ପଡ଼ିବ। ‘ସମ୍ବାଦ’ର ପ୍ରୟାସରେ ପରିବେଶ ସୁରକ୍ଷା ଅଭିଯାନ ସମଗ୍ର ଓଡ଼ିଶାରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ସାରିଲାଣି। ହେଲେ ଏହା କେବଳ ‘ସମ୍ବାଦ’ର ଦାୟିତ୍ବ ନୁହେଁ। ପରିବେଶ ସୁରକ୍ଷାର ଦାୟିତ୍ବ ପ୍ରତ୍ୟେକ ବ୍ୟକ୍ତି ନିଜ କାନ୍ଧକୁ ନିଅନ୍ତୁ। ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାମ୍ର ବିଧାୟକ ବାବୁ ସିଂହ ଏହା କହିଛନ୍ତି। 

Advertisment

‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା କରି କହିଲେ, ଆମେ ସମସ୍ତେ ବିକାଶ ଚାହୁଛେ। କିନ୍ତୁ ଏହି ବିକାଶ ପ୍ରକ୍ରିୟାରେ ଆମେ ‘ଆମର’ ବଦଳରେ ‘ମୋର’ ବିକାଶକୁ ଗୁରୁତ୍ବ ଦେଉଛେ। ତେଣୁ ସବୁ ‘ମୋର’ ପାଇଁ ସବୁ ‘ଆମର’ ଆଜି ପ୍ରଦୂଷିତ। ‌ଯେମିତି ‘ମୋର’ ମୋଟର ସାଇକଲ୍‌ ଧୂଆଁରେ ‘ଆମର’ ବାୟୂମଣ୍ଡଳ ଦୂଷିତ ହେଉଛି। ପରିବେଶକୁ ଦୂଷିତ କରୁଥିବା ଜିନିଷକୁ ଯଥାସମ୍ଭବ ବର୍ଜନ କରିବାକୁ ପଡ଼ିବ। ଆମେ ଯେମିତି ପରିବେଶ ନଷ୍ଟର ସୂତ୍ରଧର ସାଜିଛେ, ସେମିତି ପରିବେଶ ସୁରକ୍ଷାର ମଧ୍ୟ ସୂତ୍ରଧର ସାଜିବାକୁ ହେବ। ଏଥିରେ ମା’ମାନଙ୍କର ବଡ଼ ଭୂମିକା ରହିଛି। ମା’ମାନେ ହିଁ ପିଲାମାନଙ୍କୁ ମୂଳରୁ ପରିବେଶ ସୁରକ୍ଷାର ଶିକ୍ଷା ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସ୍ଥାନୀୟ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର କହିଲେ, ନିଜ ସ୍ବାର୍ଥ ପାଇଁ ହଜାର ହଜାର ଗଛ କଟା ଯାଉଛି। ଗନ୍ଧବତୀ ନଦୀ ଓ ଦୟା ୱେଷ୍ଟ କେନାଲ ପ୍ରଦୂଷିତ ହୋଇଛି। ତେଣୁ ଏବେ  ସମୟ ଆସିଛି, ସମସ୍ତେ ସଜାଗ ଓ ସଚେତନ ହୋଇ ପରିବେଶକୁ ସୁରକ୍ଷା କରିବା। 

ପରିବେଶ ସୁରକ୍ଷା ଦିଗରେ ମା’ମାନଙ୍କର ବଡ଼ 
ଭୂମିକା ରହିଛି: ସୌମ୍ୟରଂଜନ
ପରିବେଶକୁ ରକ୍ଷା କରିବାକୁ ସଚେତନ ହୁଅନ୍ତୁ: ବିରଞ୍ଚି
ଜଳବାୟୁ ପରିବର୍ତ୍ତନ ଏବେ ବଡ଼ ଆହ୍ବାନ: ତନୟା

ସେହିପରି ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ କହିଲେ, କିଛି ସମସ୍ୟା ହେଲେ ଗାଁମାନଙ୍କରେ ପଞ୍ଚାୟତ ବସୁଥିଲା। ଏବେ ଜଳବାୟୁ ପରିବର୍ତ୍ତନର ଏକ ବଡ଼ ଆହ୍ବାନ ଭାବେ ମାନବ ସମାଜ ଆଗରେ ଉଭା ହୋଇଛି। ଏ ସମସ୍ୟାକୁ କିପରି ସମାଧାନ କରି ପୃଥିବୀକୁ ପୁନଶ୍ଚ ଗଢ଼ି ତୋଳିବା ହେ‌ଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ସ୍ମାର୍ଟ ସିଟିବାସୀଙ୍କୁ ସ୍ମାର୍ଟ ହୋଇ ନିଜ ଅଞ୍ଚଳର ମୁଖ୍ୟ ସମସ୍ୟା କ’ଣ ଓ ଏହାର ସମାଧାନ କିପରି ହେବ, ସେ ସମ୍ପର୍କରେ ଆଲୋଚନା ଦ୍ବାରା ସମାଧାନ କରିବାକୁ ସେ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାଜେନ୍ଦ୍ର ସମର୍ଥା, ରଶ୍ମି ମହାପାତ୍ର, ଧୀରେନ୍‌ ପଟ୍ଟନାୟକ, ବିଷ୍ଣୁ ଚନ୍ଦ୍ର ବଟୁ, ସୁଧାଂଶୁ ଶେଖର ମିଶ୍ର, ଚିନ୍ମୟ ଦାସ, ଲକ୍ଷ୍ମୀଧର ପ୍ରଧାନ, ନୀଳମଣୀ ମିଶ୍ର, ପ୍ରଶାନ୍ତ କୁମାର ମିଶ୍ର, ହେମନ୍ତ କୁମାର ପଣ୍ଡା, ଅରୁଣ ପୁରୋହିତ ପ୍ରମୁଖ ବକ୍ତବ୍ୟ ରଖିଥିଲେ।  ଏହି ଅବସରରେ ‘ପୁନଶ୍ଚ ପୃଥିବୀ’ ସମ୍ପର୍କିତ ଚିତ୍ର ଆଙ୍କିଥିବା ଧଉଳୀ ଆର୍ଟ କଲେଜର ଦୁଇଜଣ ଶିଳ୍ପୀ ସ୍କୃତି ରଂଜନ ବେହେରା ଓ ସୋନାଲି ନାୟକ। ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟରତ ‘ଆଞ୍ଚଳିକ ବିକାଶ ପରିଷଦ’ର ସଭାପତି ବୃନ୍ଦାବନ ସାହୁ ଓ ସମ୍ପାଦକ ଅରୁଣ ପୁରୋହିତଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।