ସୋର: ଦିନେ ପାହାଡ଼, ନଦୀ, ଜଙ୍ଗଲ ଆଦି ପ୍ରାକୃତିକ ସମ୍ପଦରେ ଭରପୂର ଥିବା ସୋର ଅଞ୍ଚଳର ପରିବେଶ କ୍ରମଶଃ ବିଗିଡ଼ିବାରେ ଲାଗିଛି। ନଦୀପଠାରୁ ବେଆଇନ ଭାବେ ବାଲି, ପାହାଡ଼ରୁ ପଥର ଓ ସରକାରୀ ଜମିରୁ ମାଟି ଅହରହ ଉଠା ଚାଲିଛି। ପାହାଡ଼ରେ ଦିନରାତି ବିସ୍ଫୋରଣ ଯୋଗୁଁ ବହୁଲୋକଙ୍କ ଘରଦ୍ବାର ନଷ୍ଟ ହୋଇସାରିଲାଣି। ରକ୍ଷଣାବେକ୍ଷଣ ଅଭାବରୁ ବର୍ଷତମାମ ଲୋକଙ୍କୁ ଧାନ ଓ ମୀନ ଦେଉଥିବା କାଂଶବାଂଶ ନଦୀ ବି ଦୟନୀୟ ଅବସ୍ଥାରେ। ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାର ଦିନକୁଦିନ ଏତେ ବଢ଼ିଲାଣି କିନ୍ତୁ ଆବର୍ଜନା ପରିଚାଳନା ବ୍ୟବସ୍ଥା ଠିକ୍ ଭାବେ ହେଉନାହିଁ। ଅବାଧ ଗଛକଟା ଚାଲିଥିବା ବେଳେ ନଦୀ ଓ ସମୁଦ୍ରକୂଳ ଖାଇ ଖାଇ ଆସିଲାଣି। ଡିଜେ ସାଉଣ୍ଡ୍ କେବଳ ଶବ୍ଦ ପ୍ରଦୂଷଣ କରୁନି, ଏହା ଲୋକଙ୍କୁ ମାନସିକ ଓ ଶାରୀରିକ ଦୁର୍ବଳ କରୁଛି। ସରକାରୀ ଅନୁଦାନର ସଦୁପଯୋଗ ନହେବା କାରଣରୁ ଡେଙ୍ଗୁ ମାଡୁଛି। ନଦୀକୁ ଖୁଲମଖୁଲା ନର୍ଦ୍ଦମାଜଳ ଛାଡ଼ି ଦିଆଯାଉଛି। ଆଜି ଅପରାହ୍ନରେ ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ସାଜନପୁର ପଞ୍ଚାୟତ ଅନ୍ତର୍ଗତ କଷବା ଗ୍ରାମରେ କାଂଶବାଂଶ ନଦୀକୂଳରେ ଥିବା ବାରୁଣୀମେଳା ପଡ଼ିଆରେ ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମତ ରଖିଛନ୍ତି ସ୍ଥାନୀୟ ଅଞ୍ଚଳର ସଚେତନଶୀଳ ନାଗରିକ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ମାଧବ ଧଡ଼ା ଯୋଗଦେଇ ପରିବେଶ ସୁରକ୍ଷାକୁ ନେଇ ‘ସମ୍ବାଦ’ ପକ୍ଷରୁ ଚାଲିଥିବା ଏହି ନିଆରା ଅଭିଯାନକୁ ସାଧୁବାଦ ଜଣାଇଥିଲେ। ପରିବେଶକୁ ସୁରକ୍ଷିତ ରଖିବା ଦାୟିତ୍ବ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କର ନୁହେଁ। କେହି ଚାହିଁଲେ ମଧ୍ୟ ଏହା କରିପାରିବେ ନାହିଁ। ଏଥିପାଇଁ ସମୂହ ପ୍ରଚେଷ୍ଟାର ଆବଶ୍ୟକତା ରହିଛି। ତେଣୁ ସୋର ଅଞ୍ଚଳରେ ପରିବେଶକୁ ନେଇ ରହିଥିବା ସମସ୍ୟା ତଥା ଆହ୍ବାନ ସମ୍ପର୍କରେ ସେ ଆଗାମୀ ଦିନରେ ସରକାରଙ୍କ ଦୃଷ୍ଟିକୁ ଆଣିବେ ଏବଂ ତା’ର ସମାଧାନ ଦିଗରେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ସୁରକ୍ଷା ସମିତିର ସଭାପତି ଶଙ୍କର୍ଷଣ ବାରିକ, ସାଜନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଅଶ୍ୱିନୀ ପଟ୍ଟନାୟକ, ସମିତିସଭ୍ୟ ଅଶୋକ ନାୟକ ଓ ତଳନଗର ପଞ୍ଚାୟତ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଶିକ୍ଷାବିତ୍ ଆରତୀ ଦାସ, ବରିଷ୍ଠ ସାମ୍ବାଦିକ ସୀତାରାମ ପାତ୍ର, ପ୍ରକୃତିପ୍ରେମୀ ଅମରେନ୍ଦ୍ର ନନ୍ଦ, ସମାଜସେବୀ ବସନ୍ତ ପାଣି, ବିଶିଷ୍ଟ ବ୍ୟକ୍ତି ପୂର୍ବାଶା ମହାନ୍ତି ଓ ଶିକ୍ଷାବିତ୍ ମାୟାଧର ନାୟକ ପ୍ରମୁଖ ସୋର ଅଞ୍ଚଳର ବିଭିନ୍ନ
ସମସ୍ୟା ଉପସ୍ଥାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/HNsVYXc7O5YhwYK7KQPF.jpg)