ବାପା ଜଣେ ଗରିବ ଚାଷୀ ହୋଇଥିବାରୁ ଭଲ ପାଠ ପଢ଼ି ବଡ଼ ଚାକିରି କରିବାର ସ୍ବପ୍ନ ଅଧାରୁ ଭାଙ୍ଗିଯାଇଥିଲା। ସେ ଦ୍ବାଦଶ ପରେ ଉଚ୍ଚଶିକ୍ଷା ଲାଭ କରିପାରି ନଥିଲେ। ହେଲେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ସକ୍ରିୟ ହୋଇଉଠିଥିଲେ। ଅସ୍ତରଙ୍ଗରେ ହେନ୍ତାଳ ବନ ସୃଷ୍ଟି, ପ୍ଲାଷ୍ଟିକ୍ ବର୍ଜ୍ୟ ସଫେଇ ଓ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଆମ୍ବଡିହ ଗ୍ରାମର ରାହୁଲ ମହାରଣାଙ୍କୁ ୨୦୨୨-୨୩ ପାଇଁ ଜାତୀୟ ଯୁବ ପୁରସ୍କାର ମିଳିଛି।

Advertisment

ଜଣେ ପରିବେଶ ଯୋଦ୍ଧା ଭାବେ ନିଜର ଜୀବନ ଯାତ୍ରା ବିଷୟରେ ୨୫ ବର୍ଷୀୟ ରାହୁଲ କହନ୍ତି, ‘‘ଏକାଦଶ ଶ୍ରେଣୀରେ ପଢୁଥିବା ବେଳେ ଓଡ଼ିଶାକୁ ପ୍ରତିବର୍ଷ କାହିଁକି ବାତ୍ୟା ଆସୁଛି, ସେ ପ୍ରଶ୍ନ ମୋ ମନରେ ଉଙ୍କି ମାରିଥିଲା। ମୁଁ ଇଣ୍ଟରନେଟରୁ ଜାଣିବାକୁ ପାଇଲି ଯେ ସମୁଦ୍ର କୂଳ‌େର ଜମା ହେଉଥିବା ପ୍ଲାଷ୍ଟକ୍ ଏକ ପ୍ରମୁଖ କାରଣ। ସମୟ ସହ ତାହା ମାଇକ୍ରୋ ପ୍ଲାଷ୍ଟିକ୍‌ରେ ପରିଣତ ହୁଏ ଏବଂ ପବନ ଓ ପାଣି ମାଧ୍ୟମରେ ସମୁଦ୍ରରେ ମିଶେ। ସମୁଦ୍ରରେ ଥିବା ମାଛ ଓ କଇଁଛ ଏହାକୁ ଖାଇ ମୃତ୍ୟୁବରଣ କରନ୍ତି। ଏହା ଯୋଗୁଁ ଆମ ପର୍ଯ୍ୟାବରଣ ବିଗିଡ଼ିଯାଏ। ଏ ବିଷୟରେ ଜାଣିବା ପ‌ରେ ମୁଁ ପ୍ରଥମେ ଅସ୍ତରଙ୍ଗରେ ଥିବା ପୀର୍ ଜାହାନିଆ ବେଳାଭୂମିରୁ ଏକାକୀ ପ୍ଲାଷ୍ଟିକ୍ ସଫେଇ କାମ ଆରମ୍ଭ କରିଥିଲି।’’

ସେ ଆହୁରି କହନ୍ତି, ‘‘ଅସ୍ତରଙ୍ଗରେ ଥିବା ଦେବୀ ନଦୀ ମୁହାଣକୁ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସନ୍ତି। ମାତ୍ର ସେମାନେ ଅଣ୍ଡାଦାନ ଲାଗି ନଆସିବାରୁ ସମୁଦ୍ରରେ ଜେଲି ଫିସ୍ ସଂଖ୍ୟା ବଢୁଛି କାରଣ ସେମାନେ ଜେଲି ଫିସ୍ ଖାଆନ୍ତି। ଅନ୍ୟପକ୍ଷରେ ଜେଲିଫିସ୍‌ଗୁଡ଼ିକ ମାଛ ଅଣ୍ଡାକୁ ଖାଇ ଦେଉଛନ୍ତି। ଏଭଳି ହେବା ଦ୍ବାରା ସମୁଦ୍ରରେ ମାଛର ସଂଖ୍ୟା କମ୍‌ ହେବାରେ ଲାଗିଛି। ଏସବୁ ସମସ୍ୟାର ସମାଧାନ ପାଇଁ ମୁଁ ଏକାକୀ ପ୍ଲାଷ୍ଟିକ୍ ସଫେଇ କାମ ଆରମ୍ଭ କରିଥିଲି। ଏ ମଧ୍ୟରେ ବାତ୍ୟା ରୋକିବାକୁ ହେନ୍ତାଳ ବନର ରକ୍ଷଣାବେକ୍ଷଣରେ ବି ଲାଗିପଡ଼ିଲି।’’ 

କିଛି ବର୍ଷ ଏକାକୀ ସଫେଇ କରିବା ପରେ ୨୦୨୨ ଜାନୁଆରି ୯ରେ ସେ ‘ଓଡ଼ିଶା ମ୍ୟାନ୍‌ଗ୍ରୋଭ୍‌ କ୍ଲିନ୍ଅପ୍‌’ ନାମରେ ଏକ ଅଭିଯାନ ଆରମ୍ଭ କଲେ। ଏହି ଅଭିଯାନ ଅଧୀନରେ ୧୨ଟି ରବିବାର ସଫେଇ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍‌’ରେ ତାଙ୍କର ପ୍ରଶଂସା କରିଥିଲେ। ଏହା ପରେ ଅଧିକରୁ ଅଧିକ ଲୋକ ତାଙ୍କର ସଫେଇ ଅଭିଯାନରେ ଯୋଡ଼ି ହେବା ସହ ‘ଓଡ଼ିଶା ମ୍ୟାନ୍‌ଗ୍ରୋଭ୍‌ କ୍ଲିନ୍ଅପ୍‌’ ଅଭିଯାନ ସଫଳ ରୂପ ନେଇଥିଲା। ଏଭଳି କାର୍ଯ୍ୟ ଲାଗି ତାଙ୍କୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ପୁରସ୍କୃତ କରିଛନ୍ତି।