ଅବସର ପରେ ପରିବେଶର ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ଡକ୍ଟର ପ୍ରଦୀପ ରଥ। ୨୦୧୭ ମସିହାରେ ଭାରତ ସରକାରଙ୍କ ଉପମୁଖ୍ୟ ଶ୍ରମ କମିସନର ପଦବିରୁ ସେବାନିବୃତ୍ତ ହେବାପରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ସେ। ପ୍ରଥମେ ବିଭିନ୍ନ ସ୍କୁଲ୍ ଓ କଲେଜ ଯାଇ ଛାତ୍ରଛାତ୍ରୀଙ୍କ ସହଯୋଗରେ ଗଛ ଲଗାଇବା ଆରମ୍ଭ କରିଥିଲେ ଡ. ରଥ। ଭାରତୀୟ ମଜଦୁର ସଂଘର ଓଡ଼ିଶା ଶାଖାର ପର୍ଯ୍ୟାବରଣ ମଞ୍ଚର ଉପଦେଷ୍ଟା ଭାବରେ ସେ ଅଙ୍ଗନୱାଡ଼ି ଓ ଆଶାକର୍ମୀ ପ୍ରଭୃତି ୩୦ ହଜାର ସଭ୍ୟଙ୍କୁ ପ୍ରତ୍ୟେକ ଦୁଇଟି ଲେଖାଏଁ ଗଛ ଲଗାଇବା ସହିତ ତା’ର ଯତ୍ନ ନେବାକୁ ସୁନିଶ୍ଚିତ କରାଇଥିଲେ। ଏହାପରେ ୨୦୨୨ ମସିହାରେ ସେ ‘ପରିବେଶ ସୁରକ୍ଷା ଅଭିଯାନ’ ନାମକ ସଂଗଠନ ଗଢ଼ିଥିଲେ। ଏହାର ସଭାପତି ଭାବରେ ସେ ଗଛ ବଞ୍ଚିବାର ହାର ଶତପ୍ରତିଶତ କରିବା ପାଇଁ ଗଁା ଗଁା ବୁଲି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସଚେତନ କରୁଛନ୍ତି। ପ୍ରତ୍ୟେକଙ୍କ ଘରେ ଗୋଟିଏ ଫଳଗଛ ଲଗାଇବାରେ ସଫଳତା ପାଇଛନ୍ତି। ସେ ପୁରୀ ‘ସାହିଭାଇ’ର ଉପଦେଷ୍ଟା ଭାବରେ ପୁରୀ ବଡ଼ଦାଣ୍ଡ ଓ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଗଛ ଲଗାଇବା ସହିତ ପୁରୀର ଅନେକ ପୁଷ୍କରିଣୀର ସଫେଇ କାମରେ ମଧ୍ୟ ସାମିଲ ହୋଇଆସିଛନ୍ତି।
ଭବିଷ୍ୟତେର ଜଳ ସଂକଟ ଉତ୍କଟ ହେବାର ଆଶଙ୍କା ଥିବାରୁ ପୁରୀ ଓ ଭୁବନେଶ୍ବରର ହୋଟେଲ, ବଡ଼ ବଡ଼ ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ ତଥା ବ୍ୟାବସାୟିକ ପ୍ରତିଷ୍ଠାନରେ ବର୍ଷାଜଳ ଅମଳ କରିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ଲକ୍ଷ୍ନୌ ଆକାଶବାଣୀ ତାଙ୍କୁ ‘ଜଳଯୋଦ୍ଧା’ ରୂପେ ସ୍ବୀକୃତି ଦେଇଥିବା ବେଳେ ୨୦୧୮ ମସିହାରେ ଓଡ଼ିଶା ସରକାର ତାଙ୍କୁ ‘ପ୍ରକୃତି ବନ୍ଧୁ’ ସମ୍ମାନ ପ୍ରଦାନ କରିଛନ୍ତି। ‘ଵାର୍ଲଡ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ୍ ଆସୋସିଏସନ୍’ ନାମକ ସଂସ୍ଥା ତାଙ୍କୁ ‘ଭାରତ ଗୌରବ ସମ୍ମାନ-୨୦୧୭’ ପ୍ରଦାନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/13/fUzQGdYU7pSZME0CbyW1.jpg)