ଭଞ୍ଜନଗର/ବେଲଗୁଣ୍ଠା: ପରିବେଶର ସୁରକ୍ଷା ପାଇଁ ପ୍ରତିଟି ଘରୁ ‘ପରିବେଶ ଯୋଦ୍ଧା’ ସୃଷ୍ଟି କରିବାକୁ ହେବ। ନଚେତ୍ ଆମ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ କରିବାକୁ ପଡ଼ିବ। କେବଳ ବନ ମହୋତ୍ସବ ପାଳନକୁ ଗୁରୁତ୍ବ ନଦେଇ ବର୍ଷତମାମ ଗଛ ଲଗାଇ ତା’ର ଯତ୍ନ ନେବା ଉଚିତ। ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଏଭଳି ମତପ୍ରକାଶ ପାଇଛି।
ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ‘ସମ୍ବାଦ’ ସାହିତ୍ୟଘରର ସଭାପତି ମୋତିଲାଲ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ କହିଥିଲେ, ପରିବେଶର ସୁରକ୍ଷା ପାଇଁ ଯୁବପିଢ଼ି ଜଣେ ଜଣେ ଯୋଦ୍ଧାର ଭୂମିକା ନିର୍ବାହ କରନ୍ତୁ। ପୂର୍ବରୁ ଧାରାଶ୍ରାବଣରେ ବର୍ଷା ଲାଗି ରହୁଥିବା ବେଳେ ଏବେ ଅନିୟମିତ ବର୍ଷା ହେଉଛି। ଜଳବାୟୁ ଅସନ୍ତୁଳନ ହିଁ ଏହାର ମୁଖ୍ୟ କାରଣ। ଜନସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସେହି ଅନୁପାତରେ ବିକାଶର ମଧ୍ୟ ଆବଶ୍ୟକତା ରହିଛି। କିନ୍ତୁ ଏଥିପାଇଁ ପରିବେଶକୁ ବାଜିରେ ଲଗାଇବା ଗ୍ରହଣୀୟ ନୁହେଁ। ସେହିପରି ପ୍ଲାଷ୍ଟିକ୍ ବ୍ୟବହାର ପରିବେଶ ପାଇଁ ବିପଦ ସାଜିଛି। ନଦୀ ଓ ଜଳାଶୟର ଜଳପ୍ରବାହ ଏବଂ ମୃତ୍ତିକାର ଉର୍ବରତା ଉପରେ ଏହାର କୁପ୍ରଭାବ ପଡ଼ୁଛି। ଏଣୁ ଏହାର ବିକଳ୍ପ ଭାବେ ଅନ୍ୟ ସାମଗ୍ରୀର ବ୍ୟବହାର ଚିନ୍ତା କରିବାକୁ ହେବ। ସେହିପରି ବର୍ତ୍ତମାନ ସବୁ ଋତୁରେ ଗରମ ଅନୁଭବ ହେଉଥିବାରୁ ଖାଲିସ୍ଥାନରେ ବ୍ୟାପକ ବୃକ୍ଷରୋପଣକୁ ଗୁରୁତ୍ବ ଦେବାକୁ ହେବ। ଭୌଗୋଳିକ ଦୃଷ୍ଟିକୋଣରୁ ୩୦ ପ୍ରତିଶତ ଜଙ୍ଗଲ ରହିବା ଆବଶ୍ୟକ ହୋଇପଡ଼ିଛି। ସେହିପରି ବଜ୍ରାଘାତରୁ ମୁକାବିଲା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସଂରକ୍ଷିତ ଜଙ୍ଗଲ ଏବଂ ଗ୍ରାମାଞ୍ଚଳ ଗୁଡ଼ିକରେ ଏହି ଗଛ ରୋପଣ କରାଯାଉଛି। ଉତ୍ତର ଘୁମୁସର ବନଖଣ୍ଡରେ ବର୍ତ୍ତମାନସୁଦ୍ଧା ୬୪ ହଜାର ତାଳଗଛ ରୋପଣ ସରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ମୁଖ୍ୟବକ୍ତା ବନ୍ୟପ୍ରାଣୀ ତତ୍ତ୍ବବଧାରକ ଶୂଳପାଣି ଶତପଥୀ କହିଛନ୍ତି, ପୂର୍ବରୁ ମଣିଷ ଆବଶ୍ୟକତା ଅନୁସାରେ ପରିବେଶକୁ ଉପଯୋଗ କରୁଥିଲା। ବର୍ତ୍ତମାନ ଆଧୁନିକୀକରଣର ପ୍ରଭାବରେ ମଣିଷ ନିଜ ସ୍ବାର୍ଥ ପାଇଁ ପରିବେଶକୁ ବିଗାଡ଼ୁଛି। ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ନେଇ ଶପଥ ପାଠ କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/NTpt0DJ2GJK9nQOkzrOB.jpg)