ଭଞ୍ଜନଗର: ମଣିଷ ନିଜ ସ୍ବାର୍ଥ ପାଇଁ ପରିବେଶକୁ ନଷ୍ଟ କରୁଛି। ପରିବେଶର ସ୍ଥିତି ଠିକ୍ ନରହିଲେ, ମାନବସମାଜର ସ୍ଥିତି ବି ବିଗିଡ଼ିଯିବ। ଏଣୁ ଏବେଠାରୁ ହିଁ ପରିବେଶର ସୁରକ୍ଷା ପାଇଁ ଆମେ ସଂକଳ୍ପବଦ୍ଧ ହେବାକୁ ପଡ଼ିବ। ପରିବେଶକୁ ସୁସ୍ଥ ଓ ସମୃଦ୍ଧ କରିବା ପାଇଁ ପ୍ରତିଟି ମଣିଷ ବ୍ୟକ୍ତିଗତସ୍ତରରେ ଯତ୍ନବାନ ହେବା ଆବଶ୍ୟକ’। ‘ସମ୍ବାଦ’ ପକ୍ଷରୁ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚବିଦ୍ୟାଳୟରେ ଆୟୋଜିତ ଭଞ୍ଜନଗର ନିର୍ବାଚନମଣ୍ଡଳୀ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମାଆ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ସମଗ୍ର ଦେଶରେ ବୃକ୍ଷରୋପଣକୁ ତ୍ବରାନ୍ବିତ କରାଯାଉଛି। ଏଥିରେ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ସାମିଲ ହେବାର ସମୟ ଆସିଛି। ‘ସମ୍ବାଦ’ର ପୁନଶ୍ଚ ପୃଥିବୀ ଅଭିଯାନ ଉତ୍ତମ ପରିବେଶ ଗଠନରେ ନିଶ୍ଚିତ ଭାବେ ପଥପ୍ରଦର୍ଶକ ସାଜିବ ବୋଲି ଶ୍ରୀ ନାୟକ ମତବ୍ୟକ୍ତ କରିବା ସହ ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି। ଘୁମୁସର ବନଖଣ୍ଡ ହେଉଛି ଆମ ନିର୍ବାଚନମଣ୍ଡଳୀର ଗର୍ବ ଓ ଗୌରବ। ବର୍ତ୍ତମାନ ଏହି ଜଙ୍ଗଲର ଘନତ୍ବ ବୃଦ୍ଧି ହେବା ସହ ବନ୍ୟଜନ୍ତୁ ଶିକାର ହ୍ରାସ ପାଇଛି। ଏହାର ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ଶ୍ରୀ ନାୟକ କହିଛନ୍ତି।
ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳଙ୍କ ସଭାପତିତ୍ବରେ ମୁଖ୍ୟବକ୍ତା ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁଶେଖର ମହାନ୍ତି ଯୋଗ ଦେଇ କହିଛନ୍ତି, ଜଳବାୟୁ ପରିବର୍ତ୍ତନ କେବଳ ଗୋଟିଏ ସହର କିମ୍ବା ଗାଁରେ ସୀମିତ ହୋଇ ରହିନାହିଁ। ଏହାର ସାରା ବିଶ୍ବର ସମସ୍ୟା ପାଲଟିଛି। ପରିବେଶର ସୁରକ୍ଷା ପାଇଁ ସାମୂହିକ ସଚେତନତା ନିତାନ୍ତ ଜରୁରି। ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଅନୁପମ ବାନାର୍ଜୀ, ପରିବେଶବିତ୍ ସୁରେଶ ଚନ୍ଦ୍ର ସ୍ବାଇଁ, ରୋଟାରି କ୍ଲବ୍ ସଭାପତି ରଞ୍ଜିତ ବାରିକ, ବିଶିଷ୍ଠ ସଙ୍ଗଠକ ସନ୍ତୋଷ ଜେନା ଓ ଜଗବନ୍ଧୁ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବ୍ୟାପକ ବୃକ୍ଷରୋପଣର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ‘ସମ୍ବାଦ’ ଭଞ୍ଜନଗର ଜିଲ୍ଲା ପ୍ରତିନିଧି ବିଶ୍ବମ୍ବର ଜେନା କାର୍ଯ୍ୟକ୍ରମ ସଂଯୋଜନା ଓ ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ।