ଭୀଷଣ ଗ୍ରୀଷ୍ମପ୍ରବାହ ଓ ଘାତକ ଝଡ଼ର ସମ୍ମୁଖୀନ ହୋଇଥିବା ଚଳିତ ୨୦୨୪ ମସିହା ନିଶ୍ଚିତ ଭାବରେ ମଣିଷ ଦ୍ବାରା ପଞ୍ଜୀକୃତ ସବୁଠୁ ଉଷ୍ମ ବର୍ଷ ହେବ ବୋଲି ୟୁରୋପୀୟ ଜଳବାୟୁ ସେବା ପକ୍ଷରୁ କୁହାଯାଇଛି। ବର୍ଷ ତମାମ ବିଶ୍ବର ହାରାହାରି ତାପମାତ୍ରା ଶିଳ୍ପ ଯୁଗ (୧୮୫୦-୧୯୦୦) ପୂର୍ବ ତାପମାତ୍ରାଠାରୁ ଦେଢ଼ ଡିଗ୍ରି ସେଲସିଅସ୍ ଉପରେ ରହିବାର ସୀମାକୁ ଟପିଯିବ, ଫଳରେ ୨୦୨୪ ମସିହା ସେହି ପ୍ରତୀକାତ୍ମକ ସୀମାକୁ ଭାଙ୍ଗିବାର ପ୍ରଥମ କ୍ୟାଲେଣ୍ଡର ବର୍ଷ ହେବ। ଏପରି ଉଚ୍ଚ ତାପମାତ୍ରା ପାଇଁ ‘ଏଲ୍ ନିନୋ’ ପରି ପ୍ରାକୃତିକ ଜଳବାୟୁ ଢାଞ୍ଚାର ଅବଦାନ କ୍ବଚିତ୍ ରହିଥିବା ବେଳେ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର ପ୍ରମୁଖ ଭୂମିକା ରହିଛି। ଆସନ୍ତା ସପ୍ତାହରେ ଆଜର୍ବାଇଜାନ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଜଳବାୟୁ ସମ୍ମିଳନୀ ‘ସିଓପି-୨୯’ ପାଇଁ ଏହା ଏକ ସତର୍କଘଣ୍ଟି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅର୍ଥାତ୍ ୧.୫ଂ ସେଲ୍ସିଅସ୍ ତାପମାତ୍ରା ସୀମାକୁ ଆଉ ନ ବଢ଼ାଇବା ଦିଗରେ ରାଷ୍ଟ୍ରମାନେ ବିହିତ ପଦକ୍ଷେପମାନ ନେବାକୁ ଏହା ଆହ୍ବାନ କରିଛି।
ସୂଚନାଯୋଗ୍ୟ, ଚଳିତବର୍ଷର ପ୍ରଥମ ୧୦ ମାସ ଭିତରେ ହାରାହାରି ବୈଶ୍ବିକ ତାପମାତ୍ରା ଏତେ ଅଧିକ ରହିଆସିଛି ଯେ ଅନ୍ତିମ ଦୁଇ ମାସ ଭିତରେ ତାପମାତ୍ରାରେ ତୀବ୍ର ହ୍ରାସ ହେଲେ ହିଁ ଏକ ନୂତନ ରେକର୍ଡ ସ୍ଥାପନକୁ ଏଡ଼ାଇ ହେବ। ପ୍ରକୃତରେ, ୨୦୨୪ ଶେଷ ବେଳକୁ ହାରାହାରି ତାପମାତ୍ରା ଶିଳ୍ପଯୁଗ ପୂର୍ବ ତାପମାତ୍ରା ଠାରୁ ୧.୫୫ ଡିଗ୍ରି ସେଲସିଅସ୍ ଅଧିକ ରହିବ ବୋଲି ଆକଳନ କରାଯାଉଛି। ୨୦୧୫ ପ୍ୟାରିସ ରାଜିନାମା ଅନୁଯାୟୀ, ପ୍ରାୟ ୨୦୦ ପାଖାପାଖି ରାଷ୍ଟ୍ର ସେମାନଙ୍କର ଜୀବାଶ୍ମ ତୈଳ ଦହନ ପରିମାଣକୁ ହ୍ରାସ କରାଇବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ପାଳିତ ହେଉନଥିବାରୁ ତାପମାତ୍ରା ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନ ମଧ୍ୟ ଘଟିଚାଲିଛି।
ଚଳିତ ବର୍ଷ ପରି ଯଦି ତାପମାତ୍ରା ୧.୫ ସେଲସିଅସ୍ ବୃଦ୍ଧି ସୀମାକୁ ଉଲ୍ଲଂଘନ କରିଚାଲେ, ତେବେ ଚଳିତ ଶତାବ୍ଦୀ ଶେଷ ବେଳକୁ ତାହା ୩ ଡିଗ୍ରି ସେଲସିଅସ୍ଠାରୁ ଅଧିକ ହୋଇଯିବ ବୋଲି ମିଳିତ ଜାତିସଂଘ ସତର୍କ କରାଇ ଦେଇଛି। ଅବଶ୍ୟ ଖୁବ୍ ଶୀଘ୍ର ‘ଏଲ୍ ନିନୋ’ର ବିପରୀତ ପ୍ରଭାବ ‘ଲା ନିନା’ ଜନିତ ଶୀତପ୍ରବାହ ଯୋଗୁଁ ଆସନ୍ତାବର୍ଷ ତାପମାତ୍ରାରେ ସାମୟିକ ହ୍ରାସ ଘଟିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ତେବେ ତାହା ଏହି ହାରାହାରି ସୀମାକୁ ନିୟନ୍ତ୍ରଣ କରିବାରେ ପର୍ଯ୍ୟାପ୍ତ ହେବ ନାହିଁ ବୋଲି ମଧ୍ୟ ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ପାଣିପାଗ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ଯୋଗୁଁ ହେଉଥିବା ଖର୍ଚ୍ଚକୁ ବନ୍ଦ କରିବାର ଏକମାତ୍ର ଉପାୟ ହେଉଛି ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ଶୂନ କରି ବିଶ୍ବ ତାପମାତ୍ରାରେ ସ୍ଥିରତା ଆଣିବା ବୋଲି ବିଶେଷଜ୍ଞମାନଙ୍କ ମତ।