କଟକ: ଆ.. ଆ.. ଡାକରେ ଧାଇଁ ଆସନ୍ତି ମୟୂର। ସେହି ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକ ଲୋକର ଗାଡ଼ି ଅଟକିଯାଏ ଏହି ସୁନ୍ଦର ପକ୍ଷୀଙ୍କୁ ଦେଖିବାକୁ। ଗଛର ପତ୍ର ଉହାଡ଼ରୁ ଅଧା ଦେଖାଦେଇ ଅବା ସାମ୍ନାକୁ ଆସି ପୁଚ୍ଛ ମେଲାଇ ଦେଇ ଲୋକଙ୍କୁ ଆକର୍ଷିତ କରନ୍ତି ମୟୂରମାନେ। ଖରା, ବର୍ଷା ହେଉ ଅବା ଶୀତ; କେବେ ବି ଆସିବା ବନ୍ଦ ହୁଏନି। ସକାଳ ୫ଟାରୁ ୭ଟା ଓ ଅପରାହ୍ଣ ୩ ଟାରୁ ୫ଟା ପର୍ଯ୍ୟନ୍ତ ନିୟମିତ ମୁଖରିତ ହୋଇଉଠେ ନରାଜ୍ ସିଦ୍ଧେଶ୍ବର ମୁଣ୍ଡିଆ ଠାରେ ଥିବା ‘ପିକକ୍ ଭ୍ୟାଲି’। ପୁଲିସ ଫାୟାରିଂ ରେଞ୍ଜ୍ ପାଖ ସିଦ୍ଧେଶ୍ବର ମୁଣ୍ଡିଆରେ ଏକଦା ମାତ୍ର ୩ଟି ମୟୂର ଥିବା ବେଳେ ଏବେ ସେମାନଙ୍କ ସଂଖ୍ୟା ୨ଶହ ହେଲାଣି। ସେଥିରେ ପୁଣି ୫ଟି ଧଳା ମୟୂର ବି ଅଛନ୍ତି। ଆଧ୍ୟାତ୍ମିକ ଗୁରୁ ରବିଶଙ୍କର, କଣ୍ଠଶିଳ୍ପୀ ଆଶା ଭୋଁସ୍ଲେଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ବି ଏହି ପିକ୍କ୍ ଭ୍ୟାଲିରେ ପହଞ୍ଚି ମୟୂରଙ୍କ ସହ ସମୟ କାଟିଛନ୍ତି। ଜେଜେଙ୍କ ପରେ ଏବେ ନାତି ନେଇଛନ୍ତି ମୟୂରଙ୍କ ସୁରକ୍ଷା ଦାୟିତ୍ବ। ଏହି ଆକର୍ଷଣୀୟ ସ୍ଥାନ କିନ୍ତୁ ସରକାରୀ ପ୍ରୋତ୍ସାହନ ବାହାରେ।
୧୯୯୯ ମହାବାତ୍ୟା ପରେ ହଠାତ୍ ନରାଜ୍ସ୍ଥିତ ପୁଲିସ୍ ଫାୟାରିଂ ରେଞ୍ଜ ନିକଟ ସିଦ୍ଧେଶ୍ବର ମୁଣ୍ଡିଆରେ ତିନୋଟି ମୟୂର ଦେଖିବାକୁ ମିଳିଥିଲେ। ହୋମ୍ଗାର୍ଡ ପାଣୁ ବେହେରା ସେମାନଙ୍କୁ ଖାଇବାକୁ ଦେବା ସହ ଦେଖାରେଖା କରିଥିଲେ। କେଇମାସ ପରେ ମୟୂରମାନେ ପାଣୁଙ୍କ ପ୍ରେମରେ ଓ ପାଣୁ ମୟୂରଙ୍କ ପ୍ରେମରେ ପଡ଼ିଗଲେ। ପକ୍ଷୀପ୍ରେମୀ ପାଣୁଙ୍କ ଡାକରେ ଧାଇଁ ଆସିଲେ ମୟୂର। ତିନୋଟି ମୟୂରରୁ ସଂଖ୍ୟା ଦିନକୁ ଦିନ ବିସ୍ତାର ହେଲା। ପାଣୁଙ୍କ ମୟୂର ପ୍ରେମ ଏମିତି ବଢ଼ି ଯାଇଥିଲା ଯେ, ସେ ମୁଣ୍ଡିଆ ପାଖରେ ପହଞ୍ଚିବା ମାତ୍ରେ ଧାଇଁ ଆସୁଥିଲେ ମୟୂର। ମୟୂରଙ୍କ ସୁରକ୍ଷା ପାଇଁ ପାଣୁଙ୍କ ସପର୍ମଣ ଭାବ ତାଙ୍କୁ ‘ମୟୂର ମଣିଷ’ ଭାବେ ପରିଚୟ ଦେଇଥିଲା।
୨୦୧୭ରେ ଆରପାରିକୁ ଚାଲିଗଲେ ପାଣୁ। ହେଲେ, ଜେଜେ ଚାଲିଗଲା ପରେ ପିକକ୍ ଭ୍ୟାଲି ଓ ମୟୂରଙ୍କ ସୁରକ୍ଷା ଦାୟିତ୍ବ ନେଇଛନ୍ତି ନାତି କାହ୍ନୁ ବେହେରା। ସେ ମଧ୍ୟ ହୋମଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରତିଦିନ ସକାଳ ୫ଟାରୁ ସେ ପିକକ୍ ଭ୍ୟାଲିରେ ପହଞ୍ଚି ଆ... ଆ.. ଡାକିବା ମାତ୍ରେ ଧାଇଁ ଆସନ୍ତି ମୟୂର ସବୁ। ପାଣୁ ଦେଉଥିବା ଖାଦ୍ୟ ଖାଇବା ପରେ ପୁଣି ଫେରିଯାଆନ୍ତି। ଛୁଟି ଦିନରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଯାଏ। କଟକ, ଭୁବନେଶ୍ବର ଓ ଅନ୍ୟାନ୍ୟ ସହରରୁ ଲୋକଙ୍କ ସୁଅ ଛୁଟେ ପିକ୍କ୍ ଭ୍ୟାଲିକୁ। ଛୋଟ ପିଲାଙ୍କୁ ବେଶ୍ ଆକର୍ଷିତ କରିଥାଏ ମୟୂରଙ୍କ ପୁଚ୍ଛ ଖୋଲି ନୃତ୍ୟ କରିବାର ଦୃଶ୍ୟ। କିନ୍ତୁ, ଯେହେତୁ ଏହି ଅଞ୍ଚଳରେ ପୁଲିସ ଫାୟାରିଂ ରେଞ୍ଜ ରହିଛି ତେଣୁ ସରକାରୀସ୍ତରରେ ମୟୂରଙ୍କ ସୁରକ୍ଷା ପାଇଁ କୌଣସି ପ୍ରୋତ୍ସାହନ ଦିଆଯାଉନି କିମ୍ବା ଯୋଜନା ବି କରାଯାଉନି। ମୟୂରଙ୍କ ସୁରକ୍ଷା ସହ ସିଦ୍ଧେଶ୍ବର ମୁଣ୍ଡିଆର ସୁରକ୍ଷା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।