କଟକଜିଲ୍ଲା ରାଉତରାପୁର ସାଧୁସାହି ଗ୍ରାମର ଡକ୍ଟର ନାରାୟଣ ତ୍ରିପାଠୀଙ୍କ ମନରେ ପାଠ ପଢ଼ିଲା ସମୟରୁ ପ୍ରକୃତି ଓ ପରିବେଶ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା। ତାଙ୍କ ଜେଜେବାପା ପଥପାର୍ଶ୍ବ ଓ ଖୋଲାସ୍ଥାନରେ ଫୁଲ ଓ ଫଳ ଗଛ ଲଗାଇବା ଦେଖି ସେ ଅନୁପ୍ରାଣିତ ହୋଇଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ବରିଷ୍ଠ ଶ୍ରମ ଅଧିକାରୀ ଭାବେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଯେତେବେଳେ ସେ ଚାକିରି କରୁଥିଲେ ନିଜ କାର୍ଯ୍ୟାଳୟ ସମେତ ଆଖପାଖ ଅଞ୍ଚଳରେ ସହକର୍ମୀମାନଙ୍କୁ ନେଇ ବୃକ୍ଷ ରୋପଣ ଅଭିଯାନ ଚଳାଇଥିଲେ। ଏହାଦ୍ବାରା ସ୍ଥାନୀୟ ଲୋକମାନେ ଉତ୍ସାହିତ ହୋଇ ବହୁ ସଂଖ୍ୟାରେ ଗଛ ଲଗାଇ ଏକ ସବୁଜ ବଳୟ ସୃଷ୍ଟି କରିପାରିଥିଲେ।
ଡକ୍ଟର ତ୍ରିପାଠୀ ଉପ-ମୁଖ୍ୟ ଶ୍ରମ କମିସନର ଭାବେ ଅବସର ଗ୍ରହଣ କରିବା ପରେ ବର୍ତ୍ତମାନ ଭୁବନେଶ୍ବରର ଖଣ୍ଡଗିରି-ଉଦୟଗିରି ପାହାଡ଼ରେ ସବୁଜ ଓ ସ୍ବଚ୍ଛ ମିସନ୍ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହା ବ୍ୟତୀତ କ୍ୟାପିଟାଲ ହସ୍ପିଟାଲ, ପାରାଦ୍ବୀପ ଆଇଓସିଏଲ୍ ରିଫାଇନାରି ଅଞ୍ଚଳରେ ବୃକ୍ଷ ରୋପଣ ଓ ସ୍ବଚ୍ଛ ଅଭିଯାନ ଆରମ୍ଭ କରିଛନ୍ତି। ଅନେକ ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୮୦ରୁ ଅଧିକ ସ୍କୁଲ ଓ କଲେଜରେ ସବୁଜ ଅଭିଯାନ ବାହିନୀ ସୃଷ୍ଟି କରି ପରିବେଶ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହା ସହିତ ଭୁବନେଶ୍ବରସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଜାଭିଅର ଇନ୍ଷ୍ଟିଚ୍ୟୁଟ୍ ପରିସରରେ ଗଛ ଲଗାଇବା ସହିତ ଏହି ପରିସରକୁ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ କାର୍ଯ୍ୟ କରୁଛନ୍ତି।
ରୋଟାରି ଇଣ୍ଟରନ୍ୟାସନାଲ୍ ସହଯୋଗରେ ଡକ୍ଟର ତ୍ରିପାଠୀ ଯଦୁପୁର ହାଇସ୍କୁଲ, ଖୋର୍ଦ୍ଧା ଜାଭିଅର ହାଇସ୍କୁଲରେ ମଧ୍ୟ ନିଜର ପରିବେଶ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟ ଜାରି ରଖିଛନ୍ତି। ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ ପାଇଁ ତାଙ୍କୁ ରୋଟାରି ଇଣ୍ଟରନ୍ୟାସନାଲ ପକ୍ଷରୁ ‘ଗ୍ରିନ୍ ଆମ୍ବାସଡର୍’ ଭାବେ ସମ୍ମାନିତ କରାଯାଇଛି। ବର୍ତ୍ତମାନ ଡକ୍ଟର ତ୍ରିପାଠୀ ନିଜର ପ୍ରିୟ ପରିଜନଙ୍କ ଦ୍ବାରା ଛାତ ଉପରେ କିପରି ବିଭିନ୍ନ ବୃକ୍ଷଲତା ଲଗାଯିବ, ସମସ୍ତଙ୍କ ମଧ୍ୟରେ ଗଛ ପ୍ରତି ଭଲପାଇବା ବୃଦ୍ଧି କରାଯାଇ ପାରିବ, ସେ ଦିଗରେ କାର୍ଯ୍ୟ କରୁଛନ୍ତି। ଘର ଛାତ ଉପରେ ସେ ୧୫୦ରୁ ଅଧିକ ବୃକ୍ଷଲତା ଲଗାଇବା ସହ ଗଛଲତା ପାଇଁ ନିଜର ସମର୍ପଣ ଭାବ ପରିପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/07/dgjgdjdgjcnnb-2025-07-07-23-39-49.jpg)