ପୁନେର ଅମିତ ଗୋଡ଼ସେ ପ୍ରାୟ ୧୭ ହଜାର ମହୁବସାକୁ ସୁରକ୍ଷିତ ସ୍ଥାନାନ୍ତର କରି ୭୦ କୋଟି ମହୁମାଛିଙ୍କୁ ଉଦ୍ଧାର କରିସାରିଲେଣି। ମୁମ୍ବାଇରେ ସଫ୍ଟୱେର ଇଂଜିନିଅର୍ ଭାବେ କାମ କରୁଥିବା ଅମିତ ନଅ ବର୍ଷ ତଳେ ତାଙ୍କ ବିଲ୍ଡିଂରେ ବିଷାକ୍ତ ପଦାର୍ଥ ଦ୍ବାରା ଏକ ମହୁବସାକୁ ନଷ୍ଟ କରାଯାଉଥିବାର ଦେଖିଥିଲେ। ଏହା ତାଙ୍କୁ ଏତେ ବ୍ୟଥିତ ଓ ଚିନ୍ତିତ କଲା ଯେ ସେ ଏକ ସାହସିକ ପଦକ୍ଷେପ ସ୍ବରୂପ ଚାକିରି ଛାଡ଼ି ମହୁମାଛିଙ୍କ ସୁରକ୍ଷା କାମରେ ଲାଗିପଡ଼ିଲେ। ସେବେଠାରୁ ସେ ‘ପେଷ୍ଟ୍ ଟୁ ପେଟ୍’ ପ୍ରକଳ୍ପ ଜରିଆରେ ଭାରତରେ ଦେଖାଯାଉଥିବା ପାଞ୍ଚଟି ଜାତିର ମହୁମାଛିଙ୍କ ବସାଗୁଡ଼ିକୁ ସହରର ବିପଜ୍ଜନକ ସ୍ଥାନରୁ ଉଦ୍ଧାର କରି ଚାଷଜମି ନିକଟକୁ ସ୍ଥାନାନ୍ତରିତ କରିଆସୁଛନ୍ତି। କେବଳ ଏତିକି ନୁହେଁ, ମହୁମାଛିଙ୍କ ବିବିଧତାକୁ ପରିପୁଷ୍ଟ କରିବା ପାଇଁ ସେ ପୁନେରେ ୫୦୦୦ ଗଛ ଲଗାଇବା କାମ ଜାରିରଖିଛନ୍ତି।
ମହୁମାଛି ଯେମିତି ସୁରକ୍ଷିତ ଭାବେ ରହିପାରିବେ ସେଥିପାଇଁ ସେ ବାଉଁଶରୁ ବସା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଅମିତ ‘ପୁନେର ମହୁମାଛି ମାନବ’ ନାମରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଅମିତଙ୍କ କହିବା ଅନୁଯାୟୀ, ମହୁମାଛିଙ୍କ ବିବିଧତା ପାଇଁ ବିଭିନ୍ନ ପ୍ରକାର ଗଛ ଥିବା ଜଙ୍ଗଲ ଜରୁରି। ସେ ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଆସୁଛନ୍ତି ଯେ ଘରେ ଯଦି ମହୁମାଛି ବସା ଅଛି, ତେବେ ତାକୁ ନଷ୍ଟ ନ କରି ସ୍ଥାନାନ୍ତର କରିବା ଗୁରୁତ୍ବପୂର୍ଣ୍ଣ। ତାଙ୍କ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ମହୁମାଛିପ୍ରେମୀରେ ପରିଣତ କରିବା। ତାଙ୍କ ଟିମ୍ ପୁନେ, ନାସିକ ଓ ମୁମ୍ବାଇ ସହରରେ ଏହି କାମ କରିଆସୁଛି। ଉଲ୍ଲେଖଯୋଗ୍ୟ ଯେ ବିଶ୍ବସ୍ତରରେ ୩୦% ମହୁମାଛି ଜାତି ବିପନ୍ନ ଅବସ୍ଥାରେ ଅଛନ୍ତି। କୀଟନାଶକ ବ୍ୟବହାର, ମୋନୋକଲ୍ଚର ଫାର୍ମିଂ, ସହରୀକରଣ ଆଦି କାରଣରୁ ମହୁମାଛିମାନେ ବାଧ୍ୟ ହୋଇ ସହରମୁହାଁ ହେଉଛନ୍ତି।