ଚରମ ପାଣିପାଗ ପରିବର୍ତ୍ତନର କୁପରିଣତି ଗ୍ରିନ୍ଲ୍ୟାଣ୍ଡରେ ସ୍ପଷ୍ଟ ଅନୁଭୂତ ହୋଇଛି। ବିଶେଷ କରି ପଶ୍ଚିମ ଗ୍ରିନ୍ଲ୍ୟାଣ୍ଡର ୭,୫୦୦ଟି ହ୍ରଦରେ ପର୍ଯ୍ୟାବରଣୀୟ ରୂପାନ୍ତରୀକରଣ ଦେଖିବାକୁ ମିଳିଛି। ଫଳରେ ଏହି ହ୍ରଦଗୁଡ଼ିକ ଅଙ୍ଗାର ଶୋଷକରୁ ଅଙ୍ଗାର ଉତ୍ସରେ ପରିଣତ ହୋଇଥିବା ନୂତନ ଅଧ୍ୟୟନରୁ ଜଣାଯାଇଛି। ବାଷ୍ପୀଭୂତ ଜଳକଣା ସବୁ ବରଫପାତ ଅପେକ୍ଷା ଅଧିକ ବୃଷ୍ଟିପାତ ଆକାରରେ ପଡ଼ିବା ଏହାର ମୁଖ୍ୟ କାରଣ। ଗବେଷକମାନଙ୍କ ନିରୀକ୍ଷଣ ଅନୁଯାୟୀ, ୨୦୨୨ ସେପ୍ଟେମ୍ବରରେ ରେକର୍ଡ ତାପମାତ୍ରା ସାଙ୍ଗକୁ ଏହି ଜଳୀୟବାଷ୍ପ ବାହିକା (ଆଟମସ୍ଫେରିକ୍ ରିଭର୍) ଦ୍ବାରା ସଂଘଟିତ ବର୍ଷା ଉକ୍ତ ହ୍ରଦଗୁଡ଼ିକର ଜୈବଭୂରାସାୟନିକ, ଗଠନଗତ ଓ ଜୈବିକ ଚରିତ୍ରକୁ ବଦଳାଇଦେଇଛି। ୨୦୨୨ ସେପ୍ଟେମ୍ବରରେ ସଂଖ୍ୟାଧିକ ଆଟମସ୍ଫେରିକ୍ ରିଭର୍ର ଆବିର୍ଭାବ ଯୋଗୁଁ ବାୟୁମଣ୍ଡଳର ତାପମାତ୍ରା ସ୍ବାଭାବିକ ଠାରୁ ଉଚ୍ଚରେ ରହିଥିଲା। ଫଳରେ ଗ୍ରିନ୍ଲ୍ୟାଣ୍ଡରେ ରେକର୍ଡ ପରିମାଣର ବରଫ ପାହାଡ଼ ତରଳିବା ଦେଖାଯାଇଥିଲା।
ଗ୍ରିନ୍ଲ୍ୟାଣ୍ଡରେ ରେକର୍ଡ ପରିମାଣର ବରଫ ପାହାଡ଼ ତରଳିବା ସହ ମୃତ୍ତିକାରେ ହିମୀକୃତ ହୋଇ ରହିଥିବା ଜୈବିକ ଅଙ୍ଗାର ତରଳି ପ୍ରବାହିତ ହେବାରୁ ହ୍ରଦଗୁଡ଼ିକ ଅଙ୍ଗାର ଶୋଷକରୁ ଅଙ୍ଗାର ଉତ୍ସରେ ପରିଣତ ହୋଇଛନ୍ତି
ଅଧିକ ତାପମାତ୍ରା ଯୋଗୁଁ ମୃତ୍ତିକାରେ ହିମୀକୃତ ହୋଇ ରହିଥିବା ଜୈବିକ ଅଙ୍ଗାର ତରଳି ପ୍ରବାହିତ ହୋଇଥିଲା ଯହିଁରେ ଅଙ୍ଗାର, ଲୌହ ଓ ମାଗ୍ନେସିଅମ୍ ସମେତ ଅନ୍ୟାନ୍ୟ ଖଣିଜ ପଦାର୍ଥ ମଧ୍ୟ ରହିଥିଲା। ଫଳରେ ୨୦୧୩ ମସିହା ତୁଳନାରେ ୨୦୨୨ ମସିହା ବେଳକୁ ହ୍ରଦ ଜଳରେ ହାରାହାରି ଦ୍ରବୀଭୂତ ଅଙ୍ଗାର ପରିମାଣରେ ୨୨ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୨ ପରେ ବର୍ଷକ ଭିତରେ ହ୍ରଦର ନୀଳ ରଙ୍ଗ ଗାଢ଼ ଧୂସର ରଙ୍ଗ ହୋଇଯାଇଥିଲା। ସେଥିଯୋଗୁଁ ହ୍ରଦ ଜଳରେ ସୂର୍ଯ୍ୟାଲୋକ ପ୍ରବେଶ ୫୦ ପ୍ରତିଶତ ବାଧାପ୍ରାପ୍ତ ହୋଇଥିଲା, ଯାହା ପର୍ଯ୍ୟାବରଣ ପ୍ରଣାଳୀରେ ରୂପାନ୍ତରୀକରଣ ପାଇଁ ଦାୟୀ ବୋଲି ଗବେଷକମାନେ କହିଛନ୍ତି। ୨୦୧୪ ଅଗଷ୍ଟ ତୁଳନାରେ ୨୦୨୩ ଅଗଷ୍ଟ ବେଳକୁ ଜଳର ମିଥେନ୍ ସାନ୍ଦ୍ରତା ୭୨ ପ୍ରତିଶତ ବଢ଼ିଯାଇଥିଲା। ମୋଟାମୋଟି ଭାବେ ହ୍ରଦଗୁଡ଼ିକ ଅଙ୍ଗାର ଶୋଷକ ଭାବେ ପରିଗଣିତ ହେଉଥିବା ବେଳେ ଗ୍ରୀଷ୍ମକାଳରେ ହ୍ରଦରୁ ୩୫୦ ପ୍ରତିଶତ ଅଧିକ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହୋଇଥିଲା।