ବ୍ରହ୍ମପୁର: ପରିବେଶ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି। ଏଥିପାଇଁ ଆମେ ହିଁ ଦାୟୀ। ଆମେ ନିଜ ସ୍ବାର୍ଥ ପାଇଁ ପରିବେଶ ଉପରେ ଅତ୍ୟାଚାର କରି ଚାଲିଛେ। ଏହା ବନ୍ଦ ନହେଲେ ମନୁଷ୍ୟ ସମାଜ ପ୍ରତି ବିପଦ ମାଡ଼ି ଆସିବ। ପରିବେଶ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା। ଏଣୁ ସମସ୍ତେ ନିଜ ମା’ ଭଳି ପ୍ରକୃତି ମାତାକୁ ଭଲ ପାଆନ୍ତୁ ବୋଲି ଆସିକା ନିର୍ବାଚନମଣ୍ଡଳୀରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଆସିକା ନିର୍ବାଚନମଣ୍ଡଳୀର ବାବନପୁର ଗ୍ରାମରେ ଆଜି ‘ସମ୍ବାଦ’ ତରଫରୁ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ସୌଦାମିନୀ ନାୟକ ଯୋଗଦେଇ ପରିବେଶ ସୁରକ୍ଷା ଦିଗରେ ସମସ୍ତେ ଏକଜୁଟ୍‌ ହୁଅନ୍ତୁ ବୋଲି କହିଥିଲେ। ଗଛ କାଟିବା ଓ ଜଳର ଅପଚୟ ବନ୍ଦ କରିବା ସହିତ ବାୟୁ ପ୍ରଦୂଷଣକୁ କେମିତି ରୋକାଯାଇପାରିବ ସେ ଦିଗରେ ସମସ୍ତେ ଦୃଷ୍ଟି ଦିଅନ୍ତୁ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବାବନପୁର ସରପଞ୍ଚ ତଥା ବରିଷ୍ଠ ପରିବେଶବିତ୍‌ ସଂଜୟ କୁମାର ନାୟକ କହିଲେ, ଆମେ ଯେଉଁ ମାଟିରେ ଚାଲୁ‌ଛେ, ଯେଉଁ ପାଣି ବ୍ୟବହାର କରୁଛେ ଓ ଯେଉଁ ଗଛମୂଳେ ଆଶ୍ରୟ ନେଉଛେ ତାହା ହେଉଛି ଆମ ପ୍ରକୃତି ମାତା। 

Advertisment

ଜନ୍ମ ଦେଲା ମା’କୁ ଯେଭଳି ଆମେ ଭଲ ପାଉଛେ, ପ୍ରକୃତି ମାତାକୁ ମଧ୍ୟ ଭଲପାଇ ତା’ର ସୁରକ୍ଷା କରିବା ବୋଲି କହିଥିଲେ। ସମ୍ମାନିତ ଅତିଥି ସମିତି ସଭ୍ୟ ସନ୍ତୋଷ କୁମାର ଜେନା କହିଛନ୍ତି, ଦିନକୁ ଦିନ ଯାନବାହନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି କଳକାରଖାନା ମଧ୍ୟ ବଢ଼ୁଛି। ସେଥିରୁ ବାହାରୁ ଥିବା ଧୂଆଁ ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ତେଣୁ ବ୍ୟାପକ ବୃକ୍ଷରୋପଣ ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ନାଏବ ସରପଞ୍ଚ ସବିତା କୁମାରୀ ବାଡ଼ତ୍ୟା, ଶିକ୍ଷକ ମଦନମୋହନ ବାଡ଼ତ୍ୟା ଓ ପୂର୍ବତନ ସରପଞ୍ଚ ଅନୀଲ କୁମାର ନାୟକ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ‘ସମ୍ବାଦ’ ଗଞ୍ଜାମ ଜିଲ୍ଲା ପ୍ରତିନିଧି ସୁଦୀପ୍ତ ଷଡ଼ଙ୍ଗୀ ସଂଯୋଜନା କରିଥିଲେ।