ରାଉରକେଲା: ଶହେ କି ହଜାରେ ନୁହେଁ, ଲକ୍ଷାଧିକ ବାଦୁଡ଼ି ଗୋଟିଏ ସ୍ଥାନରେ ରହୁଛନ୍ତି। ଦିନସାରା ଗଛ ଡାଳରେ ଝୁଲି ରହନ୍ତି। ସନ୍ଧ୍ୟା ହେବାମାତ୍ରେ ଖାଦ୍ୟ ଅନ୍ବେଷଣରେ ବାହାରିଯାଆନ୍ତି। ରାତିସାରା ଆଖପାଖ ଅଞ୍ଚଳରେ ବିଚରଣ କରିବାପରେ ସୂର୍ଯ୍ୟୋଦୟ ପୂର୍ବରୁ ବସାକୁ ଫେରିଆସନ୍ତି। ପ୍ରାୟ ୫୦ ବର୍ଷ ହେଲା ବାଦୁଡ଼ିଙ୍କ ସ୍ଥାୟୀ ଠିକଣା ପାଲଟିଛି ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇନ୍ଦିରା ଗାନ୍ଧୀ ପାର୍କ। ଏଠାରେ ବାଦୁଡ଼ିଙ୍କ ଅବସ୍ଥାନ ପାଇଁ ଅନୁକୂଳ ବ୍ୟବସ୍ଥା ରହିଛି। ସୁରକ୍ଷାଠାରୁ ଆରମ୍ଭକରି ଆନୁଷଙ୍ଗିକ ସୁବିଧା ଥିବାରୁ ବାଦୁଡ଼ିଙ୍କ ପସନ୍ଦର ସ୍ଥାନ ପାଲଟିଛି ଆଇଜି ପାର୍କ।

Advertisment

ଇସ୍ପାତସହରବାସୀଙ୍କ ଅବସର ବିନୋଦନ ପାଇଁ ୧୯୬୦ ମସିହାରେ ପ୍ରାୟ ୧୫ ଏକର ପରିବ୍ୟାପ୍ତ ଜମିରେ ସ୍ଥାପିତ ହୋଇଥିଲା ଆଇଜି ପାର୍କ ଓ ଚିଡ଼ିଆଘର। ଆରମ୍ଭରୁ ଏଠାରେ କିଛି ପ୍ରଜାତିର ପକ୍ଷୀ ସମେତ ହରିଣ ରହୁଥିଲେ। ପରବର୍ତ୍ତୀ ସମୟରେ ଏଠାକୁ ଅନ୍ୟାନ୍ୟ ଜୀବଜନ୍ତୁ ଓ ସରୀସୃପ ଅଣାଯାଇଥିଲା। ସତୁରି ଦଶକର ଆରମ୍ଭ ବେଳକୁ ହଠାତ୍‌ ପ୍ରାୟ ୨ ଶହ ବାଦୁଡ଼ି ଉଡ଼ି ଆସିଥିଲେ ପାର୍କକୁ। ଏକାସାଙ୍ଗରେ ଏତେ ବାଦୁଡ଼ି କେଉଁଠୁ ଆସିଲେ ତାହା ଏବେ ବି ଅସ୍ପଷ୍ଟ। ପାର୍କ ଭିତରେ ଥିବା ବିଶାଳ ପୋଖରୀ ସାଙ୍ଗକୁ ୟୁକାଲିପଟାସ୍‌, ବର, ଅର୍ଜୁନ, ତେନ୍ତୁଳି, ଦେବଦାରୁ, ପେଲ୍‌ଟୋଫୋରମ୍‌, ଶାଳ ଆଦି ବଡ଼ବଡ଼ ଗଛ ଓ ବାଉଁଶବଣ ଆଦି ସେମାନଙ୍କୁ ବୋଧେ ଆକର୍ଷିତ କରି ଆଣିଥିଲା। ସେମାନଙ୍କୁ ରହିବା ପାଇଁ ଅନୁକୂଳ ସ୍ଥାନ ସହ ଖାଦ୍ୟ ଓ ଜଳର ଅଭାବ ରହିଲା ନାହିଁ। ପାର୍କ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାରୁ କୌଣସି ବାହ୍ୟ ବିବଦ ରହିଲା ନାହିଁ। ଏଠାକୁ ଆସିବା ପରଠାରୁ ଏହି ବାଦୁଡ଼ିମାନେ ଆଉ କୁଆଡ଼େ ଯାଇନାହାନ୍ତି। ୫ ଦଶନ୍ଧି ମଧ୍ୟରେ ଏହି ପକ୍ଷୀଙ୍କ ସଂଖ୍ୟା ଏବେ ଛଅ ଅଙ୍କ ଛୁଇଁଲାଣି। ଏହି ବାଦୁଡ଼ିମାନେ ମୁଖ୍ୟତଃ ପାର୍କରେ ଥିବା ୧୭ଟି ବିଶାଳ ଗଛରେ ରହୁଛନ୍ତି। ସନ୍ଧ୍ୟା ହେବାମାତ୍ରେ ଖାଦ୍ୟ ପାଇଁ ନିକଟରେ ଥିବା ଦୁର୍ଗାପୁର ପାହାଡ଼, ଏନ୍‌ଆଇଟି ପାଖ ଜଙ୍ଗଲ, ବନ୍ଧମୁଣ୍ଡା, ବିଶ୍ରା ଆଡ଼କୁ ଯାଇଥାନ୍ତି।

ବର୍ଷସାରା ଏମାନେ ସଂପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ ରହୁଥିବାବେଳେ ଖରାଦିନେ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଗଛରୁ ପତ୍ର ଝଡ଼ିଯିବା ସହ ପ୍ରବଳ ତାତି ଯୋଗୁଁ ଏମାନେ କଷ୍ଟ ଭୋଗିଥାନ୍ତି। ତେବେ ପାଖରେ ଥିବା ପୋଖରୀ ସେମାନଙ୍କୁ ଜଳକଷ୍ଟରୁ ରକ୍ଷାକରେ। ଏମିତିକି ତାତି ଅସହ୍ୟ ହେଲାବେଳେ ପାର୍କ କର୍ତ୍ତୃପକ୍ଷ ପାଣି ବି ସିଞ୍ଚନ କରିଥାଆନ୍ତି। ବିଭିନ୍ନ ସମୟରେ ନବଜାତ ବାଦୁଡ଼ି ଗଛ ଉପରୁ ପଡ଼ିଯାଇଥାନ୍ତି। ତେବେ ସେମାନଙ୍କୁ ଆଣି ପ୍ରାଥମିକ ଚିକିତ୍ସା, ଖାଦ୍ୟ ବ୍ୟବସ୍ଥା କରାଯାଇଥାଏ।

ବାଦୁଡ଼ିଙ୍କ ସୁରକ୍ଷାରେ ଗ୍ରାମବାସୀ, ଦୁଇଶହ ବର୍ଷର ବସା

ତେଲକୋଇ: ପ୍ରାୟ ଦୁଇଶହ ବର୍ଷ ହେଲା ଗାଁର ବିଭିନ୍ନ ଗଛରେ ରହୁଛନ୍ତି ବାଦୁଡ଼ି। ଗ୍ରାମବାସୀ ସେମାନଙ୍କୁ ନେଇ ବେଶ୍‌ ଖୁସି ଅନୁଭବ କରୁଛନ୍ତି। ଗ୍ରାମବାସୀ ପିଢ଼ି ପରେ ପିଢ଼ି ବାଦୁଡ଼ିଙ୍କୁ ସୁରକ୍ଷା ଦେଉଛନ୍ତି। ବାଦୁଡ଼ିମାନେ ମଧ୍ୟ ଗାଁ ଛାଡ଼ି କେଉଁଆଡ଼େ ଯାଉନାହାନ୍ତି। ବାଦୁଡ଼ି ଓ ମଣିଷଙ୍କ ମଧ୍ୟରେ ଥିବା ଏଭଳି ସମ୍ପର୍କକୁ ନେଇ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ଖୁଣ୍ଟାପଡ଼ା ଗାଁ ଏବେ ଚର୍ଚ୍ଚାରେ। ଖୁଣ୍ଟାପଡ଼ା ଗ୍ରାମଶ୍ରୀ ପୀଠରେ ଥିବା ଗଛ, ଚାଞ୍ଚଖାଇ ଠାକୁରାଣୀଶାଳ ନିକଟରେ ଥିବା ଆମ୍ବଗଛ, କେନ୍ଦୁଗୋଡ଼ା ତେନ୍ତୁଳିଗଛ ଓ ବାରତନାଳୀ ନିକଟରେ ଥିବା ଆମ୍ବ ଓ ଶାଗୁଆନ ଗଛରେ ପ୍ରାୟ ୮ ହଜାର ବାଦୁଡ଼ି ରହୁଛନ୍ତି। ଦିନକୁ ଦିନ ଏଠାରେ ବାଦୁଡ଼ି ବଂଶ ବୃଦ୍ଧି ପାଇବାରେ ଚାଲିଛି। ବାଦୁଡ଼ିଗୁଡ଼ିକ ଦିନରେ ଗଛରେ ଝୁଲି ରହୁଛନ୍ତି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ବାହାରି ଯାଆନ୍ତି। ଏତେ ସଂଖ୍ୟାରେ ବଦୁଡ଼ିଙ୍କ ପାଇଁ ଏଠାରେ ଆବଶ୍ୟକ ଖାଦ୍ୟ ନଥିବାରୁ ପଡ଼ୋଶୀ ବାଂଶପାଳ, ହରିଚନ୍ଦନପୁର ବ୍ଲକ୍‌ ସମେତ ଅନୁଗୁଳ ଜିଲ୍ଲାର ପାଳଲହଡ଼ା, ଦେବଗଡ଼ ଜିଲ୍ଲାର ବାରକୋଟ ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଯାଉଛନ୍ତି। ସକାଳ ହେବା ପୂର୍ବରୁ ପୁଣି ବସାକୁ ଫେରି ଆସୁଛନ୍ତି। ଆଖପାଖରେ କିଛି ଶବ୍ଦ ହେଲେ ଆକାଶରେ ଗୋଲାକାର ଆକୃତିରେ ଉଡ଼ି ବୁଲନ୍ତି। କେହି ଶିକାର କରିବାକୁ ଆସିଲେ ଗାଁ ଲୋକେ ବାରଣ କରୁଛନ୍ତି।

ଗାଁର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ଆଦିତ୍ୟ ପ୍ରଧାନ କହିଛନ୍ତି, ଗାଁ ମଝିରେ ଥିବା ବରଗଛରେ ଶହଶହ ବଗ ବାସ କରୁଥିଲେ। ଏବେ ସେମାନଙ୍କୁ ଆଉ ଦେଖିବାକୁ ମିଳୁନି। କିନ୍ତୁ ବାଦୁଡ଼ିମାନେ ଅଛନ୍ତି। ସେମାନଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ ବୋଲି ସେ କହନ୍ତି। ସେହିପରି ୯୦ ବର୍ଷୀୟ ଗୌରହରି ବେହେରା କହିଛନ୍ତି, ବାଦୁଡ଼ିଙ୍କ ପ୍ରତି ଆଗରୁ ଯେପରି ଲୋକଙ୍କ ସହାନୁଭୂତି ରହିଥିଲା ଏବେ କମିଗଲାଣି। ଗାଁର ବିଶୃଙ୍ଖଳିତ ପରିବେଶ ବାଦୁଡ଼ିଙ୍କ ପାଇଁ ବିପଦ ହେଉଛି। ଖରାଦିନେ ଅସହ୍ୟ ଗରମ ଯୋଗୁଁ ବାଦୁଡ଼ି ବିପଦରେ ପଡ଼ୁଛନ୍ତି। ଯୁବପିଢ଼ି ସଚେତନ ନହେଲେ ବଗ ଭଳି ବାଦୁଡ଼ି ମଧ୍ୟ ଦିନେ ଗାଁ ଛାଡ଼ି ଚାଲିଯିବେ ବୋଲି ଶ୍ରୀ ବେହେରା କହିଛନ୍ତି। ଏ ସମ୍ପର୍କରେ ତେଲକୋଇ ରେଞ୍ଜର ଶିବାଜୀ ମୋହନ ରାଓଙ୍କୁ ପଚାରିବାରୁ, ତେଲକୋଇ ରେଞ୍ଜରେ ଅନ୍ୟ କୌଣସି ସ୍ଥାନରେ ଏତେ ସଂଖ୍ୟାରେ ବାଦୁଡ଼ି ନାହାନ୍ତି। ବାଦୁଡ଼ିଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କୁ ସେ ନିବେଦନ କରିଛନ୍ତି।