ଭୁବନେଶ୍ବର: ପୁନଶ୍ଚ ପୃଥିବୀ ସମ୍ମିଳନୀ- ୨୦୨୫ ସଫଳତାର ସହ ଆୟୋଜିତ ହୋଇଛି। ଏଥିରେ ଅନେକ ବିଶିଷ୍ଟ ବକ୍ତା, ପରିବେଶବିତ୍ ଓ ବିଶେଷଜ୍ଞ ଗୋଟିଏ ଛାତତଳେ ଏକତ୍ରୀତ ହୋଇ ପରିବେଶ ସୁରକ୍ଷା ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ। ‘କନକ ନ୍ୟୁଜ୍’ର ଉପସ୍ଥାପିକା ସ୍ବସ୍ତିକା ପଣ୍ଡାଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ମିଳନୀ ଆୟୋଜନ ପଛରେ ରହିଥିବା ଚିନ୍ତାଧାରା ସମ୍ପର୍କରେ ‘ସମ୍ବାଦ ଓ କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଆଲୋଚନା କରିଥିଲେ। ସେ କହିଥିଲେ ଯେ ‘ପୃଥିବୀ ବଞ୍ଚିଲେ, ଆମେ ବଞ୍ଚିବା।’ ଏହା ହିଁ ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହା ଏକ ଦଳଗତ କାର୍ଯ୍ୟ। ଏଥିରେ ଆମ ଦଳର ପ୍ରତିଟି ସଦସ୍ୟ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଆମେ ପରିବେଶ ସମ୍ପର୍କିତ ଖବରକୁ ଅପରାଧ ଓ ରାଜନୈତିକ ପ୍ରସଙ୍ଗ ଭଳି ମୁଖ୍ୟ ଖବର ଭାବେ ଉପସ୍ଥାପନ କରିବାକୁ ଚାହୁଛୁ। ସେଥିପାଇଁ ଆମ ପାଖରେ ଥିବା ସମସ୍ତ ମାଧ୍ୟମକୁ ବ୍ୟବହାର କରି ବର୍ଷତମାମ ପରିବେଶ ସମ୍ପର୍କିତ ଖବର ପରିବେଷଣ କରାଯାଉଛି। ସେହି ଖବର ଲୋକମାନଙ୍କ ଭିତରେ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେବ। ଲୋକମାନେ ଏକଜୁଟ ହେବେ ଓ ପଦକ୍ଷେପ ଗ୍ରହଣ କରିବାକୁ ଆଗେଇ ଆସିବେ ବୋଲି ଶ୍ରୀମତୀ ପଟ୍ଟନାୟକ ବିଶ୍ବାସ ପ୍ରକଟ କରିଛନ୍ତି।
ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀରେ ‘ପରିବେଶ ପଞ୍ଚାୟତ’ ଆୟୋଜନ କରାଯାଇଥିଲା ଯେଉଁଠାରେ ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତମାନେ ଯୋଡ଼ି ହୋଇ ପରିବେଶ ସୁରକ୍ଷା ଉପରେ ମତ ଦେବା ନିଶ୍ଚିତ ରୂପେ ଉଲ୍ଲେଖନୀୟ ବୋଲି ସେ କହିଥିଲେ। ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ୨୦୩୬ରେ ପାଳନ କରିବାକୁ ଯାଉଥିବା ବେଳେ ସେହି ସମୟ ଖଣ୍ଡ ସହ ପୁନଶ୍ଚ ପୃଥିବୀ ଅଭିଯାନକୁ ସମନ୍ବିତ କରାଯାଇଛି। ଏହି ମହତ୍ ଲକ୍ଷ୍ୟ ହାସଲ କରିବା ଲାଗି ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରତିଟି ସାମ୍ବାଦିକଙ୍କୁ ସେମାନଙ୍କ ଅଞ୍ଚଳର ଖବରକୁ ପରିବେଶ ଦୃଷ୍ଟିରେ ଦେଖିବାକୁ ହେବ ବୋଲି ସେ କହିଥିଲେ।