ପେସାରେ ସେ ଜଣେ ପୁଲିସ ଅଧିକାରୀ। କିନ୍ତୁ ନିଶା ହେଉଛି ବନ୍ୟପ୍ରାଣୀ ଫଟୋଗ୍ରାଫି। ଖାଲି ଅପରାଧୀଙ୍କ ପଛରେ ଦୌଡ଼ିବା ନୁ‌େହଁ, ବନ୍ୟପ୍ରାଣୀଙ୍କୁ କ୍ୟାମେରା ଲେନ୍ସରେ କଏଦ୍‌ କରିବା ଲାଗି ସେ ତତ୍ପର। ଏହି ନିଆରା ମଣିଷ ହେଉଛନ୍ତି ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟରତ ପୁଲିସ୍‌ ଡିଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟ। ପୁଲିସ ସେବା ଭଳି ବ୍ୟସ୍ତବହୁଳ ଚାକିରିରୁ ସମୟ ବାହାର କରି ସେ ବଣଜଙ୍ଗଲ ଭ୍ରମଣ କରନ୍ତି। ଏହି ସମୟରେ ବନ୍ୟପ୍ରାଣୀଙ୍କ ଫଟୋ ଉଠାନ୍ତି। ଭାରତ ଓ ଭାରତ ବାହାରର ବିଭିନ୍ନ ସଫାରୀକୁ ଯାଇ ସେ ଫଟୋଗ୍ରାଫି କରିଛନ୍ତି। ବାନ୍ଧବଗଡ଼, କୋଟା, ଆଣ୍ଡାମାନ, ସୁନ୍ଦରବନ, ଲଦାଖ, ନେପାଳ ପ୍ରମୁଖ ସଫାରୀ ବୁଲି ସେ ବିଭିନ୍ନ ପଶୁପକ୍ଷୀଙ୍କ ଫଟୋ ଉଠାଇଛନ୍ତି। ୨୦୧୦ ମସିହାରୁ ସେ ବନ୍ୟପ୍ରାଣୀ ଫଟୋଗ୍ରାଫି ଉପରେ ଅଧିକ ଧ୍ୟାନ ଦେଇଥିବା ପ୍ରକାଶ କରିଛନ୍ତି।

Advertisment

ଶ୍ରୀ ସାମନ୍ତରାୟ କହିଛନ୍ତି, ପିଲାଦିନୁ ସେ ଫଟୋଗ୍ରାଫି ନିଶାରେ ପଡ଼ିଛନ୍ତି। ବାପାଙ୍କର ଆଗ୍‌ଫା କ୍ଲିକ ଥାର୍ଡ କ୍ୟାମେରାରୁ ତାଙ୍କର ଫଟୋଗ୍ରାଫି ପ୍ରତି ଆକର୍ଷଣ ଆରମ୍ଭ ହୋଇଥିଲା। କଲେଜରେ ପାଠପଢ଼ା ସମୟରେ ଜୀବଜନ୍ତୁଙ୍କ ପ୍ରତି ଭଲପାଇବା ବଢ଼ିଥିଲା। ଏମ୍ଏସ୍‌ସି ସହ ସେ ଏମ୍‌ବିଏ ଓ ଏଲ୍‌ଏଲ୍‌ବି ମଧ୍ୟ କରିଛନ୍ତି। ଜଗତ୍‌ସିଂହପୁର ଜିଲ୍ଲା ଡିଏସ୍‌ପି (ଉପ ଆରକ୍ଷୀ-ଅଧିକାରୀ) ଭାବେ କାର୍ଯ୍ୟରତ। ସେ କାର୍ଯ୍ୟ ପରିସରର ଦାୟିତ୍ବ ସୂଚାରୁରୂପେ ତୁଲାଇବା ସହ ସ୍କୁଲର ଛୋଟ‌ଛୋଟ ପିଲାମାନଙ୍କୁ ବିଭିନ୍ନ ପକ୍ଷୀ ଓ ପଶୁଙ୍କୁ ଚିହ୍ନାଇବା, କଇଁଛ ଓ କଇଁଛ ଅଣ୍ଡା ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ କାର୍ଯ୍ୟକରିବା ଲାଗି ପ୍ରେରିତ କରିଥାଆନ୍ତି। ଏଥିସହ ବିିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ପ୍ରକୃତି ସୁରକ୍ଷା ଉପରେ ଲୋକମାନଙ୍କୁ ବୁଝାଇଥା’ନ୍ତି। 

୨୦୨୧-୨୨ ମସିହା ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ପ୍ରକାଶିତ ‘ଭିତରକନିକା କ୍ୟାଲେଣ୍ଡର’ରେ ବନ୍ୟପ୍ରାଣୀ ସଂକ୍ରାନ୍ତୀୟ ତାଙ୍କ ଫଟୋଗ୍ରାଫି ପ୍ରକାଶ ପାଇଛି। ଏହି କ୍ୟାଲେଣ୍ଡରରେ ଗହୀରମଥାର ଅଲିଭ୍ ରିଡ୍‌ଲେ, ଡାଙ୍ଗମାଳର ହରିଣ, ଗ୍ୟାଙ୍ଗେଟିକ ଡଲଫିନ, କୁମ୍ଭୀର, ବାର୍‌ହା, କୃଷ୍ଣସାର ମୃଗ, ଫିସିଂ କ୍ୟାଟ୍, ପାଣିଗୋଧି ଆଦି ପ୍ରାଣୀଙ୍କ ଫଟୋ ରହିଛି। ପୁଲିସ ସେବାରେ ହତ୍ୟା, ଆତ୍ମହତ୍ୟା, ଦୁଷ୍କର୍ମ, ହିଂସା ଆଦି ଅପରାଧ ଦେଖିଦେଖି ମାନସିକ ଚାପ ପଡ଼ିଥାଏ। ଫଟୋଗ୍ରାଫି ମୋତେ ଏହି ମାନସିକ ଚାପରୁ ମୁକୁଳାଇବାରେ ସାହାଯ୍ୟ କରିଥାଏ। ଯଦି ଫଟୋ ଉଠାଇବାର ଅଛି ତେବେ ପ୍ରକୃତି ଓ ବନ୍ୟପ୍ରାଣୀଙ୍କୁ ଲେନ୍ସରେ କଏଦ କରିପାରିଲେ ଭଲ। କାରଣ ଭବିଷ୍ୟତ ପାଇଁ ଏହା ଦସ୍ତାବିଜ ହୋଇପାରିବ। ଗବେଷଣା ଓ ଅଧ୍ୟୟନ କାମରେ ଏହା ଆସିପାରିବ। ଫଟୋ ଦ୍ବାରା ପ୍ରକୃତିର ବୈଚିତ୍ର୍ୟକୁ ଆମେ ଆମ ପର ପିଢ଼ି ପାଖକୁ ପହଞ୍ଚାଇପାରିବା ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।