ଭୁବନେଶ୍ବର : ପୁନଶ୍ଚ ପୃଥିବୀ ସମ୍ମିଳନୀର ୨ୟ ଦିନରେ ପରିବେଶ ଅନୁକୂଳ ଖଣି ଖନନ ବା ଗ୍ରୀନ ମାଇନିଂ ଉପରେ ଏକ ସାରଗର୍ଭକ ଆଲୋଚନା ହୋଇଥିଲା । ଏହି ଆଲୋଚନାର ପରିଚାଳନା କରିଥିବା ନାଲକୋର ପୂର୍ବତନ ଇଡି ଅମୀୟ ପଟ୍ଟନାୟକ ନିଜର ପ୍ରାରମ୍ଭିକ ଭାଷଣରେ କହିଥିଲେ ଯେ ଏକ ହିସାବ ଅନୁସାରେ ସାରା ଭାରତରେ ୩.୫ ଲକ୍ଷ ଲୋକ କାମ କରୁଛନ୍ତି । ଜିଏମ ଗ୍ଲୋବାଲ ଏନର୍ଜିର ଅଟକଳ ଅନୁସାରେ ଭାରତରେ ପ୍ରାୟ ୭୦ ଲକ୍ଷ ଲୋକ ଖଣି କ୍ଷେତ୍ରରେ କାମ କରୁଛନ୍ତି । କୋଲ ଇଣ୍ଡିଆ ଯଦି ଗ୍ରୀନ ୨୦୫୦ ସୁଦ୍ଧା ଗ୍ରୀନ ମାଇନିଂକୁ ଗ୍ରହଣ କରିବ ତେବେ ପ୍ରାୟ ୭୩,୪୦୦ ଲୋକ କାମ ହରେଇବେ । ଆମେ ସେଥିପାଇଁ ପ୍ରସ୍ତୁତ ତ ? ଆମେ ପରିବେଶ ଅନୁକୂଳ ଖଣିଖନନ କରିବା ନା ବିକାଶ କରିବା ?

Advertisment

ଏହି ଆଲୋଚନାରେ ଅଂଶଗ୍ରହଣ କରି ପୂର୍ବତନ ଖଣି ନିର୍ଦ୍ଦେଶକ ଦିପକ ମହାନ୍ତି କହିଛନ୍ତି, ଗ୍ରୀନ ମାଇନିଂର କନସେପ୍ଟ ମାଇନିଂଠାରୁ ଅଲଗା ନୁହେଁ । ପ୍ରଚଳିତ ମାଇନିଂକୁ ଯଦି ଆମେ ଟିକିଏ ନିୟନ୍ତ୍ରିତ ଉପାୟରେ କରିବା ତେବେ ତାହାକୁ ଗ୍ରୀନ ମାଇନିଂ ବୋଲି କୁହାଯାଇପାରେ । ଖଣିଜ ପଦାର୍ଥ ପୃଥିବୀର ଅଭ୍ୟନ୍ତରରେ ରହିଛି, ଆମେ ଯଦି ଖଣି ଖନନ କରିବାକୁ ଚାହିଁବା ଆମକୁ ପୃଥିବାକୁ ଚିରି ସେଥିରୁ ଖଣିଜ ପଦାର୍ଥ ବାହାର କରିବାକୁ ପଡି଼ବ । ଏଣୁ ଆମେ ଗ୍ରୀନ ମାଇନିଂ କହିବା କିମ୍ବା ସ୍ମାର୍ଟ ମାଇନିଂ କହିବା ପୃଥିବୀପୃଷ୍ଠକୁ ନିଶ୍ଚିତଭାବେ ଚିରିବାକୁ ପଡ଼ିବ । ଅନ୍ୟପ୍ରକାରେ କହିଲେ ଖଣି ଖନନ କଲେ ପ୍ରାକୃତିକ ପରିବେଶ, ଜଙ୍ଗଲ ନିଶ୍ଚିତଭାବେ ପ୍ରଭାବିତ ହେବ । ଖଣିଜ ପଦାର୍ଥ ଅର୍ଥନୀତି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଖଣିଜ ପଦାର୍ଥ ବିନା ଔଦ୍ୟୋଗିକ ଓ ଅର୍ଥନୈତିକ ପ୍ରଗତି ହୋଇପାରିବ ନାହିଁ । ଓଡ଼ିଶାର ବିକାଶ ନିମନ୍ତେ ଖଣି ଖନନ କରିବା ପାଇଁ ଆମେ ବାଧ୍ୟ । ଖଣିଜ ଖନନ ଜଳ,ବାୟୁ ଓ ଜଙ୍ଗଲ ସଂପଦ ଉପରେ ଏକ କୁପ୍ରଭାବ ପକାଏ । ଏଣୁ ଏହି କୁପ୍ରଭାବକୁ ଆମେ ଯେତେ ପରିମାଣରେ ସୀମିତ କରିପାରିବା ତାହା ହେଉଛି ଗ୍ରୀନ ମାଇନିଂର ଲକ୍ଷ୍ୟ ।

ଖଣି ଖନନ ଆମ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହି କ୍ଷେତ୍ର ଆମ ଜିଡିପିରେ ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ଦେଇଥାଏ । ଏଣୁ ମାଇନିଂକୁ ଆମେ ଏଡ଼େଇଦେଇପାରିବା ନାହିଁ । ଖଣିଜ ପଦାର୍ଥ ସାଧାରଣତଃ ଜଙ୍ଗଲ ଅଂଚଳରେ ଭୂମିତଳେ ଥାଏ । ପୁଣି ଉକ୍ତ ଅଚଳରେ ଆଦିବାସୀମାନେ ରହିଥାନ୍ତି । ଏଣୁ ଖଣି ଖନନ ବେଳେ ଆମେ ଏ ସମସ୍ତଙ୍କ ଉପରେ ଯେପରି ଯଥାସମ୍ଭବ କମ କୁପ୍ରଭାବ ପଡ଼ିବ ତାହା ଉପରେ ଗୁରୁତ୍ବ ଦେବା ଆବଶ୍ୟକ : ପ୍ରମୋଦ ପାତ୍ର, କାର୍ଯ୍ୟକାରୀ ଉପ-ସଭାପତି (ଖଣି), ଜେଏସପିଏଲ୍

ଖଣି ଖନନ ହେଲେ ତାହା ପରିବେଶ ଉପରେ କୁପ୍ରଭାବ ପକାଇବା ନିଶ୍ଚିତ । କିନ୍ତୁ ଆମକୁ ତାହାକୁ ଖଣି ଖନନ ପ୍ରକ୍ରିୟାର ପ୍ରତ୍ୟେକ ସ୍ତରରେ କମ କରିବାକୁ ପଡ଼ିବ । ଆହୁରି ମଧ୍ୟ ଖଣିଜ ଉତ୍ତୋଳନ ଓ ବ୍ୟବହାର ପାଇଁ ଯେତେପ୍ରକାରର ବୈଧାନିକ ସର୍ତ୍ତ ଓ ନିୟମାବଳୀ ରହିଛି, ଯେପରିକି ପରିବେଶ ମଂଜୁରୀ, ଖନନ ଅନୁମତି ଇତ୍ୟାଦିକୁ ପାଳନ କରି ଖଣିଖନନ କଲେ ତାହା ଆମକୁ ଗ୍ରୀନ ମାଇନିଂ ଆଡ଼କୁ ନେଇଯିବ । 

କେନ୍ଦ୍ର ଖଣି ମନ୍ତ୍ରାଳୟ ଏବେ ଖଣି ଅଂଚଳରେ ଷ୍ଟାର ରେଟିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ପରିବେଶ ଅନୁକୂଳ ପଦକ୍ଷେପ ନେଉଥିବା ଖଣିଗୁଡ଼ିକୁ ଏହି ରେଟିଂ ଦିଆଯାଉଛି । ଖଣି ଖନନ ପରେ  ଖାଲି ହୋଇଥିବା ସ୍ଥାନକୁ ଯେପରି ପୁଣି ପୋତି ତାହାକୁ ପୁଣି ଉତ୍ପାଦନଶୀଳ କରିହେବ ଆମକୁ ସେ ସମ୍ପର୍କରେ ପଦକ୍ଷେପ ନେବାକୁ ପଡିବ 

ଏହି ଆଲୋଚନାର ଯୋଗ ଦେଇ ପ୍ରମୋଦ ପାତ୍ର, କାର୍ଯ୍ୟକାରୀ ଉପ-ସଭାପତି (ଖଣି), ଜେଏସପିଏଲ୍ କହିଛନ୍ତି ଯେ ଖଣି ଖନନ ଆମ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହି କ୍ଷେତ୍ର ଆମ ଜିଡିପିରେ ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ଦେଇଥାଏ । ଏଣୁ ମାଇନିଂକୁ ଆମେ ଏଡ଼େଇଦେଇପାରିବା ନାହିଁ । ଖଣିଜ ପଦାର୍ଥ ସାଧାରଣତଃ ଜଙ୍ଗଲ ଅଂଚଳରେ ଭୂମିତଳେ ଥାଏ । ପୁଣି ଉକ୍ତ ଅଚଳରେ ଆଦିବାସୀମାନେ ରହିଥାନ୍ତି । ଏଣୁ ଖଣି ଖନନ ବେଳେ ଆମେ ଏ ସମସ୍ତଙ୍କ ଉପରେ ଯେପରି ଯଥାସମ୍ଭବ କମ କୁପ୍ରଭାବ ପଡ଼ିବ ତାହା ଉପରେ ଗୁରୁତ୍ବ ଦେବା ଆବଶ୍ୟକ । ଗବେଷଣା ଓ ନୂଆ ଜ୍ଞାନକୌଶଳ ଦ୍ବାରା ଆମେ ଗ୍ରୀନମାଇନିଂ ଆଡ଼କୁ ଯାଇପାରିବା । ନିମ୍ନମାନର ଲୁହାପଥର ଗୁଣ୍ଡକୁ ଆମେ ବ୍ୟବାହାର ନ କରି ଜମା କରି ରଖିବା ଦ୍ବାରା ପରିବେଶ ପ୍ରଦୂଷଣ ହେଉଛି । ଆମେ ଯଦି ଏପରି ଲୁହାପଥର ଗୁଣ୍ଡର ବ୍ୟବହାର ପାଇଁ ଜ୍ଞାନକୌଶଳ ବାହାର କରିପାରବା ତେବେ ତାହା ପରିବେଶ ପାଇଁ ଉତ୍ତମ ହୋଇପାରିବ । ପୁଣି ଖଣି କ୍ଷେତ୍ରରେ ଆମେ ଇଲେକ୍ଟ୍ରୋନିକ ଯାନର ଉପଯୋଗ କରିପାରିବା ।

ଏହି ଅବସରରେ ପ୍ରସନ୍ନ ପଣ୍ଡା, ପ୍ରେସିଡେଣ୍ଟ, ଜେଏସଡବ୍ଲୁ କହିଛନ୍ତି ଯେ, ଆମେ ସମସ୍ତଙ୍କୁ ନେଇ ଗ୍ରୀନ ମାଇନିଂ ଆଡ଼କୁ ଯାଇପାରିବା । ଗ୍ରୀନ ମାଇନିଂର ଲକ୍ଷ୍ୟ ହେଉଛି କିପରି ଆମେ ଅପରେସନାଲ ଦକ୍ଷତା ବଢାଇପାରବା, ବର୍ଜ୍ୟବସ୍ତୁ ନିର୍ଗତକୁ କିପରି କରିପାରିବା ଇତ୍ୟାଦି । ଗ୍ରୀନ ମାଇନିଂକୁ ଗଲାବେଳେ ଆମେ ଯେଉଁ ଲୋକମାନେ ପ୍ରଭାବିତ ହେବେ ସେମାନଙ୍କୁ ବିକଳ୍ପ ଦେବାକୁ ହେବ । ଖଣି କ୍ଷେତ୍ରରେ ନୂଆ ପ୍ରଯୁକ୍ତି ଓ ଅଟୋମେସନର ବ୍ୟବହାର କଲାବେଳେ ଆମକୁ ବର୍ତ୍ତମାନ କାମକରୁଥିବା କର୍ମଚାରୀମାନଙ୍କ ଦକ୍ଷତା ବିକାଶ କରିବାକୁ ପଡ଼ିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠିର ଉପଯୋଗ ସ୍ଥାନୀୟ ଅଂଚଳର ବିକାଶ ପାଇଁ ବ୍ୟବହାର ହେବା ଉଚିତ୍ ଓ ତାହା ହେଉଛି ମଧ୍ୟ । ତେବେ ଏହି ପାଣ୍ଠିର ଖର୍ଚ୍ଚ ପାଇଁ ଏକ ସ୍ବତନ୍ତ୍ର ସଂସ୍ଥା ବା ଏସପିଭି ଗଠନ ହେବା ଉଚିତ୍ ।