ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ଆମର ପାଣିପାଗ ଉପରେ ପ୍ରତିକୂଳ ପ୍ରଭାବ ପକାଇ ଦୈନନ୍ଦିନ ଜୀବନ ପାଇଁ ବିପଦକୁ ଅଧିକ ବେଗବାନ୍ କରୁଛି ବୋଲି ବିଶିଷ୍ଟ ଜଳବାୟୁ ବିଜ୍ଞାନୀ ଅଭିଷେକ ମହାନ୍ତି ସତର୍କ କରିଛନ୍ତି। ବର୍ତ୍ତମାନ ଜଳବାୟୁର ଢାଞ୍ଚା ଆଉ ପୂର୍ବ ଭଳି ନାହିଁ। ଜଳବାୟୁ ପରିବର୍ତ୍ତନ କାରଣରୁ ଅପ୍ରତ୍ୟାଶିତ ମୌସୁମୀ, ଶୀତ ଓ ଗ୍ରୀଷ୍ମଋତୁ ବର୍ତ୍ତମାନ ଶରତ, ହେମନ୍ତ ଓ ବସନ୍ତ ଆଦି ତିନି ଋତୁକୁ ଉଭେଇ ଦେଲାଣି। ପୃଥିବୀର ଜଳବାୟୁ ପରିବର୍ତ୍ତନରେ ମାନବୀୟ କାର୍ଯ୍ୟକଳାପ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି। ଏହି ଦ୍ରୁତ ପରିବର୍ତ୍ତନ ଆମ ଗ୍ରହର ପରିସଂସ୍ଥାନର ସୂକ୍ଷ୍ମ ସନ୍ତୁଳନକୁ ବ୍ୟାଘାତ କରୁଛି।
ପାଣିପାଗର ଅତ୍ୟଧିକ ଅନିୟମିତତା କାରଣରୁ ଗ୍ରୀଷ୍ମ ପ୍ରବାହ, ମରୁଡ଼ି, ବନ୍ୟା ଓ ବାତ୍ୟାର ସଂଖ୍ୟା ଦିନକୁ ଦିନ ବଢ଼ିବା ସହ ଏହାର ପ୍ରଭାବ ତୀବ୍ର ହେଲାଣି। ଏହା ଆମର ଭିତ୍ତିଭୂମିକୁ ଧ୍ବଂସ କରିବା ସହିତ, ଖାଦ୍ୟ, ପାନୀୟ ଓ ଜଳସଙ୍କଟ ସମେତ ବହୁ ମାତ୍ରାରେ ବିସ୍ଥାପନ ଓ ନିଯୁକ୍ତିହୀନତା ସମସ୍ୟା ସୃଷ୍ଟି କରିବା ଆରମ୍ଭ କଲାଣି। ଏହା ଶିଳ୍ପ ଓ କୃଷି ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଦେବ। ସମୁଦ୍ରର ଜଳସ୍ତର ଓ ଉତ୍ତାପ ବୃଦ୍ଧି ପାଇ ପୃଥିବୀର ସ୍ଥଳଭାଗରେ ଅତ୍ୟଧିକ ଗରମ ପରିଲକ୍ଷିତ ହେଉଛି। ଏହା ଉପକୂଳବର୍ତ୍ତୀ ଗୋଷ୍ଠୀ ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି। ଉଦ୍ଭିଦ ଓ ପ୍ରାଣୀ ଜଗତର ବିଭିନ୍ନ ପ୍ରଜାତି ପରିବର୍ତ୍ତିତ ପରିବେଶ ସହ ଖାପ ଖୁଆଇବା ପାଇଁ ସଂଘର୍ଷ କରୁଛନ୍ତି। ଏହା ଖାଦ୍ୟ ଶୃଙ୍ଖଳକୁ ବ୍ୟାହତ କରିବା ସହ ଜୈବ ବିବିଧତାକୁ ପ୍ରଭାବିତ କରୁଛି। ଗ୍ରୀଷ୍ମ ପ୍ରବାହ, ବାୟୁ ପ୍ରଦୂଷଣ, ଓ ସଂକ୍ରାମକ ରୋଗ ବ୍ୟାପିବା ଆଦି ଜଳବାୟୁ ପରିବର୍ତ୍ତନ ସହିତ ଜଡ଼ିତ।
ପରିବେଶ ସୁରକ୍ଷା ପାଇଁ ଆଜିର ଦିନରେ ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ଆପଣାଇବା ଓ ସମର୍ଥନ କରିବାର ସମୟ ଆସିଛି। ଏଥିରେ କମ୍ ଶକ୍ତି ବ୍ୟବହାର ହେବା ସହିତ ଏହା ପରିବେଶ ଅନୁକୂଳ ହୋଇପାରିବ। ଘରେ ଓ କାର୍ଯ୍ୟାଳୟରେ ଅନାବଶ୍ୟକ ଭାବେ ଶୀତତାପ ନିୟନ୍ତ୍ରଣର ବ୍ୟବହାର ବର୍ଜନ କରିବା ଭଳି କେତେକ ପଦକ୍ଷେପ ଆମ ଜୀବନ ଓ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବାରେ ସହାୟକ ହେବ।
ଜଳବାୟୁରେ ହଠାତ୍ ପରିବର୍ତ୍ତନ ଆମ ପାଇଁ ଏକ ଆହ୍ବାନ ପାଲଟିଗଲାଣି। କିନ୍ତୁ ଏହା ପରୋକ୍ଷରେ ମଣିଷ ଜାତି ପାଇଁ ଏକ ସକାରାତ୍ମକ ପରିବର୍ତ୍ତନର ସୁଯୋଗ ସୃଷ୍ଟି କରିଛି। ଏକାଠି କାମ କରି ଆମେ ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିପାରିବା। ଏହି ନୂତନ ଭୟଙ୍କର ଦୃଶ୍ୟପଟର ମୁକାବିଲା କରିବାକୁ ଆମେ ସହଯୋଗର ଭାବନାକୁ ଗ୍ରହଣ କରିବା। ଯଦି ଆମେ ସମସ୍ତେ ପରିବେଶକୁ ସୁରକ୍ଷିତ ରଖିବାର ସମାନ ଲକ୍ଷ୍ୟ ନେଇ ଆଗେଇ ଆସିବା ତେବେ ପରିସଂସ୍ଥାର କୌଣସି କ୍ଷତି ନଘଟି ଜୈବବିବିଧତା ସୁରକ୍ଷିତ ରହିବ। ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/1LWRWTOFUjI1c1CQJkNr.jpg)