ଶୁଆ, ଶାରି, ବେଙ୍ଗ ହୁଅନ୍ତୁ ବା ବୁଢ଼ିଆଣୀ, ଆମ ଚାରିପଟେ ଦେଖାଯାଉଥିବା ଏହି ଛୋଟ ଛୋଟ ଜୀବଜନ୍ତୁଙ୍କ ସମ୍ପର୍କରେ ଆପଣ କେବେ‌ ଚିନ୍ତା କରିଛନ୍ତି? ଅଧିକାଂଶଙ୍କ ଠାରୁ ଉତ୍ତର ଆସିବ- ନା। ଗାଁ ଗହଳିରେ ଏବେ ବି ଶୁଣିବାକୁ ମିଳେ, ‘ବେଙ୍ଗ ବୋବାଇଲେ ବର୍ଷା ହୁଏ’। ହେଲେ ଶେଷଥର ପାଇଁ ଆମେ କେବେ ବେଙ୍ଗର କେଁକଟର ଶୁଣିଥିଲେ କାହାର ମନେ ଅଛି କି? କଥାକୁହା ପକ୍ଷୀ ‘ଶାରି’ର ଚୋରାଚାଲାଣ ଫ‌ଳରେ ଶାରି ସଂଖ୍ୟା କେତେ କମିଲାଣି ଆମର ନିଘା ଅଛି କି? ପ୍ରକୃତି କୋଳରୁ କେତେ ଯେ ଛୋଟ ଛୋଟ ଜୀବଜନ୍ତୁ ହଜିଗଲେଣି ତାହାର ଖବର ଆମ ପାଖେ ଅଛି କି? ସତ କହିଲେ, ଆମେ ଏସବୁ ପ୍ରତି ବିଶେଷ ଯତ୍ନବାନ୍‌ ନୋହୁ। ପ୍ରକୃତିର ବିଧ୍ବଂସ ତୃଳମୂଳ ସ୍ତରରୁ ଆରମ୍ଭ ହୋଇଥିବାବେଳେ ଏହି ଛୋଟଛୋଟ ଜୀବଜନ୍ତୁଙ୍କ ଉପକାରିତା, ସେମାନଙ୍କ ଜୀବନଶୈଳୀ, ବ୍ୟବହାର ସମ୍ପର୍କରେ କୁନିକୁନି ପିଲାଙ୍କୁ ସଚେତନ କରାଉଛନ୍ତି ରିଜିଓନାଲ ମ୍ୟୁଜିୟମ୍‌ ଅଫ୍‌ ନ୍ୟାଚୁରାଲ୍‌ ହିଷ୍ଟ୍ରିର ବୈଜ୍ଞାନିକ ଦେବୀ ପ୍ରିୟଦର୍ଶିନୀ। 

Advertisment

ଦେବୀ ପ୍ରିୟଦର୍ଶିନୀ କହନ୍ତି, ‘‘ପୂର୍ବରୁ ଏମିତି ବହୁ କୀଟପତଙ୍ଗ, କ୍ଷୁଦ୍ରାତିକ୍ଷୁଦ୍ର ଜୀବ ଦେଖିବାକୁ ମିଳୁଥିଲେ ଯେଉଁମାନେ କି ନିର୍ଦ୍ଦିଷ୍ଟ ଋତୁର ଆଗମନ ଖବର ବିଭିନ୍ନ ସଙ୍କେତ ଜରିଆରେ ବ୍ୟକ୍ତ କରୁଥିଲେ। କିନ୍ତୁ ଏବେ ଏ ସବୁରୁ ଅନେକ ଲୁପ୍ତପ୍ରାୟ। ପୁଣି ଏହି ଛୋଟ ଜନ୍ତୁଙ୍କର ଗୁରୁତ୍ବ ଆମେ ନ ବୁଝି ସେମାନଙ୍କୁ ମାରି ଚାଲିଛେ। ଏଣୁ ଛୋଟ ଛୋଟ ପିଲାଙ୍କୁ ନେଇ ନେଚର ୱାକ୍‌ କରାଇବା ସହ ମୁଁ ସେମାନଙ୍କୁ ଏହି ଜୀବଜନ୍ତୁମାନଙ୍କର ଉପକାରିତା ଓ ଗୁରୁତ୍ବ ବୁଝାଏ। ସେମାନଙ୍କୁ ନ ମାରି ସେମାନଙ୍କ ସୁରକ୍ଷା କିଭଳି କରାଯାଇପାରିବ, ସେ ସମ୍ପର୍କରେ ବୁଝାଏ। ଆମେ ଅଣବୈଜ୍ଞାନିକ କ୍ଷେତ୍ରରୁ ଆସୁଥିବା ଲୋକମାନଙ୍କୁ ନେଇ ସଚେତନତା ଶିବିରର ଆୟୋଜନ କରୁଛୁ। ସେମିତି ବିଜ୍ଞାନ କ୍ଷେତ୍ରରେ ଜ୍ଞାନ ରଖିଥିବା ଲୋକଙ୍କୁ ନେଇ ଆମେ କର୍ମଶାଳାମାନ କରୁଛୁ। ଶୁଆ, ଶାରି, ବଣିଠାରୁ ଆରମ୍ଭ କରି ନିତିଦିନିଆ ପକ୍ଷୀଙ୍କ ସହ ବର୍ଷା, ଖରା ଓ ଶୀତ ‌ଦିନରେ ଦେଖାଯାଉଥିବା ଜନ୍ତୁମାନଙ୍କୁ ନେଇ ନିରୀକ୍ଷଣ କରାଯାଉଛି।’’ ଏଥିସହ ସେ ବୁଢ଼ିଆଣୀ ଓ ବିଛା ଭଳି ଜନ୍ତୁଙ୍କ ଅସ୍ତିତ୍ବ ଓ ପ୍ରଜନନକୁ ନେଇ ଗବେଷଣା କରୁଛନ୍ତି। ଦେବୀ ଭିତରକନିକାରେ ଲୁଣିପାଣି କୁମ୍ଭୀର ଓ ମଧ୍ୟପ୍ରଦେଶର ପାନ୍ନା ନ୍ୟାସନାଲ୍‌ ପାର୍କର ବ୍ୟାଘ୍ର ପ୍ରକଳ୍ପରେ କାର୍ଯ୍ୟ କରିସାରିଛନ୍ତି।