ପିପିଲାଦିନୁ ସେ କେଳାମାନଙ୍କୁ ସାପ ଖେଳାଇବାର ଓ ଧରିବାର ଦେଖିଛନ୍ତି। ଘରେ ସାପ ପଶିଲେ, ଅନେକ ଲୋକ ଈଶ୍ବର ବିଶ୍ବାସ ଯୋଗୁଁ ସାପଙ୍କୁ ନ ମାରି ଛାଡ଼ିଦେବାର ଓ ଅନ୍ୟ କିଛି ଲୋକ ଭୟରେ ସାପଙ୍କୁ ମାରି ଦେବାର ବି ଦେଖିଛନ୍ତି। ସେବେଠାରୁ ସାପଙ୍କୁ ନେଇ ତାଙ୍କର ଅହେତୁକ ଦୁର୍ବଳତା। ପେସାରେ ଜଣେ ଖବରକାଗଜ ବିତରକ ହୋଇଥିବା ବେଳେ ସାପଙ୍କୁ ଧରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିବା ପାଲଟିଯାଇଛି ତାଙ୍କ ନିଶା। ଆଉ ସାପକାମୁଡ଼ା ପୀଡ଼ିତଙ୍କୁ ଯଥା ସମୟରେ ହସ୍‌ପିଟାଲ୍‌ରେ ପହଞ୍ଚାଇବାକୁ ବି ସେ କେବେ ଭୁଲନ୍ତି ନାହିଁ। ସାପଙ୍କୁ ପ୍ରକୃତିର ବନ୍ଧୁ ବିଚାର କରୁଥିବା ପ୍ରହ୍ଲାଦ ଏବେ ପାଲଟି ଯାଇଛନ୍ତି ‘ସର୍ପବନ୍ଧୁ’। 

Advertisment

ପୁରୀର ଉଦୟପୁର ଗ୍ରାମରେ ରହୁଥିବା ପ୍ରହ୍ଲାଦ ମାତ୍ର ୧୩ ବର୍ଷ ବୟସରୁ ସାପ ଧରିବା କୌଶଳ ଶିଖିଥିଲେ। ସେ କହନ୍ତି, ‘‘ହାତୀ, ବାଘ ଭଳି ସାପ ମଧ୍ୟ ପରିବେଶ ଓ ଜୈବ ବିବିଧତା ପାଇଁ ଜରୁରି। ଜଙ୍ଗଲ କାଟି ଜନବସତି ମାଡ଼ିଚାଲିଥିବା ‌େବଳେ ସେମାନେ ରହିବାକୁ ସ୍ଥାନ ନ ପାଇ ଜନବସତି ଆଡ଼କୁ ଚାଲି ଆସୁଛନ୍ତି। ସେମାନଙ୍କୁ କ୍ଷତିକାରକ ଭାବି ମାରି ଦେଲେ ତ’ ଚଳିବ ନାହିଁ, ଏଣୁ ମୁଁ ଆଖପାଖ ଅଞ୍ଚଳରୁ ସାପ ଧରି ‌େସମାନଙ୍କୁ ଜନବସତିରୁ ଦୂରରେ ସୁରକ୍ଷିତ ଭାବେ ଘଞ୍ଚ ଜଙ୍ଗଲରେ ଛାଡ଼ିଦେଉଛି।’’ ବର୍ତ୍ତମାନ ସୁଦ୍ଧା ସେ ୨ ହଜାରରୁ ଅଧିକ ତମ୍ପ, ନାଗ, ଢମଣା ଭଳି ସାପ ଧରି ଜଙ୍ଗଲରେ ଛାଡ଼ିଲେଣି। ଏଥିସହ ଗ୍ରାମାଞ୍ଚଳର ସମସ୍ତ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍‌ସନ୍‌ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବାକୁ ସେ ବିଭିନ୍ନ ସମୟରେ ସକ୍ରିୟତା ପ୍ରଦର୍ଶନ କରିଛନ୍ତି। 

ଶ୍ରୀ ପ୍ରଧାନ କହନ୍ତି, ‘‘ସାପମାନେ ଘରେ ପଶିବା ନିହାତି ଭାବେ ଆତଙ୍କର ବିଷୟ। ଏଣୁ ଏମାନଙ୍କଠାରୁ ନିରାପଦ ଦୂରତାରେ ରହି ସାପଧରାଳିଙ୍କୁ ଡକାଇ ସାପଙ୍କୁ ବାହାର କରିଦେଲେ ଉଭୟ ମଣିଷ ଓ ସାପ ସୁରକ୍ଷିତ ରହିପାରିବେ। ସେମି‌ତିରେ ଜଙ୍ଗଲ ହ୍ରାସ ଯୋଗୁଁ ଅନେକ ସାପ ବଂଶ ଲୋପ ପାଇବାରେ ଲାଗିଛି। ଆଉ ଯଦି ଆମେ ସାପଙ୍କୁ ଘରେ ପଶିଲେ ମାରିବା ଆରମ୍ଭ କରିବା ତେବେ ସାପ ବଂଶ ଲୋପ ପାଇବାକୁ ଅଟକାଇ ହେବ ନାହିଁ।’’ ଏଥିସହ ସାପ କାମୁଡ଼ିବା କ୍ଷଣି କୌଣସି ପ୍ରକାର ଅନ୍ଧବିଶ୍ବାସର ବଶବର୍ତ୍ତୀ ନ ହୋଇ ତୁରନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବାକୁ ସେ ପରାମର୍ଶ ଦେଇଛନ୍ତି।