ଗୀଷ୍ମ ଲହରୀ, ବନ୍ୟା, ବନାଗ୍ନି ଓ ଅନ୍ୟାନ୍ୟ ଚରମ ପାରିବେଶିକ ସ୍ଥିତିସମୂହ ହେଉଛି ଆମେ ଭୋଗୁଥିବା ପାଣିପାଗ ସଂକଟର ସଂକେତ। ତେବେ ସେଗୁଡ଼ିକ ମଧ୍ୟରୁ ବିଶେଷ କରି ଗ୍ରୀଷ୍ମ ଲହରୀ ଜନିତ ପାଣିପାଗ ପରିବର୍ତ୍ତନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାର ଏକ ଉପାୟ ସାମନାକୁ ଆସିଛି। ଏକ ସ୍ଥାୟୀ ଶୀତଳୀକରଣ ବ୍ୟବସ୍ଥା ଦ୍ବାରା ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ପରି ପ୍ରଦୂଷକ ବାଷ୍ପର ନିର୍ଗମନ ହ୍ରାସ ଘଟାଇବା ସମ୍ଭବ। ସାଧାରଣତଃ ଜଳବାୟୁ ପରିବର୍ତ୍ତନ ଜନିତ ଗ୍ରୀଷ୍ମ ଲହରୀ ହେଉ ବା ମାତ୍ରାଧିକ ତାପମାତ୍ରା ହେଉ, ସ୍ବଚ୍ଛଳ ବର୍ଗର ଲୋକମାନେ ଶୀତତାପ ନିୟନ୍ତ୍ରଣ (ଏସି) ଯନ୍ତ୍ରକୁ ବ୍ୟବହାର କରିଥା’ନ୍ତି। ତେବେ ଏସି ଭଳି ଶୀତଳୀକରଣ ସରଞ୍ଜାମଗୁଡ଼ିକରୁ ବାୟୁମଣ୍ଡଳକୁ ନିର୍ଗମନ ହେଉଥିବା ଫ୍ଳୋରିନ୍‌ ବାଷ୍ପ ଜଳବାୟୁ ପରିବର୍ତ୍ତନର ଅନ୍ୟତମ କାରକ ସାଜିଥାଏ। ତେବେ ଏସିର କୁପ୍ରଭାବ ହ୍ରାସ କରିବା ଲାଗି କେତେକ ଜଳବାୟୁ ଅନୁକୂଳ ଉପାୟ ଅବଲମ୍ବନ କରିହେବ। ଏହି ବ୍ୟବସ୍ଥାରେ ଶୀତଳୀକରଣ ପ୍ରକ୍ରିୟାର ଦକ୍ଷତାରେ ବୃଦ୍ଧି ଅଣାଯିବା ସହ ବିଭିନ୍ନ କୋଠାବାଡ଼ି ବା ସହରୀ ପରିବେଶରେ ପାରିପାର୍ଶ୍ବିକ ତାପମାତ୍ରାକୁ ହ୍ରାସ କରିହେବ।

Advertisment

ଏକ ଧାରଣକ୍ଷମ ବା ସ୍ଥାୟୀ ଶୀତଳୀକରଣ ବ୍ୟବସ୍ଥା ଦ୍ବାରା ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ପରି ପ୍ରଦୂଷକ ବାଷ୍ପର ନିର୍ଗମନରେ ହ୍ରାସ ଘଟାଇବା ସମ୍ଭବ।

ଏପରି ସ୍ଥାୟୀ ଶୀତଳୀକରଣ ବିଭିନ୍ନ ପ୍ରକାର ପଦକ୍ଷେପ ଦ୍ବାରା ଆହରଣ କରିହେବ। ପ୍ରଥମଟି ହେଲା କୋଠାବାଡ଼ି ଓ ସହରୀ ଢାଞ୍ଚାରେ ପରିବର୍ତ୍ତନ। କୋଠାବାଡ଼ିର ଛାତ, ବାଲକୋନି ଓ ଅନ୍ୟାନ୍ୟ ଖୋଲା ସ୍ଥାନଗୁଡ଼ିକୁ ଗଛଲତା ସବୁଜିମା ଦ୍ବାରା ଆଚ୍ଛାଦିତ କରିବା ଦ୍ବାରା ତାହା ସୂର୍ଯ୍ୟତାପକୁ ଶୋଷି ନେଇ ପାରିପାର୍ଶ୍ବିକ ତାପମାତ୍ରା କମାଇପାରିବ। ସେହିପରି କୋଠାରେ ଦୁଇସ୍ତରୀୟ ତାପ ପ୍ରତିବନ୍ଧକ ଟାଇଲ୍‌ ବ୍ୟବହାର ଦ୍ବାରା ପତିତ ସୂର୍ଯ୍ୟତାପକୁ ପ୍ରତିଫଳିତ କରି ସେଥିରୁ ଆଶ୍ବସ୍ତି ପାଇହେବ। ସେହିପରି ସହରାଞ୍ଚଳରେ ଅଧିକ ଗଛଲତା ରୋପଣ ସାଙ୍ଗକୁ ଓସାରିଆ ରାସ୍ତାଘାଟ ଓ ଅଳ୍ପ ଉଚ୍ଚର କୋଠାବାଡ଼ି ନିର୍ମାଣ ଦ୍ବାରା ବାୟୁ ସଂଚାଳନ ସୁଗମ ହେବା ଦ୍ବାରା ପାରିପାର୍ଶ୍ବିକ ତାପମାତ୍ରା ମଧ୍ୟ କମିଯିବ। ଏଥି ସହିତ ବର୍ଷାଜଳ ଅମଳପୂର୍ବକ ପ୍ରକ୍ରିୟାକରଣ କରି ତାହାକୁ ବ୍ୟବହାର କଲେ ପରୋକ୍ଷରେ ଏହା ଶକ୍ତି ସମ୍ବଳ ଜନିତ ପରିବେଶ ଉତ୍ତପ୍ତୀକରଣକୁ କମାଇପାରିବ। 

ସେହିପରି ଅତ୍ୟାଧୁନିକ ପ୍ରଯୁକ୍ତି ପ୍ରୟୋଗ ମଧ୍ୟ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଯୋଗଦାନ କରିପାରିବ। ପାରମ୍ପରିକ ଏସି ଓ ରେଫ୍ରିଜରେଟରଗୁଡ଼ିକରେ ଶୀତଳୀକରଣ ପାଇଁ ବ୍ୟବହୃତ ଫ୍ଲୋରିନ୍‌ଯୁକ୍ତ ବାଷ୍ପ ବାୟୁମଣ୍ଡଳରେ ମିଶି ଓଜୋନ୍‌ ସ୍ତରରେ କ୍ଷତି ପହଞ୍ଚାଉଛି। ତେବେ ସ୍ଥାୟୀ ଶୀତଳୀକରଣ ପ୍ରକ୍ରିୟାରେ ଏହି କ୍ଷତିକାରକ ବାଷ୍ପ ବଦଳରେ ଜଳବାୟୁ ଅନୁକୂଳ ଅଭିନବ ବିକଳ୍ପଗୁଡ଼ିକୁ ଗ୍ରହଣ କରାଯାଇପାରିବ। ତାହା ମଧ୍ୟ କମ୍‌ ଶକ୍ତି ବ୍ୟବହାର କରୁଥିବାରୁ ପରୋକ୍ଷରେ ଶକ୍ତି ଉତ୍ପନ୍ନ ଜନିତ ପ୍ରଦୂଷକ ବାଷ୍ପ ନିର୍ଗମନକୁ  ମଧ୍ୟ ହ୍ରାସ କରାଯାଇପାରିବ।