ରାୟଗଡ଼ା/କୋରାପୁଟ: କୋରାପୁଟ-ରାୟଗଡ଼ା (କେଆର୍‌) ଲାଇନ୍‌। ପୂର୍ବତଟ ରେଳବାଇ ଜୋନ୍‌ର ଏହି ‌ରେଳପଥରେ ଯାତ୍ରା କରିବା ଯେତିକି ରୋମାଞ୍ଚକର ସେତିକି ବିପଦପୂର୍ଣ୍ଣ। ବିଶେଷ କରି ବର୍ଷା ଦିନେ ଏହି ରେଳପଥ ବିପଦ ବଳୟ‌କୁ ଚାଲିଆସେ। କେତେବେଳେ ଅଘଟଣ ଘଟିବ କହିବା ମୁସ୍କିଲ। ଗତ କିଛି ବର୍ଷ ହେଲା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏହି ରେଳପଥରେ ଟ୍ରେନ୍‌ ଚଳାଚଳ ବାରମ୍ବାର ବାଧାପ୍ରାପ୍ତ ହେଉଛି। ଏପରିକି ବର୍ଷା ଦିନେ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ‌ଟ୍ରେନ୍‌ ଚଳାଚଳ ନିମନ୍ତେ ରୁଟ୍‌ ପରବର୍ତ୍ତନ କରିବାକୁ ପଡ଼ୁଛି। କୋତାୱାଲସା-କୋରାପୁଟ-ଜୟପୁର-କିରଣ୍ଡୁଲ ରେଳପଥରେ ନିୟମିତ ଭୂସ୍ଖଳନ ମଧ୍ୟ ଭୟକୁ ବଢ଼ାଉଛି।

Advertisment

ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟଗଡ଼ା) ରେଳପଥ ଲାଇଫ୍‌ ଲାଇନ୍‌ ସଦୃଶ। ୧୬୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳପଥରେ ପାହାଡ଼କୁ ଚିରି ୩୬ଟି ଟନେଲ୍‌ ନିର୍ମିତ। ସେହିପରି ଉଚ୍ଚା ପୋଲରେ ପ୍ରତିଦିନ ଦୌଡ଼ୁଛି ଯାତ୍ରୀବାହୀ ଓ ମାଲ୍‌ବାହୀ ଟ୍ରେନ୍‌। ପ୍ରତିବର୍ଷ ବର୍ଷା ଦିନେ ଏହି ରେଳପଥରେ ଭୂସ୍ଖଳନ ଟ୍ରେନ୍‌ ଚଳାଚଳକୁ ବାଧାପ୍ରାପ୍ତ କରୁଛି। ସେହିପରି ଟ୍ରାକ୍‌ରେ ପାଣି ଜମି ରହିବା ଓ ଗଛ ପଡ଼ିବା କାରଣରୁ ଘଣ୍ଟା ଘଣ୍ଟା ଅଟକି ଯାଉଛି ଟ୍ରେନ୍‌। ଟ୍ରାକ୍‌ ନିର୍ମାଣ ସମୟରେ ବିସ୍ଫୋରକ ଲଗାଇ ପାହାଡ଼କୁ କଣା କରାଯାଇଥିଲା। ଯାହାଫଳରେ ଦୁର୍ବଳ ପାହାଡ଼ରୁ ମାଟି ଧସୁଥିବା ଜଣାପଡ଼ିଛି। ଏଥିପାଇଁ ଟିକିରି ଏବଂ ଭାଲୁମସ୍କା ଷ୍ଟେସନ ମଧ୍ୟରେ ୪୫.୪୬ କିଲୋମିଟର ଦୂରତା ବିଶିଷ୍ଟ ରେଳ ସେକ୍ସନକୁ ଭୂସ୍ଖଳନ ପ୍ରବଣ ଅଞ୍ଚଳ ରୂପେ ଚିହ୍ନଟ କରାଯାଇଛି। ବର୍ତ୍ତମାନ ରେଳପଥର ଦୋହରୀକରଣ କାର୍ଯ୍ୟ ଚାଲିଛି। ଆହୁରି ୩୨ଟି ଟନେଲ୍‌ ନିର୍ମାଣ ପାଇଁ ସ୍ଥିର ହୋଇଛି। ସେଥିରୁ ୧୯ଟି ଟନେଲ୍‌ ଟିକିରି ଓ ଭାଲୁମସ୍କା ମଧ୍ୟରେ ନିର୍ମାଣ ହେବ। ଭାଲୁମାସ୍କା ଓ ସିଙ୍ଗାପୁର ରୋଡ୍ ମଧ୍ୟରେ ୯ଟି ଏବଂ ବାଇଗୁଡା-ଲକ୍ଷ୍ମୀପୁର ରୋଡ୍ ମଧ୍ୟରେ ୪ଟି ଟନେଲ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଆଗକୁ ଭୂସ୍ଖଳନ ଭଳି ଘଟଣା ବଢ଼ିବ ବୋଲି ପରିବେଶବିତ୍‌ ଆଶଙ୍କା କରିଛନ୍ତି। କାରଣ ରେଳପଥର ଗୋଟିଏ ପାର୍ଶ୍ବ ପାହାଡ଼ ଦ୍ୱାରା ଆବଦ୍ଧ ହୋଇଥିଲା ବେଳେ ଅନ୍ୟ ପାର୍ଶ୍ବରେ ରହିଛି ୧୦୦ ମିଟରରୁ ଅଧିକ ଗଭୀର ଖାଇ। ଜଙ୍ଗଲ କ୍ଷୟ ସାଙ୍ଗକୁ ପୋଡ଼ୁଚାଷ ମଧ୍ୟ ମାଟିକୁ ଦୁର୍ବଳ କରିସାରିଛି।

ଦ୍ରୁତଗତିରେ ରେଳ ଚଳାଚଳ କରିବା ଦ୍ବାରା କଂପନ ଯୋଗୁଁ ଦୁର୍ବଳ ହୋଇସାରିଥିବା ମାଟି ବର୍ଷା ମାଡ଼ ଖାଇ ଧସିଯାଉଛି। ୬୪ବର୍ଷ ପୁରୁଣା କୋତାୱାଲସା-କୋରାପୁଟ-ଜୟପୁର-କିରଣ୍ଡୁଲ ରେଳପଥରେ ମଧ୍ୟ ସମାନ ଅବସ୍ଥା। ପୂର୍ବତଟ ରେଳପଥର ରାଜସ୍ବ ଭଣ୍ଡାରକୁ ଭରୁଥିବା ଏହି ରେଳପଥ ଭୂସ୍ଖଳନ ଯୋଗୁଁ ତ୍ରସ୍ତ। ୪୪୫ କିଲୋମିଟର ରେଳପଥରେ ୫୮ଟି ଟନେଲ୍, ୮୪ଟି ବଡ଼ ପୋଲ ରହିଛି। ଏଥିରେ ମାଳିଗୁଡା ପୋଲ ଓ ଟନେଲ ସବୁଠାରୁ ବଡ଼। ରେଳପଥରେ ଦୋହରୀକରଣ କାର୍ଯ୍ୟ ପ୍ରାୟ ୮୦ପ୍ରତିଶତ ଶେଷ ହୋଇଛି। ୪୯ଟି ନୂଆ ଟନେଲ ନିର୍ମାଣ ଚାଲିଛି। ପୂର୍ବରୁ ମାଟି ଅତଡ଼ା ଖସି ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେଉଥିଲା। ଗତବର୍ଷ ଭୂସ୍ଖଳନ ସଂଖ୍ୟା ବଢ଼ିଥିଲା। ଏପରିକି ସବୁଠାରୁ ବଡ଼ ଅଘଟଣ ଏହି ଲାଇନ୍‌ରେ ହୋଇଥିଲା। ଜରଟି ଷ୍ଟେସନ ନିକଟରେ ଭୂସ୍ଖଳନ ଯୋଗୁଁ ୩ସପ୍ତାହ ଧରି ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ଉଦ୍ଧାର କାର୍ଯ୍ୟ ସାରିବାକୁ ୨୧ଦିନ ଲାଗିଥିଲା। ଏହି ରେଳପଥରେ ଦୋହରୀକରଣ ନିମନ୍ତେ ବହୁ ସଂଖ୍ୟାରେ ଗଛ କାଟିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ସେହିପରି ବହୁ ସମୟରେ କେଆର ଲାଇନ୍‌ର ଭୋରାଭରମ୍, ସିଙ୍ଗାବାରୁକୋଟା, ଆରକୁ ଆଦି ଅଞ୍ଚଳରେ ବାରମ୍ବାର ପଥର ଖସୁଛି। ରେଳପଥ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଅର୍ଥନୀତିକୁ ବଳ ଦେଇଛି। କିନ୍ତୁ ପରିବେଶର ବଡ଼ କ୍ଷତି କରିଛି।