ପାଟଣାଗଡ଼: ଜଳବାୟୁ ପରିବର୍ତ୍ତନ କାରଣରୁ ଋତୁଚକ୍ର ପ୍ରଭାବିତ ହେଉଛି। ବର୍ଷା ପରିବର୍ତ୍ତେ ରୌଦ୍ରତାପ ଭଳି ଖରା ଓ ଗରମ ଅନୁଭୂତ ହେଉଛି। ବାୟୁ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିର ମୁକାବିଲା ଲାଗି ସଭିଏଁ ଏକ ହେବାକୁ ପଡ଼ିବ। ସଚେତନତା ମାଧ୍ୟମରେ ପୃଥିବୀକୁ ଧ୍ବଂସମୁଖରୁ ଉଦ୍ଧାର କରାଯାଇପାରିବ। ନଚେତ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟାବହ ହେବ। ସେତେବେଳେ ଆଉ ଚିନ୍ତା କରିବା ପାଇଁ ସମୟ ହିଁ ନ ଥିବ। ତେଣୁ ବେଳ ଥାଉ ଥାଉ ସତର୍କ ହୋଇ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ ଗଛ ଲଗାଇବାକୁ ଆହ୍ବାନ ଦେଇଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି। 

Advertisment

ଗୁରୁବାର ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଞ୍ଚଛକସ୍ଥିତ ଜୟ ମା’ ପାଟଣେଶ୍ବରୀ ମହାବିଦ୍ୟାଳୟ ପରିସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ହୋଇଥିଲା ପରିବେଶ ପଞ୍ଚାୟତ। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ବିଶି କହିଥିଲେ, ପ୍ରତ୍ୟେକ ବ୍ୟକ୍ତି ପରିବେଶ ପାଇଁ ଯତ୍ନବାନ ହେବା ଉଚିତ। ପ୍ରଦୂଷଣମୁକ୍ତ ପରିବେଶ ଗଢ଼ିବାରେ ସହାୟକ ହେବା ପାଇଁ ଗଛଟିଏ ଲଗାଇ ତାର ଯତ୍ନ ନିଅନ୍ତୁ। ସମ୍ମାନିତ ଅତିଥି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ହରିଶଙ୍କର ଶାଖାର ଯୁଗ୍ମ ଆବାହକ ତଥା ଚଙ୍ଗରିଆ ସରପଞ୍ଚ ସୁଶୀଲ ଗୁରୁ କହିଥିଲେ, ପରିବେଶର ସୁରକ୍ଷା ଆମ ହାତରେ। ଗଛ ଲଗାଇବା ସହିତ ଘରେ ଘରେ ବ୍ୟବହାର ହେଉଥିବା ପଲିଥିନ୍‌କୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବା ପାଇଁ ସମସ୍ତେ ଦୃଢ଼ ନିଷ୍ପତ୍ତି ନିଅନ୍ତୁ। ପୃଥିବୀରେ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ପ୍ରଦୂଷଣ ଯୋଗୁଁ କେବଳ ମଣିଷ ଅସୁବିଧାମୁହାଁ ହେଉ ନାହିଁ, ପୃଥିବୀ ପୃଷ୍ଠରେ ଥିବା ସମସ୍ତ ଜୀବଜଗତ ଏକପ୍ରକାର ବିପର୍ଯ୍ୟୟ ଆଡ଼କୁ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ଧରିତ୍ରୀମାତାର ସୁରକ୍ଷା ନିମନ୍ତେ ସମସ୍ତେ ଆଗେଇ ଆସିବାକୁ ‘ସମ୍ବାଦ’ ପାଟଣାଗଡ଼ ପ୍ରତିନିଧି ଶିରୀଶ ଚନ୍ଦ୍ର ଖମାରୀ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ସ୍କୁଲ, କଲେଜର ଦୁଇ ଅଧ୍ୟକ୍ଷଙ୍କ ସହିତ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।