ପୋଥିଗତ ବିଦ୍ୟାରେ ସେ ସିଦ୍ଧହସ୍ତ ନୁହନ୍ତି। କିନ୍ତୁ ପରିବେଶ ଓ ଜୀବମଣ୍ଡଳକୁ ବୁଝିବାରେ ଓ ବୁଝାଇବାରେ ସେ ବିଫଳ ହୋଇନାହାନ୍ତି। ପରିବେଶ ଓ ଜୈବବିବିଧତା ପାଇଁ କଇଁଛ ଓ ସାପ ଆଦି କେତେ ଜରୁରି ସେସବୁ ସମ୍ପର୍କରେ ସେ ଲୋକମାନଙ୍କୁ ବୁଝାଇବା ସହ ସାହିକୁ ସାହି ବୁଲି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଗଣପତି ସାହୁ। ବୟସ ପାଖାପାଖି ୫୫ ବର୍ଷ ହେବ। ଗଞ୍ଜାମର ପୁରୁଣାବନ୍ଧରେ ତାଙ୍କର ଜନ୍ମ। ସମୁଦ୍ର କଇଁଛ ସଂରକ୍ଷଣରେ ୧୯୯୭ ମସିହାରୁ ଲାଗିଥିବା ଶ୍ରୀ ସାହୁ ଋଷିକୁଲ୍ୟା ନଦୀ ମୁହାଣରେ କାମ କରୁଥିଲେ। ୨୦୧୦ ମସିହାରୁ ସେ ବାଉଦା ମୁହାଣରେ ବିଭିନ୍ନ ସଂଗଠନଙ୍କ ସହଯୋଗରେ କଇଁଛ ସୁରକ୍ଷା ଓ ସେମାନଙ୍କ ଅଣ୍ଡାର ସଂରକ୍ଷଣ ଦିଗରେ କାମ କରୁଛନ୍ତି। ଏଥିସହ ଜନବସତିରୁ ସାପମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲ ଅଞ୍ଚଳରେ ଛାଡ଼ିବା କ୍ଷେତ୍ରରେ ବି ସେ କାର୍ଯ୍ୟରତ।
ଶ୍ରୀ ସାହୁ କହିଛନ୍ତି, ‘ପିଲାବେଳେ ଆମ ଅଞ୍ଚଳରେ ଆମେ ବହୁତ କଇଁଛ ଦେଖୁଥିଲୁ। ସେମାନଙ୍କ ଅଣ୍ଡା ସ୍ଥାନୀୟ ଲୋକମାନେ ବି ଖାଆନ୍ତି। କିନ୍ତୁ କଇଁଛର ଗୁରୁତ୍ବ ଓ ଜୈବବିବିଧତା ପାଇଁ ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଆମେ ଜାଣିନଥିଲୁ। କିଛି ସ୍ବେଚ୍ଛାସେବୀ ସଂଗଠନ ଆସି ଆମକୁ ଏ ସମ୍ପର୍କରେ ବୁଝାଇଥିଲେ। ଏହା ପରଠାରୁ ମୁଁ କଇଁଛ ଅଣ୍ଡା ସଂରକ୍ଷଣରେ ଲାଗିପଡ଼ିଛି।’
୨୦୧୦ ମସିହାରୁ ଗଣପତି ସାପମାନଙ୍କ ଉଦ୍ଧାର, ସେମାନଙ୍କ ସଂରକ୍ଷଣ ସହ ଲୋକମାନଙ୍କୁ ସାପ କାମୁଡ଼ିଲେ କିଭଳି ଝଡ଼ାଫୁଙ୍କାରେ ବିଶ୍ବାସ ନକରି ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାଯିବା ଦରକାର ସେ ସମ୍ପର୍କରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ବୁଝାଉଛନ୍ତି, ଗାଁଗାଁ ବୁଲି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଖାଲି ସେତିକି ନୁହେଁ, ଡାକ୍ତରଖାନା ଦୂରରେ ଥିଲେ ସାପ କାମୁଡ଼ିଥିବା ବ୍ୟକ୍ତିର ପ୍ରାଥମିକ ଚିକିତ୍ସା କିପରି ହୋଇପାରିବ ସେ ସମ୍ପର୍କରେ ବି ସେ ଶିକ୍ଷା ଦେଇଥା’ନ୍ତି। କେବଳ ମଣିଷ ନୁହେଁ, ଧରଣୀ ମା’ର ପ୍ରତିଟି ସନ୍ତାନ ଜରୁରି। ଆମେ ଜଙ୍ଗଲ, ସମୁଦ୍ର, ନଦୀ ଆଦି ସମସ୍ତ ପ୍ରାକୃତିକ ସମ୍ବଳକୁ ବ୍ୟବହାର କରିବାରେ ଲାଗିଛେ। ଫଳରେ ବହୁ ଜୀବଜନ୍ତୁଙ୍କ ବଂଶ ଲୋପ ପାଉଛି। ଏହାକୁ ସୁଧାରିବାର ଗୁରୁଦାୟିତ୍ବ ଆମର। ଏଣୁ କଇଁଛ, ସାପ, ହାତୀ, କୁମ୍ଭୀର ଓ ବିଭିନ୍ନ ଚଢ଼େଇଙ୍କ ସଂରକ୍ଷଣ ଓ ସୁରକ୍ଷା କରିପାରିଲେ ଆମେ ଏକ ସୁନ୍ଦର ପୃଥିବୀ ଗଢ଼ିପାରିବା ବୋଲି କହନ୍ତି ଗଣପତି।