ସାମୁଦ୍ରିକ ‌ଜୀବବିଜ୍ଞାନ ଓ ପରେ ପ୍ରାଣୀବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ସାରିବା ପରେ ସେ ନିଜ ଚାରିପାଖରେ ଉଡ଼ି ବୁଲୁଥିବା ପକ୍ଷୀମାନଙ୍କୁ ଦେଖିବା ଓ ପରେ ସେମାନଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଭିନ୍ନ ଭିନ୍ନ ପ୍ରଜାତିର ଚଢ଼େଇଙ୍କୁ ଆବିଷ୍କାର କରିବା ଓ ସେମାନଙ୍କ ବାସସ୍ଥଳୀ ଓ ଆଚରଣ ସମ୍ପର୍କରେ ଅଧିକ ଜାଣିବାକୁ ସେ ସକ୍ରିୟ ହୋଇଥିଲେ। ପକ୍ଷୀମାନଙ୍କ ପ୍ରତି ଏହି ଅନୁସନ୍ଧିତ୍ସା ତାଙ୍କୁ ଗବେଷଣା ଦିଗରେ ବାଟକଢ଼ାଇଲା। ‘ପକ୍ଷୀମାନଙ୍କ ଉପରେ ପରିବେଶ ପ୍ରଦୂଷଣର ପ୍ରଭାବ’ ବିଷୟବସ୍ତୁକୁ ନେଇ ସେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳ‌ୟରେ ପିଏଚ୍‌ଡି କରିଥିଲେ। ଏଣୁ ପକ୍ଷୀମାନଙ୍କ ବଂଶ ବିଲୋପନ, ସେମାନଙ୍କ ବାସସ୍ଥଳୀ ସଙ୍କୋଚନ ତଥା ଚଢ଼େଇଙ୍କ ପ୍ରତି ବିପଦରୁ ସେମାନଙ୍କୁ କିଭଳି ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ସେ ଗବେଷଣା ଆରମ୍ଭ କରିଦେଇଥିଲେ। ଦୀର୍ଘ ୧୦ ବର୍ଷ କାଳ ନିଜକୁ ପକ୍ଷୀ ସୁରକ୍ଷାରେ ସମର୍ପିଥିବା ଡକ୍ଟର ବିଭୁପ୍ରସାଦ ପଣ୍ଡା ଏବେ ପକ୍ଷୀ ଗବେଷଣା ‌କ୍ଷେତ୍ରରେ ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। 

Advertisment

ଡକ୍ଟର ପଣ୍ଡା କହନ୍ତି, ପକ୍ଷୀ ଆମ ଜୈବବିବିଧତା ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ସେ ଭୁବନେଶ୍ବରର ‘ରିଜିଓନାଲ୍‌ ମ୍ୟୁଜିୟମ୍‌ ଅଫ୍‌ ନ୍ୟାଚୁରାଲ୍‌ ହି‌ଷ୍ଟ୍ରି’ରେ କାର୍ଯ୍ୟରତ ଥିବା ବେଳେ ସ୍କୁଲ୍‌ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ଚଢ଼େଇ ସଂରକ୍ଷଣ ଓ ଜୈବବିବିଧତା ସମ୍ପର୍କରେ ବୁଝାଇବା ସହ ବହୁ ସଚେତନତା କାର୍ଯ୍ୟକ୍ରମ କରୁଥିଲେ। ଏହାପରେ ସେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଅଧୀନସ୍ଥ ‘ସଲିମ୍‌ ଅଲ୍ଲୀ ସେଣ୍ଟର୍‌ ଫର୍‌ ଅରିନ୍ଥୋଲୋଜି ଆଣ୍ଡ୍‌ ନ୍ୟାଚୁରାଲ୍‌ ହିଷ୍ଟ୍ରି’ରେ ୨ ବର୍ଷ କାମ କରି ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ଆଦି ରାଜ୍ୟର ପକ୍ଷୀ, ଜୈବ ବିବିଧତା ଓ ବାସସ୍ଥଳୀ ସଂରକ୍ଷଣ ସମ୍ପର୍କରେ ଗବେଷଣା କରିଥିଲେ। ଏଥିସହ ପକ୍ଷୀ ସଂରକ୍ଷଣ ଉପରେ ସେସବୁ ରାଜ୍ୟର ‘ଷ୍ଟେଟ୍‌ ଆକ୍ସନ୍ ପ୍ଲାନ୍’ ପ୍ରସ୍ତୁତିରେ ବି ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏବେ ସେ ଭୁବନେଶ୍ବରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ରାଜ୍ୟ ଓ ସହରର ପକ୍ଷୀଙ୍କ ଉପରେ ସବିଶେଷ ଗବେଷଣା କରୁଛନ୍ତି। 

ବିଭୁପ୍ରସାଦ ବର୍ତ୍ତମାନ ସହରାଞ୍ଚଳରେ ପକ୍ଷୀମାନଙ୍କ ପ୍ରତି ଥିବା ବିପଦ ଉପରେ ବିଶେଷ ଅଧ୍ୟୟନ କରୁଛନ୍ତି। କେଉଁଠି ଅଧିକ ପକ୍ଷୀ ଦେଖାଯା’ନ୍ତି, କିଭଳି ସ୍ଥାନରେ ବସବାସ କରିବାକୁ ପସନ୍ଦ କରନ୍ତି, ସହରାଞ୍ଚଳରେ କେଉଁ ସ୍ଥାନ ଚଢ଼େଇଙ୍କ ପାଇଁ ଉପଯୁକ୍ତ, ସେମାନଙ୍କ ଖାଦ୍ୟାଭ୍ୟାସ ଆଦି ସମ୍ପର୍କରେ ସେ ଏବେ ଗଭୀର ଅନୁଧ୍ୟାନ କରୁଛନ୍ତି। ଶବ୍ଦ ପ୍ରଦୂଷଣ ଚଢ଼େଇମାନଙ୍କୁ କିଭଳି ପ୍ରଭାବିତ କରୁଛି ତା’ ଉପରେ ମଧ୍ୟ ଡକ୍ଟର ପଣ୍ଡା ଗବେଷଣା କରିଛନ୍ତି। ତାଙ୍କ ଲିଖିତ ‘ବାର୍ଡସ୍‌ ଅଫ୍‌ ଭୁବନେଶ୍ବର’ ପୁସ୍ତକ ଅନୁସାରେ, ଭୁବନେଶ୍ବରରେ ଅଧୁନା ୨୪୭ ପ୍ରକାରର ଚଢ଼େଇ ଅଛନ୍ତି। ବର୍ତ୍ତମାନ ଲୁହା, ସୀସା, କ୍ରୋମିୟମ୍‌, ତମ୍ବା, ଆର୍ସେନିକ ଓ ଜିଙ୍କ୍‌ ଆଦି ଭାରୀ ଧାତୁର ପ୍ରଭାବ ମଣିଷ ଓ ଚଢ଼େଇମାନଙ୍କ ଉପରେ କିଭଳି ରହୁଛି ସେ ସମ୍ପର୍କରେ ବି ସେ ଗବେଷଣା କରୁଛନ୍ତି।