ବାରିପଦା: ହାତକୁ ହାତ ଛନ୍ଦି ହେଲା ପରି ପାହାଡ଼। ପାହାଡ଼ କୋଳରେ ରହିଛି ବାଙ୍ଗିରିପୋଷି। ତଥାପି ଏଠାରେ ଆଉ ଷଡ଼ଋତୁ ଅନୁଭୂତ ହେଉନାହିଁ। ବର୍ଷର ଦୁଇ ମାସ ଶୀତ ଓ ଦୁଇ ମାସ ବର୍ଷା ହେଉଥିବା ବେଳେ ବାକି ସମୟ ଅସହ୍ୟ ଖରା ହେଉଛି। ଋତୁଚକ୍ରରେ ଏହି ବିଭ୍ରାଟ ପାଇଁ ଆମେ ସବୁ ଦାୟୀ। ତେବେ ସବୁକିଛି ସରିଯାଇନି, ଏବେ ବି ସମୟ ଅଛି; ଆଉ ଗଛ କାଟିବାନି କି ପରିବେଶକୁ ଉଜାଡ଼ିବାନି। ମିଳିମିଶି ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବା। ଆଜି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ନିଶ୍ଚନ୍ତା ପଞ୍ଚାୟତ ଅଧୀନ ସାନ ପଥରଖମ ଗାଁରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ସ୍ଥାନୀୟ ବିଧାୟିକା ସଞ୍ଜଲୀ ମୁର୍ମୁ।

Advertisment

ବାଙ୍ଗିରିପୋଷି, ଶାମାଖୁଣ୍ଟା ଓ କୁଳିଅଣା ବ୍ଲକ୍‌କୁ ନେଇ ଗଠିତ ଏହି ବିଧାନସଭା କ୍ଷେତ୍ରର ବିସ୍ତୀର୍ଣ୍ଣ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି ଶିମିଳିପାଳ ଜାତୀୟ ଉଦ୍ୟାନ। ହେଲେ ଶିମିଳିପାଳ ଅସୁରକ୍ଷିତ ହୋଇ ପଡ଼ିଲାଣି। ଏଠାରେ ଜନ୍ତୁ ଶିକାର ହେଉଛି। ହାତୀ ଭଳି ବିଶାଳ ଜନ୍ତୁ ବି ଆଜି ସୁରକ୍ଷିତ ‌ନୁହେଁ ବୋଲି ବିଧାୟିକା କହିଥିଲେ। ସେହିପରି ଶିମିଳିପାଳ କଳାବାଘଙ୍କ ସଫାରୀ ପାଇଁ ଯୋଜନା ହେଉଛି। ତେବେ ଏହି ବିରଳ ବାଘଙ୍କ ସୁରକ୍ଷାକୁ ପ୍ରଥମେ ସୁନିଶ୍ଚିତ କରିବାକୁ ପଡ଼ିବ। ଏହି ଦାୟିତ୍ବ ଆମ ସମସ୍ତଙ୍କର। ସେହିପରି ଭୂତଳ ଜଳ ଦିନକୁ ଦିନ ହ୍ରାସ ପାଉଛି। ସମୟ ଆସିବ ସମସ୍ତଙ୍କୁ ପିଇବା ପାଣି କିଣିବାକୁ ପଡ଼ିବ। ତା’ ଆଗରୁ ସଜାଗ ହୋଇ ଭୂତଳ ଜଳ ସଂରକ୍ଷଣ ପାଇଁ ଯୋଜନା କରିବାକୁ ହେବ। ଏନେଇ ମୁଁ ବିଧାନସଭାରେ ପ୍ରସ୍ତାବ ରଖିବି। ମୋଟ୍‌ ଉପରେ ଆମେ ନିଜେ ସଚେତନ ହେଲେ ଯାଇ ଆମ ପରିବେଶ ଓ ପୃଥିବୀ ସୁସ୍ଥ ରହିବ ବୋଲି ବିଧାୟିକା କହିଥିଲେ।

ସମାଜସେବୀ ସୁଗୁଦା ମୁର୍ମୁ କହିଥିଲେ ଯେ ପରିବେଶର ପ୍ରତିକୂଳ ପ୍ରଭାବ ପଡ଼ିଲାଣି। ବଗ, ଗେଣ୍ଡାଳିଆଙ୍କ ଭଳି ପକ୍ଷୀ ଆଉ ଦେଖାଯାଉ ନାହାନ୍ତି। ସେମାନଙ୍କ ବଂଶ ଲୋପ ପାଇବାକୁ ବସିଛି ଓ ଏହାର କୁପ୍ରଭାବ ଚାଷବାସ ଉପରେ ପଡ଼ୁଛି। ଏହାକୁ ରୋକିବାକୁ ହେଲେ ବୃକ୍ଷରୋପଣ ଓ ଜୀବଜନ୍ତୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ହେବ ବୋଲି ଶ୍ରୀ ମୁର୍ମୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସୁକୁରା ସିଂ, ୱାର୍ଡସଭ୍ୟ ବାପୁନୁ ନାୟକ, ଦୀନବନ୍ଦୁ ନାୟକ, ପ୍ରଫୁଲ୍ଲ ନାୟକ ଓ ସ୍ଥାନୀୟ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।