ହରିଚନ୍ଦନପୁର: ଜନ୍ମଦିନ ଓ ବିବାହ ଉତ୍ସବରେ ଆକର୍ଷଣୀୟ ଉପହାର, ଖାମ୍ରେ ଅର୍ଥ ପରିବର୍ତ୍ତେ ଚାରା ଉପହାର ଦିଆଯାଉ। ପରିବେଶ ସୁରକ୍ଷା ପାଇଁ ଗଛଟିଏ ଲଗାଇ ତା’ର ଯତ୍ନ ନେବାକୁ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକ୍ ଜଂଘିରା ମହାପାଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ଏହା କହିଛନ୍ତି।
ବଣପାହାଡ଼ ଘେରା ତେଲକୋଇ ନିର୍ବାଚନମଣ୍ଡଳୀର ଆଦିବାସୀମାନେ ନିଜ ଜୀବନଜୀବିକା ପାଇଁ ପୋଡ଼ୁଚାଷ କରୁଛନ୍ତି। ଏହାଦ୍ୱାରା ବ୍ୟାପକ ଜଙ୍ଗଲ କ୍ଷୟ ହେଉଛି। ସେମାନଙ୍କୁ ଏଥିପ୍ରତି ସଚେତନ କରିବାର ଆବଶ୍ୟକତା ରହିଛି। ଫଳନ୍ତି ଗଛ ରୋପଣ କରି ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଗଲେ ପୋଡ଼ୁଚାଷରେ ରୋକ୍ ଲାଗିପାରିବ ବୋଲି ସେ କହିଥିଲେ। ସଭାରେ ସମାଜସେବୀ ଶର୍ମିଷ୍ଠା ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଥିଲେ ହରିଚନ୍ଦନପୁର ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ୧୯୯୪ ମସିହାରୁ ଚାରାରୋପଣ ଚାଲିଛି। ମହିଳାମାନଙ୍କ ଦ୍ୱାରା ଲକ୍ଷାଧିକ ଚାରାରୋପଣ କରାଯାଇଛି।
ଆଗକୁ ଏକ ସ୍ମୃତି ଉଦ୍ୟାନ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ରୋଟାରିଆନ୍ ବସନ୍ତ କୁମାର ପୃଷ୍ଟି ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଚାରା ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷରୋପଣ ପ୍ରତି ଆଗ୍ରହ ସୃଷ୍ଟି କରିବାପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ସମୟରେ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ। ମହାପାଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଠାକୁର ଦାସ ମହାନ୍ତ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/uifgtOW1ONSJyJdZrHxl.jpg)
