ସବୁଜ ସୁନ୍ଦରଗଡ଼ ଏବେ ଲାଲ୍‌-କଳା ପ୍ରଦୂଷଣରେ ଜର୍ଜରିତ
ସୁନ୍ଦରଗଡ଼/କୋଇଡ଼ା: ଖଣିକୁ ନେଇ ବିକାଶର ଆଖିଝଲସା ବିଶାଳଚିତ୍ର ସବୁ ଅଙ୍କା ଯାଏ। ସମସ୍ତେ ଖଣି ଆଲୁଅକୁ ଦେଖନ୍ତି। କିନ୍ତୁ ଆରପ‌ାଖ ଅନ୍ଧାରରେ ଯେଉଁ ବିନାଶଲୀଳା ଚାଲିଥାଏ, ତା’ ଉପରେ କାହାର ନଜର ପ‌ଡ଼ି ନଥାଏ। ନଜର ପଡ଼ିଲେ ବି କେହି ବିଶେଷ ବିଚଳିତ କିମ୍ବା ବ୍ୟସ୍ତ ହେଉଥିବାର ମନେ ହୁଏନାହିଁ। ଲୋକଙ୍କ ଏହି ଉଦାସୀନତା ମଧ୍ୟରେ ଗୋଟିଏ ପରେ ଗୋଟିଏ ଜଙ୍ଗଲ, ନଦୀନାଳ, ଗାଁଭୂଇଁ ସହ ପିଢ଼ିପିଢ଼ିର ଜୀବନଜୀବିକାକୁ ଗିଳି ଚାଲିଛି ଖଣି। ଏଥିରୁ ବାଦ୍‌ ପଡ଼ିନି ଆଦିବାସୀଙ୍କ ଭୂମି ସୁନ୍ଦରଗଡ଼। ଜିଲ୍ଲାର ବିଶାଳ ଜଙ୍ଗଲ ଏବେ ଖଣି ଆଁରେ। ଜିଲ୍ଲାର ଉତ୍ତର-ପୂର୍ବ କୋଇଡ଼ାରେ ବୃହତ୍‌ ଲୁହାପଥର ଓ ଦକ୍ଷିଣ-ପଶ୍ଚିମ ହେମଗିରରେ ଏସିଆର ଦ୍ବିତୀୟ ସର୍ବବୃହତ୍‌ କୋଇଲାଖଣି। ପ୍ରାୟ ୨୬,୭୨୧ ହେକ୍ଟର ଜଙ୍ଗଲକୁ ଗିଳିବା ପାଇଁ ଆଁ କରି ମାଡ଼ିଆସୁଛି। ସବୁଜିମାଭରା ଏହି ବିଶାଳ ଭୂଖଣ୍ଡ ଗୋଟିଏ ପାର୍ଶ୍ବରେ କଳା ପଡ଼ି ଯାଉଥିଲାବେଳେ ଅନ୍ୟପଟେ ନାଲି ଜର୍ଜରିତ ହେଲାଣି। ଅନ୍ୟ ଶବ୍ଦରେ କହିଲେ, ନିଜ ଅପରୂପ ସୌନ୍ଦର୍ଯ୍ୟ ହରାଇବାକୁ ବସିଛି ସୁନ୍ଦରଗଡ଼। ଏହାର ହଜାରେ ହେକ୍ଟରରୁ ଅଧିକ ଜଙ୍ଗଲ ଖଣି ଭିତରେ ଲୀନ ହୋଇସାରିଛି। ଖଣି ଗିଳୁଥିବା ସବୁଜକ୍ଷେତ୍ରର ଭରଣା ବା ବିକଳ୍ପ ବନୀକରଣ କରାନଗଲେ ଆଗକୁ ସୁନ୍ଦରଗଡ଼ ମରୁଭୂମି ପାଲଟିବା ଅବଶ୍ୟମ୍ଭାବୀ।

Advertisment

ଧ୍ବଂସ ହେଉଛି ଜଙ୍ଗଲ
ହେମଗିର ଅଞ୍ଚଳରେ ଏମ୍‌ସିଏଲ୍‌, ଏନ୍‌ଟିପିସି, ଓସିପିଏଲ୍‌ ଆଦି ୬ଟି କୋଇଲା ଖଣିରେ ପ୍ରାୟ ୧ ହଜାର ହେକ୍ଟର ଜଙ୍ଗଲ ଧ୍ବଂସ ହୋଇସାରିଛି। ଏଥିରେ ସମୁଦାୟ ୭୪ ହଜାର ୨୨୪ଟି ଗଛ କଟିଥିବା ରିପୋର୍ଟ ରହିଛି। ପ୍ରତିବଦଳରେ ୧୯୩୬ ହେକ୍ଟର ଜମିରେ ୩ ଲକ୍ଷ ୮୭ ହଜାର ୨୫୪ଟି ଚାରାରୋପଣ କରି କ୍ଷତିପୂରକ ବନୀକରଣ କରାଯାଇଥିବା ଦର୍ଶାଯାଇଛି। କିନ୍ତୁ ବନୀକରଣ କେବଳ କାଗଜପତ୍ରରେ କରାଯାଉଥିବା ଓ ଗୋଟିଏ, ଦୁଇଟି ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଗଛର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନାହିଁ। ଏ ସ୍ଥିତିରେ ବର୍ତ୍ତମାନ ବିଭିନ୍ନ ଘରୋଇ କମ୍ପାନିକୁ ନୂଆନୂଆ ଖଣି ଆବଣ୍ଟିତ ହୋଇଛି। ତେଣୁ ନୂଆ ଖୋଳାଯିବାକୁ ଥିବା ୧୮ଟି ଖଣିରେ ୩୧ ଶହ ହେକ୍ଟର ଜଙ୍ଗଲ ଧ୍ବଂସ ହେବାର ଆକଳନ କରାଯାଇଛି। ଏହା ହେଲେ ସୁନ୍ଦରଗଡ଼ ବନଖଣ୍ଡର ଏକ ବିଶାଳ ସବୁଜକ୍ଷେତ୍ର ଗର୍ଜନପାହାଡ଼ ଓ ଧନୁବାଉଁଶ ସମ୍ପୂର୍ଣ୍ଣ ଧ୍ବଂସ ପାଇଯିବ। ହେମଗିର ପରି କୋଇଡ଼ା ବ୍ଲକ୍ ଅଞ୍ଚଳର ଲୁହାପଥର ଖଣି ପାଇଁ ବ୍ୟାପକ ଜଙ୍ଗଲ ଓ ବିଶାଳ ପାହାଡ଼ ଧରାଶାୟୀ ହୋଇଗଲାଣି। ଏଥିପାଇଁ ୫୦ ଦଶକରୁ ଏ ଅଞ୍ଚଳରେ ଶହଶହ ହେକ୍ଟର ଜଙ୍ଗଲ ନଷ୍ଟ ହେବା ସହ ନଦୀ, ଝରଣା ଆଦି ପ୍ରାକୃତିକ ଜଳଉତ୍ସର ମୃତ୍ୟୁଘଣ୍ଟି ବାଜି ସାରିଲାଣି। ଖଣିରେ କୋଇଡ଼ାର ସଂରକ୍ଷିତ ଜଙ୍ଗଲ କାରୋ ୩୭୪୭.୬୦ ଏକର, ମେଣ୍ଢା ମାରୁଣି, ସାରକୁଣ୍ଡା ୪୬୬୭.୪୦ ଏକର, କାଠମାଳ ୨୫୦ ଏକର, ଭବାନୀ ପାହାଡ଼ ୯୧୫ ଏକର,  ରକ୍ସି ୪୩୧୪.୮ ଏକର, ରକ୍ସି ୨ୟ ୩୪୯୧ ଏକର, ଖଣ୍ଡାଧାର ୨୨୯୨ ଏକର, ଖଜୁରଡ଼ିହି ୫୨୫ ଏକର, ତୋଡ଼ା ୩୮୮୫୧.୨୧ ଏକରରୁ କିଛି ଧ୍ବଂସ ହୋଇଥିବା ବେଳେ ଆଉ କିଛି ମୃତ୍ୟୁର ଧାଡ଼ିରେ ଛିଡ଼ା ହୋଇଛନ୍ତି।

ଖସୁଛି ଭୂତଳ ଜଳସ୍ତର
ସୁନ୍ଦରଗଡ଼ରେ ଖଣିଖାଦାନ ପାଇଁ ଶହଶହ ଏକର ସବୁଜ ଜଙ୍ଗଲ ପଦା ହେଉଥିବାରୁ ମାଟିର ଜଳଧାରଣ କ୍ଷମତା ମଧ୍ୟ ଉଦ୍‌ବେଗଜନକ ଭାବେ ହ୍ରାସ ପାଉଛି। ଯେଉଁଥି ପାଇଁ ଜଳସଂକଟ ଉତ୍କଟ ହେବାରେ ଲାଗିଛି। ପୂର୍ବଭଳି ନଦୀ, ପୋଖରୀ, କୂଅ, ନଳକୂପ ପ୍ରଭୃତିରେ ଜଳଧାରଣ କ୍ଷମତା ସଂକୁଚିତ ହେଉଛି। ଫଳସ୍ବରୂପ ଅକ୍ଟୋବର ପରେ ପରେ ଜଳ ଉତ୍ସଗୁଡ଼ିକ ଶୁଖିଯାଉଛି। ୨୦୨୩ ଜୁନ ୧୨ ତାରିଖ ସକାଳେ ଏକ ସାଂଘାତିକ ସ୍ଥିତିକୁ ସାମ୍ନା କରିଥିଲା ସୁନ୍ଦରଗଡ଼ ସହର। ସୁନ୍ଦରଗଡ଼ ଇତିହାସରେ ପ୍ରଥମଥର ପାଇଁ ସହରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ପାଣି ପାଇଁ ସହରରେ ପଡ଼ିଯାଇଥିଲା ହାହାକାର। ସୁନ୍ଦରଗଡ଼ର ଜୀବନରେଖା ଇବ୍‌ ନଦୀର କ୍ଷୀଣ ଜଳଧାର ଶୁଖିଯିବା ପରେ ସହରାଞ୍ଚଳ ଜନସ୍ବାସ୍ଥ୍ୟ ବା ଓଡ଼ିଶା ଜଳନିଗମର ଜଳଯୋଗାଣ ଓ ବିଶୋଧନାଗାରକୁ ପାଣି ନମିଳିବାରୁ ଏ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଇବ୍‌ ନଦୀ ଉପରମୁଣ୍ଡରେ ଛତିଶଗଡ଼ର କବ୍‌ଜା ଓ ନଦୀର ଜଳଧାରଣ କ୍ଷମତା ହ୍ରାସ ପାଇବାରୁ ଏପରି ସ୍ଥିତି ଦେଖା ଦେଇଥିବା ବିଶେ‌ଷଜ୍ଞ କହିଥିଲେ। ଗ୍ରାମ୍ୟ ଜଳଯୋଗାଣ ବିଭାଗର ସୂଚନା ଅନୁସାରେ, ୨୦ ବର୍ଷ ପୂର୍ବେ ସୁନ୍ଦରଗଡ଼ରେ ୨୫ ଫୁଟ୍‌ ତଳେ ପାଣି ମିଳୁଥିଲା। ଏବେ ତାହା ଦେଢ଼ଶହ ଫୁଟ୍ ତଳକୁ ଖସିଗଲାଣି। ବିଶେଷକରି ଖଣି ଅଞ୍ଚଳ ହେମଗିର, କୋଇଡ଼ାରେ ଭୂତଳ ଜଳସ୍ତର ବହୁତଳକୁ ଚାଲିଯାଇଛି।

ନଦୀର ମୃତ୍ୟୁ
ଏକଦା ହେମଗିର ଅଞ୍ଚଳର ଜୀବନରେଖା ସାଜିଥିଲା ଚିରସ୍ରୋତା ‘ବସୁନ୍ଧରା’ ଓ ‘ଚତୁର୍ଧାରା’ ନଦୀ। ଏହାର କୂଳରେ ଥିବା ଗାଁ ସହ ପାର୍ଶ୍ବବର୍ତ୍ତୀ ୩୦ରୁ ଅଧିକ ଗାଁ ଲୋକେ ନିର୍ଭର କରିଆସୁଥିଲେ। ଜମିକୁ ଜଳସେଚନ ଓ ଲୋକଙ୍କ ତୃଷା ମେଣ୍ଟାଇବାରେ ସକ୍ଷମ ଥିବା ଏ ଦୁଇ ଜଳ ଉତ୍ସ ସହ ଅଞ୍ଚଳବାସୀଙ୍କର ଏକ ସାଂସ୍କୃତିକ ଓ ଭାବଗତ ସମ୍ପର୍କ ରହିଥିଲା। କୋଇଲାଖଣିରେ ବସୁନ୍ଧରାର ମୃତ୍ୟୁ ହୋଇସାରିଛି କହିଲେ ଭୁଲ ହେବନାହିଁ। ଏବେ ‘ଚତୁର୍ଧାରା’ର ପାଳି। ଏହାଛଡ଼ା  ଲେଫ୍ରିପଡ଼ା ବ୍ଲକ୍‌ ଅଞ୍ଚଳ ଦେଇ ବୋହିଯାଉଥିବା ‘ଇଚ୍ଛାନଦୀ’କୁ ମଧ୍ୟ ମୃତ୍ୟୁର ଡାକରା ଆସିଲାଣି। ଲେଫ୍ରିପଡ଼ା ବ୍ଲକ୍‌ ଡୁମାବାହାଲ ପଞ୍ଚାୟତ ସିପୋକଚ୍ଛାର ଗାଁର ଏକ ପାହାଡ଼ରୁ ଜନ୍ମ ନେଇଥିବା ଇଚ୍ଛାନଦୀ ୫୦ରୁ ଅଧିକ ଗାଁ ପାଇଁ ଜୀବନଧାରା ସାଜିଥିଲା। ଲୋକେ ସ୍ନାନଶୌଚଠାରୁ ଆରମ୍ଭ କରି ଚାଷବାସ, ପାନୀୟଜଳ ରୂପେ ବ୍ୟବହାର କରି ଆସୁଥିବା ଏହି ନଦୀ ଏବେ ଶୁଷ୍କ ପ୍ରାୟ। ନଦୀଟି ଛୋଟନାଳର ରୂପ ଧରିଥିବା ବେଳେ ଏହାର ଶଯ୍ୟା ସବୁ ପଥର, ଘାସବୁଦାରେ ଆଚ୍ଛାଦିତ ହୋଇଗଲାଣି। କୋଇଲାଖଣି ଯୋଗୁ ଏସବୁ ନଦୀ ଆଉ କିଛିବର୍ଷ ପରେ ଭୂଗୋଳ ପୋଥିରୁ ହଜିଯିବ ବୋଲି ଜଳଜଳ ଦେଖାଯାଉଛି।

ପ୍ରଦୂଷଣରେ ଅତିଷ୍ଠ ଜନସାଧାରଣ      
ଲୁହାପଥର ଖନନ ଯୋଗୁଁ ସମଗ୍ର କୋଇଡ଼ା ବ୍ଲକ୍‌ ଓ ଲହୁଣିପଡ଼ାର କିଛି ଅଂଶ ନାଲିବର୍ଣ୍ଣ ଧାରଣ କରିଥିବାବେଳେ ହେମଗିର ବ୍ଲକ୍‌ ଓ ଲେଫ୍ରିପଡ଼ାର କିଛି ଅଞ୍ଚଳ କଳାବର୍ଣ୍ଣ ଧାରଣ କରିଛି। ଅଞ୍ଚଳବାସୀ ନାଲି ଓ କଳାଗୁଣ୍ଡର ପ୍ରଦୂଷଣ ଆବରଣ ମଧ୍ୟରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ବାରା ପିଢ଼ିପିଢ଼ି ଧରି ବଂଶାନୁଗତିକ ଭାବେ ସେମାନଙ୍କର ସ୍ବାସ୍ଥ୍ୟ ବିପନ୍ନ ହେଉଛି। ଏ କଥା ସଭିଁଏ ଜାଣୁଥିଲେ ବି ନିରୁପାୟ। ଥିଲାବାଲା ଲୋକ ଅଞ୍ଚଳ ଛାଡ଼ି ଅନ୍ୟତ୍ର ଘର କରି ରହିଲେଣି। କିନ୍ତୁ ସାଧାରଣ ଲୋକ ହେମଗିରରେ କୋଇଲା ଗୁଣ୍ଡରେ ଓ କୋଇଡ଼ାରେ ଲୁହାପଥର ଗୁଣ୍ଡରେ ଅଣନିଶ୍ବାସୀ। ସେହି ଅଞ୍ଚଳ ଦେଇ ବୁଲି ଆସୁଥିବା ଗାଡ଼ିଟିଏ ଫେରିଲାବେଳକୁ ସଂପୂର୍ଣ୍ଣ ଭାବେ ତାର ରଙ୍ଗ ବଦଳି ଯାଇଥାଏ। କିନ୍ତୁ ସେହି ଅଞ୍ଚଳବାସୀ ଉକ୍ତ ଖଣିଜ ଗୁଣ୍ଡକୁ ତିଳକ କରି ବଞ୍ଚିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ।