ପେସାରେ ‌େସ ଜଣେ ଫାର୍ମାସିଷ୍ଟ୍‌। ନିଶା କିନ୍ତୁ ଭିନ୍ନ ଭିନ୍ନ ପକ୍ଷୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବ୍ୟବହାର ଓ ଆଚରଣ ସମ୍ପର୍କରେ ଗବେଷଣା କରିବା। ଏଥିସହ ଦେଶୀ ତଥା ବିଦେଶାଗତ ପକ୍ଷୀମାନଙ୍କ ମନମୁଗ୍ଧକର ଫଟୋଚିତ୍ର ଉତ୍ତୋଳନରେ ବି ସେ ସମୟ ଅତିବାହିତ କରନ୍ତି। ‌ଗଜ ସୁରକ୍ଷା, ବନାଗ୍ନି ନିୟନ୍ତ୍ରଣ କ୍ଷେତ୍ରରେ ବି ଅନେକ କାମ କରି ନିଜକୁ ଜଣେ ପରିବେଶ ଯୋଦ୍ଧା ଭାବେ ପ୍ରମାଣିତ କରିପାରିଛନ୍ତି ଭୁବନେଶ୍ବର ଜୟଦେବ ବିହାରର ବାସିନ୍ଦା ଉମାକାନ୍ତ ବିଶ୍ବାଳ।
ଶ୍ରୀ ବିଶ୍ବାଳ କହନ୍ତି, ‘‘ମୁଁ ଜଙ୍ଗଲ, ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ପ୍ରକୃତିର ପ୍ରତିଟି କଥାକୁ ଭଲପାଏ। ଯୁକ୍ତ ଦୁଇ ପାଠ ପଢୁଥିବା ସମୟରୁ ହିଁ ଚଢ଼େଇମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ଉପଯୁକ୍ତ ପରିବେଶ ଓ ବାସସ୍ଥାନ ଯୋଗାଇବା, ସେମାନେ କେଉଁ ପରିସ୍ଥିତିରେ କେଉଁଭଳି ବ୍ୟବହାର କରିଥା’ନ୍ତି- ସେସବୁ ଜାଣିବା ଦିଗରେ ଉଦ୍ୟମ ଆରମ୍ଭ କରିଥିଲି। ଓଡ଼ିଶାର ପକ୍ଷୀ ପୁରୁ‌ଷ କୁହାଯାଉଥିବା ଡ. ୟୁଏନ୍‌ ଦେବ ମୋ’ ଗୁରୁ।

Advertisment

ତାଙ୍କର ନେତୃତ୍ବରେ ବିିଭିନ୍ନ ସ୍ଥାନକୁ ଯାଇ ଚଢ଼େଇମାନଙ୍କ ବିଷୟରେ ମୁଁ ଶିକ୍ଷାଗ୍ରହଣ କରିଥିଲି। ଗତ ୩୫ ବର୍ଷ ଧରି ମୁଁ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ହେଉଥିବା ବନ୍ୟଜନ୍ତୁ ଗଣନା, ପକ୍ଷୀ ଗଣନାରେ ସକ୍ରିୟ ଅଂଶଗ୍ରହଣ କରିଆସୁଛି। ଏଥିସହ ବନାଗ୍ନିକୁ ନିୟନ୍ତ୍ରଣ କରି ଜଙ୍ଗଲରେ ବସବାସ କରୁଥିବା ଅଧିବାସୀମାନଙ୍କର ସାମାଜିକ-ଅର୍ଥନୈତିକ ଉନ୍ନତି ପାଇଁ ବି ବିଭିନ୍ନ କାମ କରିଆସୁଛି। ‘ଗଜସାଥୀ’ କ‌ାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ତାଲିମ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି ସହ ବନ୍ୟପ୍ରାଣୀ ଓ ପକ୍ଷୀ ଉଦ୍ଧାର କାର୍ଯ୍ୟ ପାଇଁ ତାଲିମ ପ୍ରଦାନ କରୁଛି।’’ ଶ୍ରୀ ବିଶ୍ବାଳ ଘୁମୁସର ସାଉଥ୍‌ ଫରେଷ୍ଟ ଡିଭିଜନ୍‌ରେ ଚାଲିଥିବା ‘ମୟୂର ସଂରକ୍ଷଣ କାର୍ଯ୍ୟକ୍ରମ’ରେ ମଧ୍ୟ ସଂଶ୍ଳିଷ୍ଟ ଥିଲେ। ବର୍ତ୍ତମାନ ସେ ବିଭିନ୍ନ ସ୍କୁଲ ବୁଲି ଇକୋ-କ୍ଲବ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଓ ସଂରକ୍ଷଣର ତାଲିମ ଦେଉଛନ୍ତି। 

ତାଙ୍କ ମତରେ, ‘‘ପ୍ରକୃତି ଆମକୁ ଗଢ଼ିଛି। ଏଣୁ ପ୍ରକୃତିକୁ ସୁରକ୍ଷିତ ରଖିବା ଆମ ଦାୟିତ୍ବ। ଏଣୁ ମୁଁ ମୟୂର, ହାତୀ, ଘରଚଟିଆ ଆଦି ପ୍ରାଣୀ ସୁରକ୍ଷା ଅଭିଯାନରେ କାମ କରିବା ସହ ସବୁଜ ପୃଥିବୀ ପାଇଁ ଗଛ ଲଗାଇବା, ପଲିଥିନ୍‌ମୁକ୍ତ ଅଭିଯାନ ଆଦିରେ ମଧ୍ୟ ସାମିଲ ରହିଛି।’’ ସମସ୍ତଙ୍କୁ ତାଙ୍କର ଉପଦେଶ ହେଲା- ପ୍ରକୃତିକୁ ଭଲପାଆନ୍ତୁ, ଏହାର ସୁରକ୍ଷା କରନ୍ତୁ। ଋତୁଚକ୍ରରୁ ଆରମ୍ଭ କରି ବହୁ କଥା ଆପେ ବଦଳିଯିବ।