ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ବିରଳ କୃଷ୍ଣସାର ମୃଗକୁ ପ୍ରାଧାନ୍ୟ ଦିଆଯାଇ ପ୍ରଥମ ଶ୍ରେଣୀରେ ସ୍ଥାନିତ କରାଯାଇଛି। ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨-ଧାରା ୧ ଅନୁଯାୟୀ ଏହି ପ୍ରାଣୀଙ୍କୁ ଶିକାର ଓ ଚାଲାଣ କରିବା ସଂପୂର୍ଣ୍ଣ ବେଆଇନ। ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଓ ଉତ୍ତର ଘୁମୁସର ବନଖଣ୍ଡ କୃଷ୍ଣସାରଙ୍କ ପ୍ରମୁଖ ବିଚରଣସ୍ଥଳ ଭାବେ ଏସିଆ ମହାଦେଶରେ ସ୍ବତନ୍ତ୍ର ପରିଚୟ ବହନ କରିଛି। ବିଶେଷକରି ଦକ୍ଷିଣ ଘୁମୁସର ବନଖଣ୍ଡରେ କୃଷ୍ଣସାରଙ୍କ ସଂଖ୍ୟା ଅଧିକ। ୨୦୧୮ ପରେ ଏମାନଙ୍କ ସଂଖ୍ୟା ଦୁଇଗୁଣା ବଢ଼ିଛି। ଆଉ ସବୁଠୁ ବଡ଼ କଥା ହେଉଛି, ବର୍ତ୍ତମାନ ବ୍ରହ୍ମପୁର ବନଖଣ୍ଡରେ ବି କୃଷ୍ଣସାର ଦେଖିବାକୁ ମିଳିଲେଣି। ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ଆସିକା ବନାଞ୍ଚଳ ମଧ୍ୟ କୃଷ୍ଣସାରଙ୍କ ପ୍ରମୁଖ ଆସ୍ଥାନ ଭାବେ ପରିଚୟ ତିଆରି କରିଛି। ଏହି ବିରଳ ବନ୍ୟପ୍ରାଣୀ ଏବେ ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ପାଲଟିଛି।
ଭେଟନଈ, ଜଗତିପଡ଼ିଆର ଆକର୍ଷଣ ୱାଚ୍ ଟାୱାର୍
ଆସିକା ବନାଞ୍ଚଳର ଭେଟନଈ ଓ ଜଗତିପଡ଼ିଆରେ ବିଚରଣ କରୁଥିବା କୃଷ୍ଣସାର ମୃଗଙ୍କୁ ଦେଖିବାକୁ ରାଜ୍ୟର ବିଭିନ୍ନ ଭାଗରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏଥିପାଇଁ ଜଗତିପଡ଼ିଆ ଓ ଛତାପଡ଼ିଆ ନିକଟରେ ଦୁଇଟି ୱାଚ୍ ଟାୱାର୍ ନିର୍ମାଣ କରାଯାଇଛି। ଏହି ସମସ୍ତ ଅଞ୍ଚଳକୁ ଜୀବମଣ୍ଡଳ ସଂରକ୍ଷଣ ଘୋଷଣା କରି ସ୍ବତନ୍ତ୍ର ଯୋଜନା କରାଯିବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍ ମତପ୍ରକାଶ କରିଛନ୍ତି। ତେବେ ଜଗତିପଡ଼ିଆ ନିକଟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଅନାବାଦୀ ଜମିକୁ ନିଜ ଅକ୍ତିଆରକୁ ନେଇ ପଟ୍ଟା ପାଇଁ ଉଦ୍ୟମ କରିବା ସହିତ ଜାଲିବାଡ଼ ନିର୍ମାଣ କରିଛନ୍ତି।
ସରକାର ସ୍ବତନ୍ତ୍ର ଅଭୟାରଣ୍ୟ ବ୍ୟବସ୍ଥା କରନ୍ତୁ
ଗଞ୍ଜାମ ଜିଲ୍ଲା କୃଷ୍ଣସାର ମୃଗ ସୁରକ୍ଷା ସମିତିର ସଭାପତି ଅମୂଲ୍ୟ ଉପାଧ୍ୟାୟ କହିଛନ୍ତି, ଆସିକା ବନାଞ୍ଚଳର ଭେଟନଇ, ସିଦ୍ଧନୟୀ ଓ ପାଣ୍ଡିଆପଥର ପଞ୍ଚାୟତ ଅଞ୍ଚଳରେ କୃଷ୍ଣସାରଙ୍କ ସଂଖ୍ୟା ବଢ଼ିଛି। ତେବେ ସେମାନଙ୍କ ଅବାଧ ବିଚରଣରେ ବାଧକ ସାଜିଥିବା ତାରବାଡ଼ ଉଚ୍ଛେଦ କରାଯିବାର ଆବଶ୍ୟକତା ରହିଛି। ଏହାସହ ସରକାର ସ୍ବତନ୍ତ୍ର ଅଭୟାରଣ୍ୟ ପାଇଁ ବ୍ୟବସ୍ଥା କଲେ ଆସିକା ବନାଞ୍ଚଳରେ ପର୍ଯ୍ୟଟନ ବିକାଶର ସମ୍ଭାବନା ସୃଷ୍ଟି ହୋଇପାରିବ। ଏଥିପାଇଁ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ।
‘କୃଷ୍ଣସାର ବିହାରସ୍ଥଳୀ’
ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା, ଭେଟନଈ, ବାଲିପଦର, ଧରାକୋଟ ଓ ବୁଗୁଡ଼ା ଇଲାକାରେ ଏବେ ଅଧିକ କୃଷ୍ଣସାର ଦଳ ଦଳ ହୋଇ ବୁଲୁଛନ୍ତି। ଫଳରେ ଏହି ଅଞ୍ଚଳକୁ ‘କୃଷ୍ଣସାର ବିହାରସ୍ଥଳୀ’ ଭାବେ ନାମିତ କରାଯାଇଛି। ସେହିପରି ବୁଗୁଡ଼ା ଓ ପୋଲସରା ବନାଞ୍ଚଳ ସମେତ ବର୍ତ୍ତମାନ ସୋରଡ଼ା,ବଡ଼ଗଡ଼ ବନାଞ୍ଚଳ ଏବଂ ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥପ୍ରସାଦ ବନାଞ୍ଚଳର ଗେରେଡ଼ା, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ଅଞ୍ଚଳରେ କୃଷ୍ଣସାରଙ୍କ ସଂଖ୍ୟା ବଢ଼ିଛି। ବିଶେଷକରି ବେଲଗୁଣ୍ଠା ସେକ୍ସନ୍ ଅଧୀନ ତନରଡ଼ା ଗ୍ରାମ ନିକଟ ସରନୂଆପଲ୍ଲୀରେ ବର୍ତ୍ତମାନ ବହୁ ସଂଖ୍ୟାରେ କୃଷ୍ଣସାର ମୃଗ ବିଚରଣ କରୁଛନ୍ତି। ଆସିକା ବନାଞ୍ଚଳର ସିଦ୍ଧନୟୀ, ଖାରିଆ, ପାଣ୍ଡିଆପଥର, ବାବନପୁର, ବରଗାଁ ଓ ବଡ଼ଖୋଲି ପଞ୍ଚାୟତ କୃଷ୍ଣସାର ମୃଗଙ୍କ ପ୍ରାକୃତିକ ବାସସ୍ଥଳୀ ପାଲଟିଛି।
କୃଷ୍ଣସାରର ବର୍ଣ୍ଣ ଓ ବେଗ
କୃଷ୍ଣସାର ଅତି କ୍ଷୀପ୍ର ଗତିରେ ଦୌଡ଼ୁଥିବାରୁ କୌଣସି ବନ୍ୟଜନ୍ତୁ ସହଜରେ ଏହାର ଶିକାର କରିପାରନ୍ତି ନାହିଁ। ଘଣ୍ଟା ପ୍ରତି ୫୦ରୁ ୬୦ ମାଇଲ ବେଗରେ କୃଷ୍ଣସାର ଦୌଡ଼ିଥା’ନ୍ତି। ପାଖାପାଖି ୧୧ରୁ ୧୫ ବର୍ଷ ପର୍ଯ୍ୟନ୍ତ ଏମାନେ ବଞ୍ଚିଥାନ୍ତି। ଅଣ୍ଡିରା କୃଷ୍ଣସାର କଳାଧଳା ରଙ୍ଗ ଓ ଶିଙ୍ଗଯୁକ୍ତ ହୋଇଥିବା ବେଳେ ମାଇ କୃଷ୍ଣସାରର ରଙ୍ଗ ଗେରୁଆ ଓ ଶିଙ୍ଗବିହୀନ।
କୃଷ୍ଣସାର ସହ ପୌରାଣିକ ସଂପର୍କ
ପୌରାଣିକ ଗାଥା ଅନୁସାରେ ‘ଯହିଁ ନାହିଁ କୃଷ୍ଣସାର ତହିଁ ନାହିଁ ଧର୍ମାଚାର’। ବେଦ ସମେତ ବିଭିନ୍ନ ଉପନିଷଦ ଓ ଧର୍ମଗ୍ରନ୍ଥ ଏବଂ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ କୃଷ୍ଣସାର ସଂପର୍କରେ ଅନେକ ବର୍ଣ୍ଣନା ରହିଛି। ବୌଦ୍ଧ ଧର୍ମରେ ମଧ୍ୟ କୃଷ୍ଣସାର ହତ୍ୟାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।