ଯେଉଁ ପରିବେଶ ଆମକୁ ଜୀବନ ଦେଇଛି; ସେଇ ପରିବେଶର ଯତ୍ନ ନେବା ଆମର କର୍ତ୍ତବ୍ୟ। ଏହିଭଳି ଏକ ଉତ୍ତମ ଭାବନା ନେଇ ପରିବେଶ ସୁରକ୍ଷା ଦିଗରେ ନିଜକୁ ନିୟୋଜିତ କରିଛନ୍ତି କେନ୍ଦୁଝର ଜିଲ୍ଲାର ପ୍ରକୃତି ପ୍ରେମୀ ତ୍ରିଲୋଚନ ସାହୁ। ଆନନ୍ଦପୁର କଲେଜ୍ରେ ପାଠ ପଢ଼ିଲା ବେଳେ ସେ ନିୟମିତ ଏନ୍ଏସ୍ଏସ୍ କ୍ୟାମ୍ପରେ ଭାଗ ନେଉଥିଲେ। ପୁଣି କଲେଜ୍ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ବୁଲି ସ୍ବେଚ୍ଛାସେବୀ ଭାବେ ପରିବେଶର ସୁରକ୍ଷା ଲାଗି କାମ କରୁଥିଲେ। ଧୀରେ ଧୀରେ ଏ ନେଇ ତାଙ୍କର ଚିନ୍ତା ବଢ଼ିଲା। କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା, ବ୍ୟାପକ ବାୟୁ ପ୍ରଦୂଷଣ ଓ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପରି ସମସ୍ୟାର ମୁକାବିଲା କରିବା ପାଇଁ ସେ ଅଣ୍ଟା ଭିଡ଼ିଲେ। ଜନସଚେତନତା ସୃଷ୍ଟି ଲାଗି ସଭାସମିତି ଆୟୋଜନରେ ସମୟ ନଷ୍ଟ ନକରି ପରିବେଶ ପାଇଁ କିଛି ବାସ୍ତବ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଲେ ତ୍ରିଲୋଚନ। ତା’ପରେ ସେ ବିଭିନ୍ନ ସ୍କୁଲ୍ ଓ କଲେଜ୍ ବୁଲି ଗଛ ଲଗାଇବା ଆରମ୍ଭ କଲେ। ସେତିକିରେ ଅଟକି ଗଲେ ନାହିଁ, ନିଜେ ଗଛ ଲଗାଇବା ତାହା ସହିତ ସହପାଠୀ ଛାତ୍ରଛାତ୍ରୀମାନଙ୍କୁ ବି ଗଛ ଲଗାଇବାକୁ ପ୍ରେରଣା ଦେଲେ। ଗାଁ ପାଖରେ ଥିବା ବୈତରଣୀ ନଦୀ ଅଳିଆବର୍ଜନା ପଡ଼ି ପ୍ରଦୂଷିତ ହୋଇଯାଉଥିବାରୁ ଏହାର ସଫେଇ କରିବାକୁ ମନସ୍ଥ କଲେ। ଏହା ଏକ ବଡ଼ କାର୍ଯ୍ୟ ହୋଇଥିବାରୁ ଏଥିପାଇଁ କେତେକ ସ୍ବେଚ୍ଛାସେବୀ ସଂଗଠନର ସହାୟତା ନେଲେ। ପୁଣି ନିଜ ଅଞ୍ଚଳର ଲୋକଙ୍କୁ ବୁଝାଇସୁଝାଇ ଗାଁ ଓ ଏହାର ଆଖପାଖ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପ୍ରେରିତ କଲେ।
ବର୍ତ୍ତମାନ ଜଙ୍ଗଲ ନିଆଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଖରାଦିନେ ନିଆଁ ଲାଗି ବହୁ ଗଛ ନଷ୍ଟ ହେବା ସହ ବନ୍ୟପ୍ରାଣୀଙ୍କ ଜୀବନ ବି ବିପନ୍ନ ହେଉଛି। ଗଛ ବଞ୍ଚିଲେ ପରିବେଶ ବଞ୍ଚିବ -ଏହି ବାର୍ତ୍ତା ପ୍ରଚାର ଲାଗି ତ୍ରିଲୋଚନ ‘ମୁଁ ଗଛ କହୁଛି’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବାହାର ରାଜ୍ୟ ବୁଲି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ସେ ଓଡ଼ିଶା ବ୍ୟତୀତ ଦିଲ୍ଲୀ ଓ ପଶ୍ଚିମବଙ୍ଗ ଯାଇ ସେଠାରେ ପରିବେଶ ସଂପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି। ଏକ ପରିତ୍ୟକ୍ତ ସ୍ଥାନରେ ପ୍ରାୟ ୩୦୦ ଗଛ ଲଗାଇ କେନ୍ଦୁଝର ଜିଲ୍ଲାର ଫକୀରପୁରରେ ସେ ଏକ କ୍ଷୁଦ୍ର ଜଙ୍ଗଲ ବି ସୃଷ୍ଟି କରିଛନ୍ତି। ନିଜ ଅଞ୍ଚଳର ଅଧିକାଂଶ ରାସ୍ତା କଡ଼ରେ ସେ ବୃକ୍ଷ ରୋପଣ କରିଛନ୍ତି ବୋଲି ଦାବିକରନ୍ତି ତ୍ରିଲୋଚନ। ଏହି ପରିବେଶ ସୁରକ୍ଷାମୂଳକ କାର୍ଯ୍ୟ ହେତୁ ତ୍ରିଲୋଚନଙ୍କୁ ଆନନ୍ଦପୁର ନଗରପାଳିକା ପକ୍ଷରୁ ବ୍ରାଣ୍ଡ୍ ଆମ୍ବାସଡର ଘୋଷଣା କରାଯାଇଛି। ଏବେ ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ଅର୍ଥନୀତିରେ ପିଏଚ୍ଡି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/25/fshfsfhhfs-2025-11-25-00-22-33.jpg)