ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳୁଛି। ଭାରତରେ ମଧ୍ୟ ଏହାର ପ୍ରଭାବ ରହିଛି। ବନ୍ୟା, ଅଦିନିଆ ବର୍ଷା, ସହରରେ ରାସ୍ତାଘାଟରେ ଜଳ ପ୍ରବାହିତ ହେବା, ଅତ୍ୟଧିକ ଗରମ, ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଓ ସଂକୁଚିତ ଶୀତ ଜଳବାୟୁ ପରିବର୍ତ୍ତନର ସୂଚକ। ଏଥିଯୋଗୁ ଗ୍ଲେସିୟର ତରଳିବାର ବେଗ ୧୫ ପ୍ରତିଶତ ବୃଦ୍ଧି ପାଇଛି। ଅତ୍ୟନ୍ତ ସମ୍ବେଦନଶୀଳ ହିମାଳୟ ଅଞ୍ଚଳରେ ଏବେ ଗ୍ଲେସିୟାଲ ହ୍ରଦରେ ବନ୍ୟା ଆସିବା କିମ୍ବା ଗ୍ଲେସିୟର ତରଳିବାର ଆଶଙ୍କା ବୃଦ୍ଧି ପାଇଛି। କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ୨୮,୦୪୩ ଗ୍ଲେସିୟାଲ ହ୍ରଦ ମଧ୍ୟରୁ ୧୮୮ଟି ହ୍ରଦ ଯେକୌଣସି ସମୟରେ ବଡ଼ ଧରଣର କ୍ଷୟକ୍ଷତି ଘଟାଇପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

Advertisment

ବାସ୍ତବରେ ହିମାଳୟ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ବଢ଼ିଲେ ଗ୍ଲେସିୟରଗୁଡ଼ିକ ଦ୍ରୁତଗତିରେ ତରଳି ପ୍ରବାହିତ ହେବା ଆରମ୍ଭ କରନ୍ତି। ଏହି କାରଣରୁ ଏହି ଅଞ୍ଚଳରେ ନୂତନ ଗ୍ଲେସିୟାଲ ହ୍ରଦ ସୃଷ୍ଟି ହୋଇଛି ଏବଂ ଏହି ହ୍ରଦ ଉଛୁଳି ବନ୍ୟା ବିପଦ ବଢିବାରେ ଲାଗିଛି। ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଦୁଇ ଜଣ ବୈଜ୍ଞାନିକ ୧୧ ବର୍ଷ ତଳେ ଏଭଳି ଦୁର୍ଘଟଣାର ଆଶଙ୍କା କରିଥିଲେ। ଏହି ବୈଜ୍ଞାନିକମାନେ ‘କରେଣ୍ଟ ସାଇନ୍ସ’ ପତ୍ରିକାରେ ଏକ ଗବେଷଣା ରିପୋର୍ଟ ପ୍ରକାଶ କରିଥିଲେ, ଯେଉଁଥିରେ ସେମାନେ ଚେତାବନୀ ଦେଇଥିଲେ ଯେ ସିକ୍କିମର ସାଉଥ୍‌ ଲୋହାକ ଗ୍ଲେସିୟର ହ୍ରାସ ପାଉଛି। ଫଳରେ ହ୍ରଦ ବିସ୍ଫୋରଣ ଓ ବିପର୍ଯ୍ୟୟର ଆଶଙ୍କା ରହିଛି। ସଂସଦୀୟ କମିଟି ଚେତାବନୀ ଦେଇଥିଲା ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସିକ୍କିମ ଓ ସମଗ୍ର ହିମାଳୟ ଅଞ୍ଚଳରେ ଗ୍ଲେସିୟର୍ ତରଳିବାରେ ଲାଗିଛି ଏବଂ ହିମାଳୟ ଅଞ୍ଚଳରେ ମନିଟରିଂ ଷ୍ଟେସନର ଅଭାବ ହେତୁ ଗ୍ଲେସିୟର ଓ ଗ୍ଲେସିୟାଲ ହ୍ରଦଗୁଡ଼ିକର ତଦାରଖ ଠିକ୍ ଭାବେ କରାଯାଉନାହିଁ। ଏହି ବଢୁଥିବା ବିପଦର ମୁକାବିଲା ପାଇଁ ଏକ ଦୃଢ ଚେତାବନୀ ବ୍ୟବସ୍ଥା ସୃଷ୍ଟି କରିବାର ଆବଶ୍ୟକତା ରହିଛି।