ଗଞ୍ଜାମଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ମାଧବନ୍ଧା ଗଁା ନିବାସୀ ଅବସରପ୍ରାପ୍ତ ଅଧ୍ୟାପକ ସୁଧୀର ରାଉତଙ୍କ ଉଦ୍ୟମରେ ଲଣ୍ଡା ପାହାଡ଼ ସବୁଜ ହୋଇଛି। ୨୦୦୩ରେ ପରିବେଶ ସଂରକ୍ଷଣ ଦୁନିଆରେ ତାଙ୍କର ଯାତ୍ରା ଆରମ୍ଭ ହୁଏ। ସେତେବେଳେ ସେ ବିଜୟୱାଡ଼ା ସହରର ଏକ କଲେଜରେ ଅଧ୍ୟକ୍ଷ ଥିଲେ। ୨୦୦୬ରେ ସେ ଓଡ଼ିଶା ଫେରିଲା ପରେ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରନ୍ତି। ଗଁାଗଣ୍ଡାର ରାସ୍ତାକଡ଼, ସ୍କୁଲ ଓ ମନ୍ଦିର ପରିସର, ଶ୍ମଶାନ ଭୂଇଁରେ ଗଛ ଲଗାନ୍ତି ଏବଂ ଏହାକୁ ନେଇ ସଚେତନତା ସୃଷ୍ଟି କରିବାକୁ ସବୁଜ ରଥ ଓ ପରିବେଶ ଯାତ୍ରା କରନ୍ତି। ଏହା ମାଧ୍ୟମରେ ଗଞ୍ଜାମ ଜିଲ୍ଲା ସମେତ ବିଭିନ୍ନ ସହରକୁ ସେ ଗସ୍ତ କରନ୍ତି। ଏହି ଯାତ୍ରା ସମୟରେ ସେ ଜଳ ସଂରକ୍ଷଣ, ପ୍ଲାଷ୍ଟିକ ବର୍ଜନ ଓ ବୃକ୍ଷରୋପଣ ପାଇଁ ସଚେତନତା ସୃଷ୍ଟି ଲାଗି ପ୍ରୟାସ ଚଳାନ୍ତି। ୨୦୧୬ ଓ ୨୦୧୮ରେ ଯଥାକ୍ରମେ ଚିକିଟି ବ୍ଲକ୍ର ମାଧବନ୍ଧ-ପିତାତଳି ଗ୍ରାମ ଉପକଣ୍ଠ ୨୫ ଏକର ଓ ଟାମଣା-ମେଦିନିପୁରରେ ୫ ଏକର ଜମିରେ ଯଥାକ୍ରମେ ୧୦ ହଜାର ଓ ୫ ହଜାର ବୃକ୍ଷ ବିଶିଷ୍ଟ ଗ୍ରାମ୍ୟଜଙ୍ଗଲ ସଫଳତାର ସହ ସୃଷ୍ଟି କରିଥିଲେ। ପ୍ରାୟ ଏହି ସମୟରେ ଲଗା ଯାଇଥିବା ୯୦ ପ୍ରତିଶତ ଚାରା ଆଜି ବୃହତ୍କାୟ ଗଛ ହୋଇଛି। ତାଙ୍କର ଏହି ଅଭିନବ ପ୍ରୟାସ ଓ ସଫଳତା ପାଇଁ ତାଙ୍କୁ ବନବିଭାଗ ବହୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଛି।
୨୦୧୭ରେ ନିଜ ଅଞ୍ଚଳର ୧୦ଟି ଲଣ୍ଡା ପାହାଡ଼କୁ ଗଛ ଲଗାଇ ସବୁଜ କରିବାକୁ ସୁଧୀରବାବୁ ଅଣ୍ଟା ଭିଡ଼ିଥିଲେ। ଏକଦା ଏହି ଲଣ୍ଡା ପାହାଡ଼ରେ ବନୀକରଣ କରିବା ପାଇଁ ସେ ଗଞ୍ଜାମର ତତ୍କାଳୀନ ଡିଏଫ୍ଓଙ୍କୁ ନେହୁରା ହୋଇଥିଲେ। ସେ ଜଣେ ବିଶେଷଜ୍ଞଙ୍କୁ ସେହି ପାହାଡ଼ ପରିଦର୍ଶନ କରିବାକୁ ପଠାଇଲେ ଏବଂ ପରିଦର୍ଶନ କରିସାରି ବିଶେଷଜ୍ଞ ଫେରିବା ପରେ ସେହି ପାହାଡ଼ରେ କୌଣସି ବନୀକରଣ ହୋଇପାରିବ ନାହିଁ ବୋଲି ସୁଧୀରବାବୁଙ୍କୁ ଡିଏଫ୍ଓ କହିଥିଲେ। ସୁଧୀରବାବୁଙ୍କ ମନରେ କ୍ଷୋଭ ଜାତ ହୋଇଥିଲା ଏବଂ ସେ ଲଣ୍ଡା ପାହାଡ଼ରେ ମଞ୍ଜି ବୁଣି ଜଙ୍ଗଲ ସୃଷ୍ଟିର ପ୍ରୟାସ କରିଥିଲେ। େସହି ଲଣ୍ଡା ପାହାଡ଼ଗୁଡ଼ିକ ଆଜି ଘଞ୍ଚ ବନାନୀରେ ପରିଣତ ହୋଇଛି। ଏଭଳି ବୃକ୍ଷେରାପଣର ଝୁଙ୍କ୍ କାହିଁକି ତାଙ୍କ ମନରେ ଆସିଲା ବୋଲି ପଚାରିବାରୁ ସେ କହନ୍ତି, ‘‘ମୁଁ ପଥପାର୍ଶ୍ବରେ କିଛି ବୃକ୍ଷରୋପଣ କରିଥିଲି ଏବଂ ଫନି ବାତ୍ୟା ସମୟରେ ସେହି ଗଛଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଏହାକୁ ନେଇ ମୋ ମନରେ ଗଭୀର ଦୁଃଖ ହୋଇଥିଲା। ମୁଁ ଯେତେବେଳେ ଦୁଃଖରେ ବସିଥିଲି ମୋର ପତ୍ନୀ କହିଲେ- ଗଛ ଭାଙ୍ଗିଗଲା ବୋଲି ଯଦି ମନ ଦୁଃଖ ହେଉଛି ଏହି ଲଣ୍ଡା ପାହାଡ଼ରେ ଗଛ ଲଗାଉନ! ଏହା ପରଠାରୁ ମୁଁ ଲଣ୍ଡା ପାହାଡ଼ରେ ସବୁଜ ଜଙ୍ଗଲ ସୃଷ୍ଟିର ଜିଦ୍ ଧରି କାମ ଆରମ୍ଭ କରିଥିଲି।’’
‘‘୨୦୧୭ ଜୁନ୍ ମାସରେ ସେହି ଲଣ୍ଡା ପାହାଡ଼ରେ ସଂପୂର୍ଣ୍ଣ ଦେଶୀ ପ୍ରଜାତିର ଦେଢ଼ଲକ୍ଷ ମଞ୍ଜି ଲଗାଯାଇଥିଲା। ମୋର ଆଗ୍ରହ ଦେଖି ନର୍ମଦା ତାପ୍ତୀ ଅବବାହିକାରେ ବନୀକରଣ କରିଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ମୋତେ ଗୋଟିଏ ମଞ୍ଜିବୁଣା ଯନ୍ତ୍ର ଉପହାର ଦେଇଥିଲେ। ବର୍ତ୍ତମାନ ମୋ ସହିତ ଅନେକ ସ୍ବେଚ୍ଛାସେବୀ ଏକାଠି ହେଲେଣି। ୨୦୨୨-୨୩ ମଧ୍ୟରେ ଆମେ ସଫଳତାର ସହ ୧୩ଟି ପାହାଡ଼ରେ ଘଞ୍ଚ ବନାନୀ ସୃଷ୍ଟି କରିଥିବାବେଳେ ଅନ୍ୟ ୭ଟି ପାହାଡ଼ରେ ବର୍ତ୍ତମାନ ଗଛ ଉଠିଲାଣି’’ ବୋଲି କହନ୍ତି ସୁଧୀର ରାଉତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/20/UVLCN8bVuKTS7xr3qLMI.jpg)