ବିଷମକଟକ/ମୁନିଗୁଡ଼ା: ନିଜ ସ୍ୱାର୍ଥ ପାଇଁ ପରିବେଶକୁ ନଷ୍ଟ କରି ଚାଲିଛୁ। ଘର ଚାରିପାର୍ଶ୍ବ ଓ ଆଖପାଖରେ ଥିବା ଗଛ କାଟିବା ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧିପାଉଛି। ବହୁଳ ମାତ୍ରାରେ ପଲିଥିନ୍ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟ ଏକ କାରଣ। ଯାହାର ପ୍ରଭାବ ଜଳବାୟୁ ସମେତ ଚାଷବାସ ଉପରେ ପଡ଼ୁଛି। ଏହାକୁ ଗମ୍ଭୀରତାର ସହ ନେଇ ସମସ୍ତେ ଚାରା ଲଗାଇବା ସହ ଏହାର ଯତ୍ନ ନେବା ଉଚିତ ବୋଲି ବିଷମକଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁନିଗୁଡ଼ା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଷମକଟକ ବିଧାୟକ ନୀଳମାଧବ ହିକକା ଏହା ପ୍ରକାଶ କରିଛନ୍ତି।
ସଭିଏଁ ନିଜ ସ୍ତରରେ ଉଦ୍ୟମ କଲେ ଏକ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ହୋଇପାରିବ। ବୃକ୍ଷରୋପଣ, ଜଳବାୟୁର ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ବ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ବୋଲି ବିଧାୟକ କହିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବ୍ୟକ୍ତି ନିଜ ଘର ବଗିଚାରେ ଅନ୍ତତଃ ଗୋଟିଏ ଚାରାରୋପଣ କରିବାକୁ ବିଧାୟକ ଆହ୍ବାନ ଦେଇଛନ୍ତି। ମୁଖ୍ୟବକ୍ତା ଡ. ଗୌରାଙ୍ଗ ରାଉତ ପରିବେଶର ସୁରକ୍ଷା ପାଇଁ ପାଣି, ନଦୀ ଓ ମା’ ମାଟିର ସୁରକ୍ଷା ଦିଗରେ ଯୁବ ଗୋଷ୍ଠୀ ଗୁରୁତ୍ୱ ଦେବା ଜରୁରି ବୋଲି କହିଥିଲେ। ଜଙ୍ଗଲ ନଷ୍ଟ ରୋକିବା ସହ ଓ କ୍ଷେତରେ କମ ରାସାୟନିକ ସାର ବ୍ୟବହାର ପାଇଁ ଶ୍ରୀ ରାଉତ ପରାମର୍ଶ ଦେଇଛନ୍ତି। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଯୋଗଦେଇ ପୋଡ଼ୁଚାଷ ପାଇଁ ଏ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହେଉଥିବା କହିଥିଲେ। ଶାଗୁଣା ବଂଶ ଲୋପ ପାଇଗଲାଣି। ଅସମୟରେ ବର୍ଷା, ଖରା, ଶୀତ ଅନୁଭବ ପରିବର୍ତ୍ତିତ ଜଳବାୟୁର ବଡ଼ ଉଦାହରଣ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ମୁନିଗୁଡ଼ା ରେଞ୍ଜର ଅନୀଲ କୁମାର ବାଲ କହିଥିଲେ ମଣିଷ ନିଜ ଆବଶ୍ୟକତାଠାରୁ ଅଧିକ ପରିମାଣ ଗଛ କାଟିବା, ବୃକ୍ଷରୋପଣ ଦିଗରେ ଗୁରୁତ୍ୱ ନ ଦେବା ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ। ଫାର୍ ଅନୁଷ୍ଠାନର ଲୋକନାଥ ପ୍ରଧାନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ମୁନିଗୁଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଷୀକେଶ ଜାଲି, ସମ୍ବାଦ ସାହିତ୍ୟଘର ସମ୍ପାଦକ ତଥା ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମଲ୍ଲିକ, ଗଣେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/VZCD0lWxPipWaMZpC4hC.jpg)