ବିଶ୍ବ ଐତିହ୍ୟ ପାଣ୍ଠି (ଡବଲ୍ୟୁଏମ୍ଏଫ୍) ମହାକାଶ ଐତିହ୍ୟର ପ୍ରତୀକ ଚନ୍ଦ୍ରକୁ ତାହାର ବିପଦପୂର୍ଣ୍ଣ ସ୍ଥାନ ତାଲିକାରେ ସାମିଲ କରିଛି। ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ବିଲୁପ୍ତପ୍ରାୟ ସାଂସ୍କୃତିକ ଐତିହ୍ୟ ସ୍ଥାନଗୁଡ଼ିକପ୍ରତି ଦୃଷ୍ଟି ଆକର୍ଷଣ କରାଇବା ପାଇଁ ଡବଲ୍ୟୁଏମ୍ଏଫ୍ ଏକ ତାଲିକା ପ୍ରକାଶ କରିଥାଏ। ଚଳିତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ଭାରତର ମୂଷିନଦୀ ତଟସ୍ଥ କୋଠାବାଡ଼ି, ଗାଜାର ଫେବ୍ରିକ୍ ଗୃହ ଓ ପର୍ତ୍ତୁଗାଲ୍ର ଆଶ୍ରମ ସମେତ ବିଶ୍ବର ୨୫ଟି ସ୍ଥାନ ମଧ୍ୟରେ ଏକମାତ୍ର ମହାକାଶୀୟ ସ୍ଥଳ ତଥା ଆମର ଏକମାତ୍ର ଉପଗ୍ରହ ଚନ୍ଦ୍ର ମଧ୍ୟ ସ୍ଥାନ ପାଇଛି।
ଡବଲ୍ୟୁଏମ୍ଏଫ୍ ଦର୍ଶାଇଛି ଯେ, ମହାକାଶ ଅନୁସନ୍ଧାନର ଏକ ନୂତନ ଯୁଗ ଆରମ୍ଭ ହେବା ସହିତ ପ୍ରାରମ୍ଭିକ ଚନ୍ଦ୍ର ଅବତରଣର ଭୌତିକ ଅବଶେଷ ଆଜି ବିପଦରେ ପଡ଼ିଛି, ଯାହା ସାମୂହିକ ମାନବ ସଫଳତାର ଏହି ସ୍ଥାୟୀ ପ୍ରତୀକଗୁଡ଼ିକୁ ବିନଷ୍ଟ କରିଦେଇପାରେ। ମହାକାଶ ଦୌଡ଼ରେ ସାମିଲ ଥିବା ବିଭିନ୍ନ ଦେଶର ଧନୀକ ଗୋଷ୍ଠୀ ଓ ସରକାରଙ୍କ ମଧ୍ୟରେ ମହାକାଶ ଯାତ୍ରା ପାଇଁ ବଢୁଥିବା ଆଗ୍ରହ ସହିତ ଚନ୍ଦ୍ରପୃଷ୍ଠରେ ମାନବ ଅବଶେଷ ପରିବେଶରେ ଗମ୍ଭୀର କ୍ଷତି ପହଞ୍ଚାଇପାରେ। ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ଆପୋଲୋ-୧୧ ଅବତରଣ କରିଥିବା ତଥା ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ ପ୍ରଥମେ ପାଦ ଥାପିଥିବା ପ୍ରଶାନ୍ତ ସ୍ଥଳ (ଟ୍ରାଙ୍କୁଲିଟି ବେସ୍) ସମେତ ୯୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସ୍ଥାନ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଡବଲ୍ୟୁଏମ୍ଏଫ୍ ସତର୍କ କରାଇ ଦେଇଛି।
ଆଗାମୀ ମହାକାଶ ଅଭିଯାନ ଓ ଘରୋଇ ଚନ୍ଦ୍ର ଅନୁସନ୍ଧାନଗୁଡ଼ିକରେ ହେବାକୁ ଥିବା ଶୋଷଣମୂଳକ ପରିଦର୍ଶନ, ସ୍ମୃତିକରଣ ଓ ଲୁଣ୍ଠନ ଆଦି ଶେଷରେ ଏହି ପ୍ରାକୃତିକ ଅନନ୍ୟ ସାଂସ୍କୃତିକ ଐତିହ୍ୟର କ୍ଷତି ପହଞ୍ଚାଇପାରେ, କଳାକୃତିକୁ ଅପସାରଣ କରିପାରେ ଏବଂ ଚନ୍ଦ୍ରପୃଷ୍ଠରୁ ପ୍ରସିଦ୍ଧ ଚିହ୍ନ ଓ ଭୂମିରୂପକୁ ସବୁଦିନ ପାଇଁ ଲିଭାଇଦେଇପାରେ ବୋଲି ଡବଲ୍ୟୁଏମ୍ଏଫ୍ ଆଶଙ୍କା ପ୍ରକଟ କରିଛି। ସୂଚନାଯୋଗ୍ୟ, ଆପୋଲୋ୧୧ର ମହାକାଶଚାରୀମାନେ ଚନ୍ଦ୍ରରେ ଶାନ୍ତିର ପ୍ରତୀକ ଭାବେ ଏକ ସୁବର୍ଣ୍ଣ ତରୁଶାଖା ଛାଡ଼ିଥିବା ବେଳେ ଗତବର୍ଷ ସ୍ପେସ-ଏକ୍ସର ଏକ ରକେଟ୍ ଶିଳ୍ପୀ ଜେଫ୍ କୁନ୍ସଙ୍କ ଦ୍ବାରା ନିର୍ମିତ ୧୨୫ଟି କ୍ଷୁଦ୍ର ମୂର୍ତ୍ତି ଧରି ଚନ୍ଦ୍ରକୁ ଯାଇଥିଲା।