ପ୍ରତି ଦିନ ରାତି ପାହିଲେ ଅଙ୍ଗନବାଡ଼ି ଦିଦି ପିଙ୍କି ସଏ ଘରୁ ବାହାରି ପଡ଼ନ୍ତି। ପିଲା ଓ ମା’ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ସହିତ ସେମାନଙ୍କୁ ସ୍ବାସ୍ଥ୍ୟ ଓ ଶିକ୍ଷା ସେବା ଯୋଗାଇ ଦେବାକୁ ପହଞ୍ଚି ଯାଆନ୍ତି କଟକ ସିଡିଏରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ। ଆଉ ଘଣ୍ଟାରେ ଅପରାହ୍ଣ ୪ଟା ବାଜିଲେ ସିଡିଏର ଜାଗା ମିସନ୍ ଅଧୀନରେ ଗଢ଼ି ଉଠିଥିବା ବୃହତ୍ ଆଦିବାସୀ ବସ୍ତିକୁ ଯାଇ ବଗିଚା କାମରେ ଲାଗି ପଡ଼ନ୍ତି ପିଙ୍କି। ସେ ଏକା ନୁହେଁ, ପ୍ରତ୍ୟେକ ଘରୁ ମହିଳାଙ୍କୁ ଡାକି ବାଡ଼ିବଗିଚାରେ ଏବଂ ଖାଲି ପଡ଼ିଥିବା ନଈକୂଳ ପଡ଼ିଆ ଜମିରେ ଫୁଲ, ଫଳ ଓ ପନିପରିବା ବଗିଚା କରିବା କାମରେ ଲାଗି ଯାଆନ୍ତି। ପୁଣି ପନିପରିବା ଚାଷ ସଂପୂର୍ଣ୍ଣ ଜୈବିକ ଉପାୟରେ ହୋଇଥାଏ। ଏହା ବାଦ୍ ପିଙ୍କି ଗଛ ଲଗାଇବାରେ ବି ପଛୁଆ ନୁହନ୍ତି। ବର୍ଷା ଋତୁ ଆସିଲେ ପ୍ରତି ରବିବାର ବଉଳ ଗଛ ଚାରା ରୋପଣରେ ମନୋନିବେଶ କରନ୍ତି ସେ। ପ୍ରତିଦିନ ସେ ଅପରାହ୍ଣରେ ଦେଢ଼ଘଣ୍ଟା ବଗିଚା କାମ କରନ୍ତି ଏବଂ ଏହାର ଉପକାରିତା ବିଷୟରେ ଆଦିବାସୀ ମହିଳାମାନଙ୍କୁ ସଚେତନ କରନ୍ତି। ସେଥିପାଇଁ କିଏ ତାଙ୍କୁ ବଉଳ ଦିଦି କହନ୍ତି ତ ଆଉ କିଏ ବଗିଚା ଦିଦି ବୋଲି ଡାକନ୍ତି।
ଏହି ନାମରେ ସେ ସିଡିଏରେ ବେଶ୍ ପରିଚିତ। ନିଜ ଅଙ୍ଗନବାଡ଼ି ପରିସରରେ ଫୁଲ, ଫଳ ଓ ପନିପରିବା ବଗିଚା କରି ସେ ପ୍ରତ୍ୟେକ ପିଲା ଓ ସେମାନଙ୍କର ମା’ମାନଙ୍କୁ ଏହାକୁ ଦେଖାଇ ବଗିଚା କରିବା ପାଇଁ ଅନୁପ୍ରାଣିତ କରିଥାନ୍ତି। ପିଙ୍କି ସଏ କହନ୍ତି, ‘‘ଆଜିର ଦିନରେ ଆମ ଆଦିବାସୀ ପରିବାରରେ ଦେଶୀ ଶିମ୍ବ, ବିଲାତି ବାଇଗଣ, କୁନ୍ଦୁରି, କାଙ୍କଡ଼, କଦଳୀ ଓ ପିଆଜ, ରସୁଣ ଭଳି ପନିପରିବା ଆଉ ମିଳୁନାହିଁ।’’ ସେ କହନ୍ତି ଯେ ନଈ ପାର୍ଶ୍ବସ୍ଥ ପଡ଼ିଆ ଜମିରେ ପନିପରିବା ଉତ୍ପାଦନ ଅଳ୍ପ ଖର୍ଚ୍ଚରେ ମହିଳାମାନେ କରିପାରିବେ। ଏହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ପରିବାରର ଖର୍ଚ୍ଚ କମ୍ କରିପାରିବ। ନଈକୂଳିଆ ଗରମ ପବନ ଓ ଖରାତାତିରୁ ରକ୍ଷା ପାଇବା ପାଇଁ ଆମେ ବଉଳ ଗଛ ଲଗାଇବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ। ଆଜି ସଫଳତାର ସହିତ ଆମେ ଶତାଧିକ ବଉଳ ଗଛ ବଞ୍ଚାଇ ରଖିପାରିଛୁ। ବର୍ଷା ଦିନେ ଏହି ଗଛ ଲଗାଇ ଖରା ଦିନେ ଟିକିଏ ଯତ୍ନ ନେଲେ ଏହି ଗଛ ସହଜରେ ବଞ୍ଚିପାରିବେ। ପରିବେଶର ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟ ବଗିଚା ପ୍ରେମରୁ ଆରମ୍ଭ କଲେ ଏହା ସଫଳ ହୋଇପାରିବ। ତେଣୁ ସୁରକ୍ଷିତ ପରିବେଶ ପାଇଁ ପିଲାମାନଙ୍କୁ ସେମାନଙ୍କର ବିଦ୍ୟାଳୟ ଜୀବନରେ ବଗିଚା ପ୍ରସ୍ତୁତି ପାଇଁ ପ୍ରେରଣା ଯୋଗାଇବା ଜରୁରି ବୋଲି ପିଙ୍କି ସଏ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/dagdadgazcv-2025-10-28-00-18-08.jpg)