ସମଗ୍ର ବିଶ୍ବରେ ଝଡ଼, ବାତ୍ୟା ଓ ବନ୍ୟାସ୍ଥିତିରୁ ସୁରକ୍ଷା ଦେଉଥିବା ହେନ୍ତାଳ ବଣଗୁଡ଼ିକ ଯୋଗୁଁ ବାର୍ଷିକ ପ୍ରାୟ ସାଢ଼େ ୮୫ ହଜାର କୋଟି ଡଲାର ବଞ୍ଚିଯାଉଛି ବୋଲି ବିଶ୍ବ ବ୍ୟାଙ୍କ୍ର ‘ଦି ଚେଞ୍ଜିଂ ୱେଲ୍ଥ ଅଫ୍ ନେସନ୍ସ’ର ୨୦୨୪ ସଂସ୍କରଣରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି। ସମୁଦ୍ର ଉପକୂଳରେ ବସବାସ କରୁଥିବା ଲୋକମାନଙ୍କୁ ବନ୍ୟା, ଝଡ଼ତୋଫାନ ଓ ମୃତ୍ତିକା କ୍ଷୟରୁ ସୁରକ୍ଷା ଯୋଗାଉଥିବା ହେନ୍ତାଳବଣର ଭୂମିକାକୁ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ବନ୍ୟା ଓ ସାମୁଦ୍ରିକ ଜୁଆରର ଉପଦ୍ରବରୁ ମୁକୁଳିବା ପାଇଁ ବିଭିନ୍ନ ରାଷ୍ଟ୍ର ସାଧାରଣତଃ ପାରମ୍ପରିକ ଭାବେ ସମୁଦ୍ର ପ୍ରାଚୀର ଓ ଆଡ଼ିବନ୍ଧ ପରି ଭିତ୍ତିଭୂମି ନିର୍ମାଣକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ତେବେ ହେନ୍ତାଳବଣ ପରି ପ୍ରାକୃତିକ ପର୍ଯ୍ୟାବରଣ ପ୍ରଣାଳୀ ତାହା ସମତୁଲ ବା ତା’ଠାରୁ ଅଧିକ ସୁରକ୍ଷା ଯୋଗାଇବା ସହ ତାହାର ଅନ୍ୟାନ୍ୟ ପରିବେଶଗତ ଉପାଦେୟତା ରହିଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।
୧୨୧ଟି ଦେଶର ପ୍ରାୟ ୭ ଲକ୍ଷ କି.ମି. ବ୍ୟାପୀ ସମୁଦ୍ର ଉପକୂଳସ୍ଥ ହେନ୍ତାଳବଣର ଭୂମିକାକୁ ଅନୁଧ୍ୟାନ କରି ଏପରି ନିର୍ଯାସ ମିଳିଛି। ସମୁଦ୍ର ଉପକୂଳମାନଙ୍କରେ ଜନବସତି ବଢ଼ିଚାଲିଥିବା ବେଳେ ସେମାନଙ୍କର ବନ୍ୟାବିପତ୍ତି ହ୍ରାସ ଦିଗରେ ହେନ୍ତାଳ ବଣର ଭୂମିକା ଅନନ୍ୟ ବୋଲି କୁହାଯାଇଛି। ଏହି ବୃକ୍ଷରାଜିର ଉପସ୍ଥିତି ଯୋଗୁଁ ୧୯୯୬ ମସିହାରୁ ୨୦୧୦ ମସିହା ମଧ୍ୟରେ ବନ୍ୟାଜନିତ ୧୩ ହଜାର କୋଟି ଡଲାରର କ୍ଷୟକ୍ଷତିକୁ ରୋକାଯାଇପାରିଛି। ସେହିପରି ୨୦୧୦ ଓ ୨୦୨୦ ମଧ୍ୟରେ ବଞ୍ଚିଯାଇଥିବା କ୍ଷତି ପରିମାଣ ୫୦ ହଜାର କୋଟି ଡଲାର ବୋଲି ଆକଳନ କରାଯାଇଛି। ହେନ୍ତାଳ ବଣର ସମ୍ପ୍ରସାରଣ ଯୋଗୁଁ ଯଦିଓ ଚିଙ୍ଗୁଡ଼ି ଚାଷ ଓ ଅନ୍ୟାନ୍ୟ ଉପକୂଳ ବିକାଶରେ ବ୍ୟାଘାତ ଘଟିଛି, ତେବେ ବନ୍ୟା ପ୍ରତିରୋଧୀ ଭାବରେ ଏହି ପ୍ରାକୃତିକ ସବୁଜ ସମ୍ପତ୍ତି ଉପକୂଳବାସୀଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି ବନ୍ୟା ଓ ଝଡ଼ ପ୍ରତିରୋଧୀ ସୁରକ୍ଷା କବଚ ଦ୍ବାରା ଚୀନ୍, ଭିଏତନାମ, ଅଷ୍ଟ୍ରେଲିଆ ଆମେରିକା ଓ ଭାରତ ଭଳି ଦେଶ ବିଶେଷ ଉପକୃତ ହୋଇପାରୁଛନ୍ତି ବୋଲି ଏହି ଅଧ୍ୟୟନରୁ ଜଣାଯାଇଛି। ହେନ୍ତାଳ ବଣର ସୁରକ୍ଷା ଓ ପୁନରୁଦ୍ଧାର କେବଳ ପରିବେଶ ପାଇଁ ଉପଯୋଗୀ ନୁହେଁ, ଏହା ପରୋକ୍ଷରେ ଆର୍ଥିକ ଲାଭ ମଧ୍ୟ ପ୍ରଦାନ କରୁଥିବାରୁ ତାହା ଉପରେ ଗୁରୁତ୍ବାରୋପ କରିବା ଅପରିହାର୍ଯ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/17/Ql7Mez0QWnla9P0n1z8z.jpg)