ସମ୍ପ୍ରତି ବିଶ୍ବବ୍ୟାପୀ ଜଳବାୟୁ ପରିବର୍ତ୍ତନ ହେତୁ ଚିନ୍ତାଜନକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ୨୦୧୯ରୁ ୨୦୨୩ ମଧ୍ୟରେ ବାର୍ଷିକ ହାରାହାରି ୪୬ ଦିନ ଅତିରିକ୍ତ ସ୍ବାସ୍ଥ୍ୟ ପ୍ରତି ହାନିକାରକ ଉତ୍ତପ୍ତଦିନ ଅନୁଭୂତ ହେବା ସହ କେବଳ ୨୦୨୩ରେ ଏହାର ସଂଖ୍ୟା ୫୦ ଥିଲା, ଯାହାକି ଅତ୍ୟନ୍ତ ଉଦ୍ବେଗଜନକ। ଗତ ବର୍ଷ ଅତିରିକ୍ତ ଉତ୍ତପ୍ତ ଦିନ ଅନୁଭୂତ ହୋଇଥିବା ତଥ୍ୟ ଗତ ୩୦ ତାରିଖରେ ପ୍ରକାଶିତ ‘ଲାନ୍ସେଟ୍ କାଉଣ୍ଟଡାଉନ୍’ର ଅଷ୍ଟମ ବାର୍ଷିକ ରିପୋର୍ଟରେ ଦିଆଯାଇଛି।
ବିଶ୍ବସ୍ତରୀୟ ୫୭ଟି ଅନୁଷ୍ଠାନର ୧୨୨ ଜଣ ବିଶେଷଜ୍ଞ ଓ ମିଳିତ ଜାତିସଂଘର ବିଭିନ୍ନ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଏପରି ଚିନ୍ତାଜନକ ପ୍ରସଙ୍ଗର ଅବତାରଣା କରାଯାଇଛି। ସୂଚନାଯୋଗ୍ୟ, ବିଶେଷ କରି ବାୟୁମଣ୍ଡଳକୁ ସବୁଜ ବାଷ୍ପ ନିର୍ଗମନ ଦ୍ବାରା ପ୍ରେରିତ ବୈଶ୍ବିକ ତାପମାତ୍ରା ବୃଦ୍ଧି ଯୋଗୁଁ ସାର୍ବଜନୀନ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଚାଲିଛି। ତେବେ ଏଥି ଯୋଗୁଁ ବିଶେଷ କରି ବୟସ୍କ ଓ ଶିଶୁଙ୍କ ମଧ୍ୟରେ ମୃତ୍ୟୁହାର ସଂକଟଜନକ ସ୍ତରରେ ପହଞ୍ଚିଛି ବୋଲି କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ୧୫ଟି ସ୍ବାସ୍ଥ୍ୟ ସଂକଟ ସୂଚକାଙ୍କ ମଧ୍ୟରୁ ସମ୍ପ୍ରତି ୧୦ଟିରେ ଚିନ୍ତାଜନକ ସ୍ଥିତି ଦେଖିବାକୁ ମିଳିଛି। ୨୦୨୩ ମସିହାରେ ୩୧ଟି ଦେଶରେ ୧୦୦ରୁ ଅଧିକ ସ୍ବାସ୍ଥ୍ୟ ଲାଗି ବିପଜ୍ଜନକ ଉତ୍ତପ୍ତ ଦିବସ ଅନୁଭୂତ ହୋଇଥିଲା। ସେହିପରି ବିଶ୍ବର ଅନେକ ସ୍ଥାନରେ ଦିନ ତାପମାତ୍ରା ତୁଳନାରେ ରାତ୍ରିର ତାପମାତ୍ରାରେ ଦ୍ରୁତ ବୃଦ୍ଧି ଦେଖାଦେଇଥିଲା।
ଏଥିଯୋଗୁଁ ସୃଷ୍ଟ ନିଦ୍ରା ବିଭ୍ରାଟ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରତିକ୍ରିୟା ପକାଇଥିଲା। ୧୯୮୬ରୁ ୨୦୦୫ ମସିହା ତୁଳନାରେ ୨୦୨୩ ମସିହାରେ ହାରାହାରି ୬ ପ୍ରତିଶତ ଶୟନ ନଷ୍ଟ ହୋଇଯାଇଥିଲା। ଏହା ଉଭୟ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପକାଇଥିଲା ବୋଲି ଲାନ୍ସେଟ୍ ରିପୋର୍ଟ ସ୍ପଷ୍ଟ କରିଛି। ସେହିପରି ୨୦୨୩ ମସିହାରେ ୬୫ ବର୍ଷରୁ ଅଧିକ ବୟସ୍କ ଲୋକମାନେ ହାରାହାରି ୯.୩ ଅଧିକ ଉତ୍ତପ୍ତ ଦିନ ଭୋଗିଥିଲେ, ପରିଣାମ ସ୍ବରୂପ ୧୯୯୦ ଦଶକ ତୁଳନାରେ ଗତବର୍ଷ ବୃଦ୍ଧମାନଙ୍କ ମୃତ୍ୟୁରେ ୧୬୭ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଏଥି ସହିତ ଗ୍ରୀଷ୍ମଲହରୀ, ମରୁଡ଼ି ଓ ଅନ୍ୟାନ୍ୟ ଚରମ ପାଣିପାଗ ସ୍ଥିତି ଯୋଗୁଁ ୨୦୨୨ ସୁଦ୍ଧା ୧୨୪ ଦେଶର ପ୍ରାୟ ୧୫.୧ କୋଟି ଲୋକ ମଧ୍ୟ ଭୀଷଣ ଖାଦ୍ୟାଭାବର ସମ୍ମୁଖୀନ ହୋଇଥିଲେ। ସେହିପରି ଉଷ୍ମତା ବୃଦ୍ଧି ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ ଓ ୱେଷ୍ଟ୍ ନାଇଲ୍ ଭାଇରସ୍ ପରି ରୋଗ ନୂଆ ନୂଆ ଇଲାକାରେ ବ୍ୟାପିବା ଦେଖାଯାଇଥିଲା।